ଚେନାବ ନଦୀରେ ନିର୍ମାଣ ହେବ ହାଇଡ୍ରୋ ପାୱାର ପ୍ରୋଜେକ୍ଟ
ଜମ୍ମୁ-କାଶ୍ମୀରରେ ଚେନାବ ନଦୀ ଉପରେ ଦୁଲହସ୍ତି ଷ୍ଟେଜ-୨ ହାଇଡ୍ରୋ ପାୱାର ପ୍ରୋଜେକ୍ଟକୁ ସରକାରଙ୍କ ସବୁଜ ସଂକେତ ମିଳି ଯାଇଛି। ଏହି ପ୍ରକଳ୍ପ ଲାଗି ଡିସେମ୍ବର ୨୦୨୫ରେ ପରିବେଶ ମନ୍ତ୍ରାଳୟଙ୍କ ମଞ୍ଜୁରୀ ମିଳିଯାଇଥିଲା। ଭାରତୀୟ ଅଧିକାରୀ ଏହାକୁ ଶକ୍ତି ସୁରକ୍ଷାକୁ ପ୍ରୋତ୍ସାହନ ଦେଉଥିବା ଓ ବୈଷୟିକ ରୂପେ ଉପଯୁକ୍ତ ପ୍ରୋଜେକ୍ଟ ବୋଲି କହୁଛନ୍ତି। ହେଲେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ବୁଝାମଣାର ଉଲ୍ଲଂଘନ ବୋଲି କହୁଛି।

ଏହି ପ୍ରକଳ୍ପ ପାଇଁ ୩,୨୦୦ କୋଟି ଟଙ୍କା ବ୍ୟୟ ଅନୁମାନ କରାଯାଇଛି। ନିର୍ମାଣ ପୂର୍ବରୁ ଟେଣ୍ଡର ଆହ୍ୱାନ କରାଯିବ ଓ ଜମ୍ମୁ-କାଶ୍ମୀରର କିସ୍ତୱାଡ ଜିଲ୍ଲାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ, ଯେଉଁଠି ପୂର୍ବରୁ ଦୁଲହସ୍ତି ଷ୍ଟେଜ-୧ ପାୱାର ଷ୍ଟେସନ କାର୍ଯ୍ୟକ୍ଷମ ଅଛି। ଏକ୍ସପର୍ଟ ଆପ୍ରାଇଜଲ କମିଟି(ଇଏସି) ପ୍ରକଳ୍ପକୁ ଇଣ୍ଡସ ୱାଟାର ଟ୍ରିଟି ଅନୁରୂପ ଡିଜାଇନ କରାଯାଇଥିବା କହିଛନ୍ତି। ତେବେ ଏହି ଟ୍ରିଟିକୁ ଭାରତ ସରକାର ନିଲମ୍ବିତ କରିଦେଇଛନ୍ତି। ଏହାର ଅର୍ଥ ହେଉଛି ଏହି ପ୍ରକଳ୍ପ ନେଇ ପାକିସ୍ତାନକୁ ପ୍ରଥମେ ସୂଚିତ କରାଯିବା ଅଥବା ବୈଷୟିକ ଡାଟା ସେୟାର କରିବାର ଆବଶ୍ୟକତା ନାହିଁ।
ଷ୍ଟେଜ-୨ରେ ନୂଆ ବନ୍ଧ ନିର୍ମାଣ ହେବନି। ଏହା ଷ୍ଟେଜ-୧ରୁ ପାଣି ନେଇ ୩,୬୮୫ ମିଟର ଦୀର୍ଘ ଟନେଲ ଓ ଏହା ପରେ ହର୍ସ ସୁ ଆକାରର ପୁଷ୍କରିଣୀ ନିର୍ମାଣ କରାଯିବ। ଏଥିରେ ସର୍ଜ ସାଫ୍ଟ, ପ୍ରେସର ସାଫ୍ଟ ଓ ଦୁଇଟି ୧୩୦ ମେଗା ୱାଟର ଜେନେରେଟିଂ ୟୁନିଟ ସହିତ ୨୬୦ ମେଗାୱାଟ୍ ପାୱାର ହାଉସ୍ ନିର୍ମାଣ କରାଯିବ। ଏଥି ପାଇଁ ମୋଟ ୬୦.୩ ହେକ୍ଟର ଜମି ଆବଶ୍ୟକତା ପଡୁଥିବା ବେଳେ ୮.୨୬ରୁ ୮.୨୭ ହେକ୍ଟର ଘରୋଇ ଜମି ଅଧିଗ୍ରହଣ କରାଯିବ। ଏହି ପ୍ରକଳ୍ପ ଯୋଗୁ ମାତ୍ର ୬୨ଟି ପରିବାର ପ୍ରଭାବିତ ହେବ।
ତେବେ ପାକିସ୍ତାନ ଇନ୍ଦସ ୱାଟର ଟ୍ରିଟିର ଉଲ୍ଲଂଘନ ଓ ପାଣିକୁ ରଣନୀତିର ଅସ୍ତ୍ର କରାଯାଉଥିବାର ଅଭିଯୋଗ ଆଣୁଛି। ପାକିସ୍ତାନର କହିବା କଥା ହେଉଛି ଚେନାବ, ଝେଲମ ଓ ନିମ ଭଳି ନଦୀମାନଙ୍କରେ ଜଳ ଯୋଗାଣ ହ୍ରାସ ହେଉଛି। ଏଣୁ ପାକିସ୍ତାନ ନଦୀ ପ୍ରବାହରେ ହସ୍ତକ୍ଷେପକୁ ଯୁଦ୍ଧ କାର୍ଯ୍ୟାନୁଷ୍ଠାନ ମନେ କରାଯିବ ବୋଲି ଚେତାବନୀ ଦେଇଛି ଓ ପ୍ରସଙ୍ଗକୁ ମିଳିତ ଜାତିସଂଘରେ ଉଠାଇଛି। ଚେନାବ ନଦୀ ଉପତ୍ୟାକା ପୂର୍ବରୁ ପଶ୍ଚିମ ହିମାଳୟ କ୍ଷେତ୍ରରେ ସବୁଠୁ ଅଧିକ ବିକଶିତ ହାଇଡ୍ରୋ ପାୱାର କ୍ଷେତ୍ର।
ତେବେ ନଦୀରେ ଡ୍ୟାମ ଅଥବା ରନ-ଅଫ-ଦି ରିଭର ପ୍ରୋଜେକ୍ଟ ନଦୀର ଇକୋ ସିଷ୍ଟମ ଉପରେ ନକରାତ୍ମକ ପ୍ରଭାବ ପକାଇବ ବୋଲି ପରିବେଶବିଦ୍ ମାନେ ପୂର୍ବରୁ ସତର୍କ କରିଛନ୍ତି। ଗ୍ଲାସିୟର ଓ ତାପମାତ୍ରାରେ ଦ୍ରୁତ ପରିବର୍ତ୍ତନ ହେଉଛି ତେବେ ଇଏସି ନଦୀ ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ କରିବାକୁ ସର୍ତ୍ତ ରଖିଛନ୍ତି। ଯାହାଦ୍ୱାରା ପ୍ରକଳ୍ପର ପ୍ରଭାବକୁ କମ କରାଯାଇ ପାରିବ।












Click it and Unblock the Notifications