'କୋର୍ଟରେ ଚଳିବନି ଗୁଣ୍ଡାରାଜ୍'ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରଧାନ ବିଚାରପତି
ଦିଲ୍ଲୀର ତିସ ହଜାରୀ କୋର୍ଟ ପରିସରରେ ଜଣେ ଆଇନଜୀବୀଙ୍କ ଉପରେ ଫେବ୍ରୁଆରି ୭ ତାରିଖରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆଇନଜୀବୀ ଜଣକ ଏଥିପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଓ ଏନ୍ଭି ଅଞ୍ଜରିଆଙ୍କ ଖଣ୍ଡପୀଠଙ୍କ ନିକଟରେ ଆଜି ଆଇନଜୀବୀ ଜଣକ ମୌଖିକ ଭାବେ ଏହି ପ୍ରସଙ୍ଗ ଉଠାଇଛନ୍ତି। ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ସେ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଥିଲେ।

ଆଇନଜୀବୀଙ୍କ ଅଭିଯୋଗ ଅନୁଯାୟୀ ତିସ ହଜାରୀ କୋର୍ଟରେ ତାଙ୍କ ଉପରେ ଅଭିଯୋଗକାରୀଙ୍କ ଓକିଲ ଗୁଣ୍ଡାମାନଙ୍କ ସହ ଆକ୍ରମଣ କରିଥିଲେ। ବିଚାରପତି ଏବଂ କୋର୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଆଇନଜୀବୀ ଅଭିଯୋଗ କରିଛନ୍ତି। ପ୍ରଧାନ ବିଚାରପତି ଆଇନଜୀବୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଔପଚାରିକ ଅଭିଯୋଗ ବଦଳରେ ସେ ମୌଖିକ ଭାବେ କାହିଁକି ଟିପ୍ପଣୀ ରଖିଲେ। ଏହାର ଉତ୍ତରରେ ଆଇନଜୀବୀ କହିଥିଲେ ଯେ, ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁନ୍ଥକୁନ୍ଥ ହେଉଛି।
ତେଣୁ ସେ ସୁପ୍ରିମ୍କୋର୍ଟ ବାର୍ ଏସୋସିଏସନ୍ର ସଦସ୍ୟ ଭାବେ ମୌଖିକ ଭାବେ ନିଜ ଅଭିଯୋଗ ରଖିଛନ୍ତି। ପ୍ରଧାନ ବିଚାରପତି ଆଇନଜୀବୀଙ୍କୁ ଏହାପରେ ଦିଲ୍ଲୀ ହାଇକୋର୍ଟରେ ଲିଖିତ ଅଭିଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଫେବ୍ରୁଆରି ୭ ତାରିଖରେ ଘଟଣା ଘଟିଲା। ଏସଂକ୍ରାନ୍ତରେ ଆପଣ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଇଛନ୍ତି କି? ଏନେଇ ମୁଖ୍ୟ ବିଚାରପତିଙ୍କ ନିକଟକୁ ଚିଠିି ଲେଖ ଏବଂ ତାହା ମୋତେ ମଧ୍ୟ ପଠାଅ। କୋର୍ଟ ପରିସରରେ ଗୁଣ୍ଡାରାଜ ଗ୍ରହଣୀୟ ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।












Click it and Unblock the Notifications