ଆଜି ଜାତୀୟ ପତାକା ଦିବସ; କେମିତି ହେଲା ତ୍ରିରଙ୍ଗା ପତାକା, ଇତିହାସ କ'ଣ କୁହେ, କ'ଣ ରହିଛି ମହତ୍ତ୍ୱ ?
National Flag Day : ଭାରତର ଜାତୀୟ ପତାକା ହେଉଛି ତ୍ରିରଙ୍ଗା । ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ପିଙ୍ଗଳି ଭେଙ୍କୟାଙ୍କଦ୍ୱାରା ପ୍ରସ୍ତୁତ ହୋଇଥିଲା । ତେବେ ଚାଲନ୍ତୁ ଜାଣିବା କେମିତି ହୋଇଥିଲା ତ୍ରିରଙ୍ଗା ପତାକା । ଇତିହାସ କଣ କୁହେ ?
ଇତିହାସ:-
ଭାରତୀୟ ସ୍ୱାଧୀନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ବହୁତ ପରିବର୍ତ୍ତନ ଦେଇ ଗତି କରିଥିଲା। ୧୮୫୭ ମସିହା ବିଦ୍ରୋହ ସମୟରେ ପ୍ରଥମେ ଜଣେ ଇଂରେଜ ଶାସକଙ୍କଦ୍ୱାରା ଭାରତର ଏକକୀୟ ପତାକା ନିର୍ମାଣର ପ୍ରସ୍ତାବ ଆସିଥିଲା। ଅତୀତରେ ବହୁ ପରିବର୍ତ୍ତନ ଘଟିବା ପରେ ଶେଷରେ ସ୍ୱାଧୀନ ଭାରତର ଜାତୀୟ ପତାକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି । ଭାରତର ପ୍ରଥମ ଜାତୀୟ ପତାକା ୧୯୦୬ ମସିହା ଅଗଷ୍ଟ ୭ରେ କଲିକତାସ୍ଥିତ ପାର୍ସି ବାଗାନ ଛକ (ଗ୍ରୀନ ପାର୍କ)ରେ ଉତ୍ତୋଳନ କରାଯାଇଥିବା କୁହାଯାଏ । ସେତେବେଳେ ଏହି ପତାକାର ରଙ୍ଗ ଲାଲ, ହଳଦୀ ଓ ସବୁଜ ଥିଲା । ଦ୍ୱିତୀୟ ଜାତୀୟ ପତାକା ଜର୍ମାନୀର ଷ୍ଟୁଟଗାର୍ଟ ସହରରେ ୧୯୦୭ ମସିହା ଅଗଷ୍ଟ ୨୨ରେ ଉତ୍ତୋଳନ କରାଯାଇଥିଲା । ଏହାକୁ ସେତେବେଳେ ସପ୍ତର୍ଷି ପତାକା କୁହାଯାଉଥିଲା । ୧୯୦୬ ପତାକାଠାରୁ ଏହା ଦେଖିବାକୁ ଟିକେ ଭିନ୍ନ ଥିଲା । ଏହି ପତାକାର ଉପରେ ପଦ୍ମ ଚିହ୍ନ ଓ ସପ୍ତର୍ଷିଙ୍କୁ ଦର୍ଶାଉ ଥିବା ୭ଟି ତାରା ଥିଲା । ୧୯୧୭ରେ ୩ୟ ଥର ପାଇଁ ପତାକାର ପରିବର୍ତ୍ତନ ହୋଇଥିଲା ।
ଡ. ଆନିବେଶାନ୍ତଙ୍କ "ହୋମ ରୁଲ୍' ଆନ୍ଦୋଳନ ସମୟରେ ପତାକାର ରଙ୍ଗ ଲାଲ ଓ ସବୁଜ ରଙ୍ଗ ଥିଲା । ୧୯୨୧ ମସିହାରେ ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ଜାତୀୟ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ପିଙ୍ଗଳି ଭେଙ୍କୟା ନାମକ ଆନ୍ଧ୍ର ପ୍ରଦେଶର ଜଣେ ଯୁବକ ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ । ଏହି ପତାକାରେ ଲାଲ ଓ ସବୁଜ ଏହିପରି ୨ଟି ରଙ୍ଗ ଥିଲା । ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ୍ ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା । ତେବେ ଏହି ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମାବଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ ।
୧୯୩୧ରେ କେଶରୀ, ଧଳା ଓ ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା । ପତାକାର ମଝିରେ ଅରଟ ଚିହ୍ନ ଥିଲା । ତେବେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା । ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ, ମଝିରେ ଧଳା ଓ ନିମ୍ନ ଭାଗ ଘନ ସବୁଜ ରଙ୍ଗ ଓ ସମସ୍ତ ରଙ୍ଗ ସମାନ ପ୍ରକାକାର ଆୟତନରେ ସଜ୍ଜିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପତାକାର ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରହିବା ଆବଶ୍ୟକ । ଏହି ଆକୃତିର ପତାକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରି ନେଇଥିଲା । ସେହିଦିନଠାରୁ ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା କୁହାଯାଉଛି ।

ରଙ୍ଗ ଓ ଆକାର:-
Materials 3.1.2.2: Colours
-:ରଙ୍ଗ X Y Z ଚମକ:-
ଧଳା ୦.୩୧୩ ୦.୩୧୯ ୦.୩୬୮ ୭୨.୬
ନାରଙ୍ଗୀ ୦.୫୩୮ ୦.୩୬୦ ୦.୧୦୨ ୨୧.୫
ସବୁଜ ୦.୨୮୮ ୦.୩୮୫ ୦.୩୧୭ ୮.୯
ଭାରତୀୟ ଜାତୀୟ ପତାକାର ଆକାର:
ପତାକା ଆକାର ଲମ୍ବ ଓ ଚଉଡା(ମିମି) ଅଶୋକ ଚକ୍ରର ଆକାର(ମିମି
××××××××××××××
୧ ୬୩୦୦x୪୨୦୦ ୧୨୯୫
୨ ୩୬୦୦ × ୨୪୦୦ ୭୪୦
୩ ୨୭୦୦ × ୧୮୦୦ ୫୫୫
୪ ୧୮୦୦ × ୧୨୦୦ ୩୭୦
୫ ୧୩୫୦ × ୯୦୦ ୨୮୦
୬ ୯୦୦ × ୬୦୦ ୧୮୫
୭ ୪୫୦ × ୩୦୦ ୯୦
୮ ୨୨୫ × ୧୫୦ ୪୦
୯ ୧୫୦ × ୧୦୦ ୨୫
ଏହି ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳେ ସବୁଜ ରହିଛି । ମଝିରେ ଥିବା ଧଳା ରଙ୍ଗ ଉପରେ ୨୪ ଅଖ ଥିବା ଅଶୋକ ଚକ୍ର ମଧ୍ୟ ରହିଛି । ପତାକାର ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ ଓ ବୀରତ୍ୱକୁ ସୂଚାଇ ଥାଏ । ସେହିପରି ମଝିରେ ଥିବା ଧଳା ରଙ୍ଗ ସତ୍ୟ ଓ ଶାନ୍ତିର ପ୍ରତୀକ ଏବଂ ନିମ୍ନରେ ଥିବା ଘନ ସବୁଜ ରଙ୍ଗ ଭ୍ରାତୃତ୍ୱର ପ୍ରତୀକ ବହନ କରେ । ମଝିରେ ଥିବା ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଇ ଥାଏ । ପତାକାର ମଝିରେ ଶୋଭା ପାଉଥିବା ଅଶୋକ ଚକ୍ର ବା ଧର୍ମ ଚକ୍ର ଦେଶ ପ୍ରଗତିର ପ୍ରତୀକ । ଏଥିରୁ ନାଗରିକଙ୍କୁ ଦେଶ ଭକ୍ତିର ପ୍ରେରଣା ମିଳିଥାଏ । ମୌର୍ଯ୍ୟ ସମ୍ରାଟ ଅଶୋକ ସାରନାଥଠାରେ ଏକ ସିଂହ ସହ ଏହି ଚକ୍ରର ନିର୍ମାଣ କରିଥିଲେ ।ଏହାର ସବୁ ରଙ୍ଗ ମହାନତାର ପ୍ରତିକ ଅଛି ।
ଜାତୀୟ ପତାକା ଉଡ଼ାଇବା ବିଧି:-
ଲାଲ କିଲ୍ଲା(ଦିଲ୍ଲୀ)ଠାରେ ଭାରତୀୟ ପତାକା ୨୬ ଜାନୁୟାରୀ ୨୦୦୨ରେ ଜାତୀୟ ପତାକା କୋଡରେ ସଂଶୋଧନ କରାଯାଇଥିଲା । ଜଣେ ନାଗରିକ ବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଜାତୀୟ ପତାକା ଉଡ଼ାଇବାକୁ ଚାହୁଁଥିଲେ ନିମ୍ନୋକ୍ତ ନିୟମ ଅନୁକରଣ କରିବା ଉଚିତ୍:
ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଯେକୌଣସି ଦିନ ପତାକା ଉତ୍ତୋଳନ କରିପାରିବେ । ପତାକାର ଗରିମା ଯେପରି କ୍ଷୁଣ୍ଣ ନହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ବିଦେଶୀ ନାଗରିକମାନେ ମଧ୍ୟ ଭାରତ ମଧ୍ୟରେ ପତାକା ଉତ୍ତୋଳନ କରିପାରିବେ । ସେମାନଙ୍କ ଘର ବା କାର୍ଯ୍ୟାଳୟ ଉପରେ ପତାକା ଲଗାଇ ପାରିବେ ।
ପତାକାକୁ ଭୂମିରେ ଛୁଆଁଇବା କିମ୍ବା ପାଣିରେ ବୁଡ଼ାଇବା ବେଆଇନ । କୌଣସି ଗାଡି, ଟ୍ରେନ, ପାଣି ଜାହାଜ ଓ ଉଡ଼ାଜାହାଜରେ ଜାତୀୟ ପତାକା ଲଗାଇବା ଉଚିତ୍ ନୁହେଁ । ପତାକାଠାରୁ ଉଚ୍ଚରେ ଅନ୍ୟ କୌଣସି ଜିନିଷ ରଖିବା ବେଆଇନ ।
ଖଦି କିମ୍ବା ହସ୍ତତନ୍ତରେ ଜାତୀୟ ପତାକା ତିଆରି ହେବା ଆବଶ୍ୟକ । ଅନ୍ୟ କୌଣସି ସାମଗ୍ରୀରେ ପତାକା ପ୍ରସ୍ତୁତ କରିବା ବେଆଇନ । ଏଥିପାଇଁ ଜୋରିମାନା ସହ ୩ ବର୍ଷ ଜେଲ ହୋଇପାରେ ।
ଜାତୀୟ ପତାକାର ବିଶେଷତ୍ଵ:-
ଜାତୀୟ ପତାକା। ଗୋଟିଏ ଦେଶର, ଗୋଟିଏ ଜାତିର ଗର୍ବ ଓ ଗୌରବର ପ୍ରତୀକ। ତେଣୁ ଜାତୀୟ ପତାକାକୁ ସମସ୍ତେ ସମ୍ମାନ ପ୍ରଦର୍ଶନ କରିଥାନ୍ତି। ଭାରତର ଜାତୀୟ ପତାକା ହେଉଛି ତ୍ରିରଙ୍ଗା। ଏହା ହେଉଛି ଦେଶର ରାଷ୍ଟ୍ରୀୟ ଓ ଏକତାର ପ୍ରତୀକ। ବର୍ତ୍ତମାନର ଜାତୀୟ ପତାକା ଅନେକ ସୋପାନ ଦେଇ ତା'ର ରୂପରେଖ ବଦଳାଇଛି। ଜାତୀୟ ପତାକାର ରଙ୍ଗଠାରୁ ଆରମ୍ଭ କରି ଅଶୋକ ଚକ୍ର ପର୍ଯ୍ୟନ୍ତ ସବୁ କିଛିକୁ ବେଶ୍ ଗୁରୁତ୍ବର ସହ ନିଆଯାଇଛି। ତ୍ରିରଙ୍ଗାର ବ୍ୟବହାରକୁ ନେଇ କିଛି ବିଶେଷ ଆଇନ ମଧ୍ୟ ରହିଛି।

ପ୍ରଥମ ସଂସ୍କରଣ:-
୧୯୦୬ ମସିହାରେ ପ୍ରଥମ ଚିତ୍ରିତ ଭାରତର ଜାତୀୟ ପତାକା ସ୍ବାମୀ ବିବେକାନନ୍ଦଙ୍କ ଶିଷ୍ୟା ଭଗିନୀ ନିବେଦିତାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା। ଏହା ଲାଲ୍, ସବୁଜ ଓ ହଳଦିଆ ରଙ୍ଗରେ ବିଭକ୍ତ ହୋଇଥିଲା। ଉପରେ ଥିବା ସବୁଜ ରଙ୍ଗ ଅଂଶରେ ୮ଟି ଧଳା ରଙ୍ଗର ପଦ୍ମଫୁଲ ଚିହ୍ନ ଅଙ୍କିତ ହୋଇଥିଲା। ମଧ୍ୟଭାଗରେ ଥିବା ହଳଦିଆ ଅଂଶରେ ନୀଳ ରଙ୍ଗରେ 'ବନ୍ଦେ ମାତରମ୍' ଲେଖା ରହିଥିଲା। ନିମ୍ନ ଭାଗରେ ଲାଲ୍ ଅଂଶର ଗୋଟିଏ ପଟେ ସୂର୍ଯ୍ୟ ଏବଂ ଅନ୍ୟ ପଟରେ ଅର୍ଦ୍ଧଚନ୍ଦ୍ର ଓ ସୂର୍ଯ୍ୟର ଚିତ୍ର ଅଙ୍କିତ ହୋଇଥିଲା। ଏହାକୁ ପ୍ରଥମେ ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କଲିକତାର 'ପାର୍ସି ବାଗାନ୍ ଛକ'ରେ ଉତ୍ତୋଳନ କରାଯାଇଥିଲା।
ଦ୍ୱିତୀୟ ସଂସ୍କରଣ:-
୧୯୦୭ ମସିହାରେ ଜାତୀୟ ପତାକାର ଦ୍ବିତୀୟ ସଂସ୍କରଣରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଉପରେ ଥିବା ୮ଟି ପଦ୍ମଫୁଲ ପରିବର୍ତ୍ତେ ୭ଟି ତାରା ରହିଥିଲା, ଯାହାକି ସପ୍ତଋଷିଙ୍କ ପ୍ରତୀକ ଥିଲା। ଜର୍ମାନସ୍ଥିତ ଷ୍ଟଟ୍ଗର୍ଟରେ ଅନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ମ୍ୟାଡମ୍ ଭିକାଜି କାମା ଏହାକୁ ଉତ୍ତୋଳନ କରିଥିଲେ। ସେ ହେଉଛନ୍ତି ପ୍ରଥମ ବିଦେଶୀ ମହିଳା, ଯିଏକି ବିଦେଶ ମାଟିରେ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ତୃତୀୟ ସଂସ୍କରଣ:-
୧୯୧୭ ମସିହାରେ ଜାତୀୟ ପତାକାର ତୃତୀୟ ସଂସ୍କରଣ ପ୍ରସ୍ତୁତ ହୋଇଥିଲା। ଡ. ଆନିବେସାନ୍ତ ଓ ବାଲ୍ ଗଙ୍ଗାଧର ତିଲକ ଏଥିରେ ଆଉ କିଛି ପରିବର୍ତ୍ତନ ଆଣିଥିଲେ। । ଏଥିରେ ତିନୋଟି ରଙ୍ଗ ବଦଳରେ ଦୁଇଟି ରଙ୍ଗର ବ୍ୟବହାର କରାଯାଇଥିଲା। ସବୁଜ ଓ ଲାଲ୍ ରଙ୍ଗର ବଡ଼ ବଡ଼ ପଟି ସଦୃଶ ପତାକାର ଡିଜାଇନ୍ କରାଯାଇଥିଲା। ଏଥିରେ ୫ଟି ଲାଲ୍ ଓ ୪ଟି ସବୁଜ ରଙ୍ଗର ସମାନ୍ତରାଳ ପଟି ଥିଲା। ଏହି ପଟି ଉପରେ ସପ୍ତଋଷିଙ୍କ ପ୍ରତୀକ ୭ଟି ତାରା ଚିହ୍ନ ସହିତ ପତାକାର ଉପର ବାମପଟ କୋଣରେ ୟୁନିୟନ୍ ଜାକ୍ର ଏକ ଛୋଟ ଛବି ଥିଲା ଏବଂ ଅନ୍ୟ ଏକ କୋଣରେ ଅର୍ଦ୍ଧଚନ୍ଦ୍ର ଓ ତାରାର ଚିତ୍ର ଦେଖିବାକୁ ମିଳିଥିଲା।
ଚତୁର୍ଥ ସଂସ୍କରଣ:-
୧୯୨୧ ମସିହାରେ ଜାତୀୟ ପତାକାର ଚତୁର୍ଥ ସଂସ୍କରଣ ପ୍ରସ୍ତୁତ ହେଲା। ଏଥିରେ ଦୁଇଟି ଧର୍ମୀୟ ଭାବନାର ପ୍ରତୀକ ଭାବେ ସବୁଜ ଓ ଲାଲ୍ ରଙ୍ଗକୁ ସାମିଲ୍ କରାଗଲା। ମୁସ୍ଲିମ୍ ଧର୍ମ ପାଇଁ ସବୁଜ ଏବଂ ହିନ୍ଦୁଙ୍କ ପାଇଁ ଲାଲ୍। ବୈଜ୍ ୱାଡ଼ା (ବର୍ତ୍ତମାନର ବିଜୟୱାଡ଼ା)ଠାରେ କଂଗ୍ରେସ୍ର ଏକ ସଭାରେ ଆନ୍ଧ୍ରପ୍ରଦେଶର ଜଣେ ଯୁବକ ପିଙ୍ଗଳି ଭେଙ୍କେୟା ପତାକାର ଏହି ଡିଜାଇନ୍ ପ୍ରସ୍ତୁତ କରି ଗାନ୍ଧିଜୀଙ୍କୁ ଦେଇଥିଲେ। ଏହାକୁ ଦେଖିବା ପରେ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ ଯେ, ହିନ୍ଦୁ ଓ ମୁସ୍ଲିମ୍ ପରେ ଅନ୍ୟସବୁ ଧର୍ମର ପ୍ରତୀକ ଭାବେ ଏହି ପତାକାରେ ଧଳା ରଙ୍ଗ ରହିବା ଉଚିତ ହେବ। ଏହା ସହିତ ଦେଶର ପ୍ରଗତିକୁ ତ୍ବରାନ୍ବିତ କରିବାର ପ୍ରତୀକ ଭାବେ, ଚାଲୁଥିବା ଏକ ଚରଖାର ଫଟୋ ମଧ୍ୟ ରଖାଗଲେ ଏହା ସମ୍ପୂର୍ଣ୍ଣ ଲାଗିବ। ତେଣୁ ଗାନ୍ଧିଜୀଙ୍କ ପ୍ରସ୍ତାବ ଅନୁଯାୟୀ ପତାକାର ଉପର ଭାଗରେ ଧଳା ଅଂଶ, ମଧ୍ୟ ଭାଗରେ ସବୁଜ ଓ ଶେଷ ଭାଗରେ ଲାଲ୍ ରଙ୍ଗ ସହିତ ପତାକାର ମଝିରେ ଏକ ଚଳନ୍ତା ଚରଖାର ଚିତ୍ର ରଖାଗଲା।
ପଞ୍ଚମ ସଂସ୍କରଣ:-
୧୯୩୧ ମସିହାରେ ଭାରତର ତ୍ରିରଙ୍ଗା ପତାକାର ପଞ୍ଚମ ସଂସ୍କରଣ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପୂର୍ବ ତ୍ରିରଙ୍ଗାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଭାରତର ତ୍ରିରଙ୍ଗା ପତାକାକୁ ଅଙ୍ଗୀକାର କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳକୁ ସବୁଜ ରଙ୍ଗ ରଖାଗଲା। ଧଳା ରଙ୍ଗର ପଟିର ମଧ୍ୟ ଭାଗରେ ଏକ ଘୂରୁଥିବା ଚରଖା ଚିତ୍ର ରଖାଗଲା।
ଶେଷ ସଂସ୍କରଣ:-
୧୯୪୭ ମସିହା ଜୁଲାଇ ୨୨ ତାରିଖରେ ତ୍ରିରଙ୍ଗାକୁ ନୂତନ ତଥା ପୂର୍ଣ୍ଣ ରୂପ ମିଳିଥିଲା। ଚରଖା ପରିବର୍ତ୍ତେ ଅଶୋକ ଚକ୍ରକୁ ସ୍ଥାନିତ କରିବା ପାଇଁ ସାମ୍ବିଧାନିକ ସଭାରେ ସର୍ବସମ୍ମତ ଭାବେ ସ୍ବୀକୃତି ମିଳିଥିଲା। ଏହା ସହିତ ରାଷ୍ଟ୍ରୀୟ ଧ୍ବଜାକୁ ବା ତ୍ରିରଙ୍ଗାକୁ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରିବା ପାଇଁ 'ଏମ୍ବଲମ୍ ଆଣ୍ଡ୍ ନେମ୍ ପ୍ରିଭେନ୍ସନ୍ ଆକ୍ଟ ଫର୍ ପ୍ରପର୍ ୟୁଜ୍ ଆକ୍ଟ' ୧୯୫୦ରେ ପ୍ରସ୍ତୁତ କରାଯାଇଥିଲା। ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ଜାତୀୟ ପତାକାର ରୂପରେଖ ସ୍ଥିର କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ମୌଲାନା ଅବୁଲ୍ କାଲାମ୍ ଆଜାଦ୍, ସରୋଜିନୀ ନାଇଡ଼ୁ, ସି. ରାଜ ଗୋପାଲଚାରୀ, କେ.ଏମ୍. ମୁନ୍ସି ଓ ବି.ଆର. ଆମ୍ବେଦକର୍ ଏହି କମଟିର ସଦସ୍ୟ ଥିଲେ।
୧୯୪୭ ମସିହା ଜୁଲାଇ ୧୪ ତାରିଖରେ କମିଟିର ସୁପାରିଶ କ୍ରମେ ଭାରତୀୟ ଜାତୀୟ ପତାକାର ଏକ ସମ୍ପୂର୍ଣ୍ଣ ଓ ଶେଷ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଜାତୀୟ ପତାକାକୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଗ୍ରହଣୀୟ ହେବା ପାଇଁ କେତେକ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ପ୍ରସ୍ତାବକୁ ଅନୁମୋଦନ କରି ଜାତୀୟ ପତାକା ପ୍ରସ୍ତୁତ ହେଲା। ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଜାତୀୟ ପତାକାର ପୂର୍ଣ୍ଣ ସ୍ବରୂପ ପ୍ରକାଶ ପାଇଥିଲା। ପତାକାର ମଧ୍ୟଭାଗରେ ଥିବା ଚରଖା ପରିବର୍ତ୍ତେ ଅଶୋକ ସ୍ତମ୍ଭରେ ଥିବା ଅଶୋକ ଚକ୍ରକୁ ରଖାଗଲା। ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ମତରେ ଅଶୋକ ଚକ୍ର ଧର୍ମ ଓ ଆଇନର ପ୍ରତୀକ।
ଅଶୋକ ଚକ୍ରର ୨୪ଟି ଅଖର ମହତ୍ତ୍ବ:-
ଆଧ୍ୟାତ୍ମିକ ଦୃଷ୍ଟିରୁ ଅଶୋକ ଚକ୍ରରେ ଥିବା ୨୪ଟି ଅର ଦିନର ୨୪ ଘଣ୍ଟାକୁ ଦର୍ଶାଏ। ସମୟ ଭଳି ଅବିରତ ନିଜ ଦାୟିତ୍ବ ସମ୍ପାଦନ କରିବା ପାଇଁ ଏହା ପ୍ରେରଣା ଦେଇଥାଏ। ଏହି ୨୪ଟି ଅର ମନୁଷ୍ୟର ୨୪ଟି ଗୁଣ ଏବଂ ସତ୍ମାର୍ଗରେ ଯିବା ପାଇଁ ୨୪ଟି ମାର୍ଗ ସହିତ ମଧ୍ୟ ତୁଳନା କରାଯାଇଛି। ଅଶୋକ ଚକ୍ରର ମଧ୍ୟଭାଗରେ ଥିବା ୨୪ଟି ଅର ହେଉଛି ୨୪ଟି ଧର୍ମମାର୍ଗର ପ୍ରତୀକ। ସଂଯମତା, ଆରୋଗ୍ୟ, ଶାନ୍ତି, ତ୍ୟାଗ, ଶୀଳ, ସେବା, କ୍ଷମା, ପ୍ରେମ, ମୈତ୍ରୀ, ବନ୍ଧୁତ୍ବ, ସଂଗଠନ,କଲ୍ୟାଣ, ସମୃଦ୍ଧି, ଉଦ୍ଯୋଗ, ସୁରକ୍ଷା, ନିମୟ, ସମତା, ଅର୍ଥନିଷ୍ଠ, ନୀତିନିଷ୍ଠ, ନ୍ୟାୟ, ସହଯୋଗ, କର୍ତ୍ତବ୍ୟ, ଅଧିକାର ଓ ବୁଦ୍ଧିମତାର ପ୍ରତୀକ ଭାବେ ଏହି ୨୪ଟି ଅରକୁ ବିବେଚନା କରାଯାଏ।












Click it and Unblock the Notifications