ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନନ୍ୟା ଭକ୍ତ "କରମା ବାଇ": ମହାପ୍ରଭୁଙ୍କୁ ଖୁଆଉଥିଲେ ଖିଚିଡି ଭୋଗ
ଶ୍ରୀକ୍ଷେତ୍ରକୁ ବିଭିନ୍ନ ସମୟରେ ଆସିଛନ୍ତି ବହୁ ସାଧୁ, ସନ୍ଥ, ପଣ୍ଡିତ,କବି ଭକ୍ତ ଓ ବହୁ ମହାତ୍ମା ଯେଉଁ ମାନେ ମହାପ୍ରଭୁଙ୍କ ମହିମାରେ ଆକର୍ଷିତ ହୋଇ ଆସି ଏହିଠାରେ ହିଁ ଶେଷ ଜୀବନ କଟାଇଛନ୍ତି । ସେହିମାନଙ୍କୁ ନେଇ ସୃଷ୍ଟି ହୋଇଛି ଅଜସ୍ର ଆଖ୍ୟାନ, ଆଖ୍ୟାୟିକା ଓ କିମ୍ବଦନ୍ତୀ ।ସେହିଭଳି ଜଣେ ଅନନ୍ୟା ମହିଳା ଭକ୍ତର ଭକ୍ତି କଥା । ସପ୍ତଦଶ ଶତାବ୍ଦୀରେ ସୁଦୂର ରାଜସ୍ଥାନରୁ ମହାପ୍ରଭୁଙ୍କ ଭକ୍ତିରେ ବାନ୍ଧିହୋଇ ସେ ଚାଲିଆସି ଥିଲେ ଶ୍ରୀକ୍ଷେତ୍ରକୁ । ସେ ହେଲେ ଭକ୍ତ ଶିରୋମଣି "କରମାବାଈ"।

ମୀରାବାଈଙ୍କ ପରି ସେ ମଧ୍ୟ ଥିଲେ ଶ୍ରୀକୃଷ୍ଣ ପାଗଳିନୀ,କୃଷ୍ଣପ୍ରେମୀ । ପିଲାବେଳେ ବାପା ମା'ଙ୍କ ଅଜ୍ଞାତରେ କରମା ଘରେ ପୂଜିତ ଶ୍ରୀକୃଷ୍ଣ ମୂର୍ତ୍ତି ଆଗରେ ଖେଚୁଡ଼ି ରାନ୍ଧି ଅର୍ପଣ କରୁଥିଲେ । ପ୍ରଭୁ ନଖାଇବା ଯାଏ ନିଜେ ଉପାସ ରହୁ ଥିଲେ । ପ୍ରଭୁ ଶ୍ରୀକୃଷ୍ଣ ବାଳିକାଟିର ନିଷ୍ଠା ଓ ଭକ୍ତିଭାବରେ ପ୍ରୀତହୋଇ ତାଙ୍କୁ ଦର୍ଶନ ଦେଇଥିଲେ ।
ଏକଦା କରମାଙ୍କ ପିତାମାତା ତୀର୍ଥାଟନରେ ଯାଇ ଥିଲେ । ଫେରିଆସି ଏକଥା ଶୁଣିଲେ । ସେମାନେ ଏହାକୁ ବିଶ୍ୱାସ କରି ପାରିଲେ ନାହିଁ । ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ଦର୍ଶନ ଦେଇ ବାଳିକା କରମାର ଭକ୍ତି ନିଷ୍ଠା ପ୍ରମାଣିତ କରିଥିଲେ ।
ସେ ସମୟର ପ୍ରଥା ଅନୁଯାୟୀ କରମାଙ୍କର ପିଲା ଦିନେ ବିବାହ ହୋଇଥିଲା ଏବଂ କିଛି ଦିନ ପରେ ତାଙ୍କ ସ୍ୱାମୀର ମୃତ୍ୟୁ ହେବାରୁ ସେ ବାଲ୍ୟବିଧବା ହୋଇ ଯାଇଥିଲେ । କରମାର ଶାଶୁଘର ଲୋକେ ତା' ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।
ଅତ୍ୟାଚାର ସହି ନ ପାରି ଦିନେ ଘରଛାଡି ଚାଲି ଆସିଲେ କରମାବାଈ । କୌଣସି ମତେ ସେ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଏବଂ ଗୋଟିଏ ମଠରେ ଆଶ୍ରୟ ନେଲେ । ସେ ମଠ ମହନ୍ତ ଇନ୍ଦ୍ରସ୍ୱାମୀଙ୍କୁ ନିଜ ଗୁରୁ ଗ୍ରହଣ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ନିଜକୁ ସମର୍ପି ଦେଲେ ।
ଏମିତି ଦିନ ଗଡ଼ି ଚାଲିଲା । କରମା ପ୍ରତି ସକାଳୁ ଉଠି ପ୍ରଭୁଙ୍କ ପୂଜା ଅର୍ଚ୍ଚନା କରନ୍ତି ଏବଂ କିଛି ନା କିଛି ଖାଦ୍ୟ ପ୍ରଭୁଙ୍କୁ ଭୋଗ ଲଗାନ୍ତି । ଏକଦା ସେ ଭାବିଲେ ଆଜି ଗୋଟିଏ ଅଲଗା ଜିନିଷ ପ୍ରଭୁଙ୍କୁ ଅର୍ପଣ କରିବି । ସାମଗ୍ରୀ ସବୁ ଯୋଗାଡକରି ସେ ଗୋଟିଏ ମାଟି ହାଣ୍ଡିରେ ଖେଚୁଡ଼ି ରାନ୍ଧିଲେ ଏବଂ ତାକୁ ନେଇ ପ୍ରଭୁଙ୍କୁ ଅର୍ପଣ କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଗଲେ ।
ତାଙ୍କ ହାତରେ ଖେଚୁଡ଼ି ଅନ୍ନ ଦେଖି ପଣ୍ଡାମାନେ ତାଙ୍କୁ ବିଶ୍ବାସ ନକରି କହିଲେ, "ତୋ ହାତ ରନ୍ଧା ମହାପ୍ରଭୁ କଅଣ ଖାଇବେ ବୋଲି ଅନେଇ ବସିଛନ୍ତି?" ଏମିତି ନାନାକଥା କହି ତାଙ୍କ ଖେଚୁଡ଼ି ହାଣ୍ଡିଟିକୁ ସେବକମାନେ ଫିଙ୍ଗି ଦେଲେ । କରମା ବାଈ ଭଗ୍ନ ମନୋରଥ ହୋଇ ଅତି ଦୁଃଖର ସହ ମଠକୁ ଫେରି ଆସିଲେ ।
ଶ୍ରୀମନ୍ଦିରରେ ମହାପ୍ରସାଦ ଲାଗି ବେଳ ହେଲା । ବଡ଼ପଣ୍ଡା ମହାପ୍ରଭୁଙ୍କୁ ଭୋଗ ଲଗାଇଲେ । କିନ୍ତୁ ଏ କଅଣ ! ଚଳୁରେ ଯେ ମହାପ୍ରଭୁ ଦେଖା ଯାଉ ନାହାଁନ୍ତି ! ପଣ୍ଡା ମହାଶୟ ଚିନ୍ତିତ ହୋଇପଡ଼ିଲେ । କ'ଣ କିଛି ଅଘଟଣ ଘଟି ନାହିଁ ତ? କିଛି ଅନୀତି ହେଲା କି ? ଏମିତି କେତେ କେତେ ପ୍ରଶ୍ନବାଚୀ । ସମସ୍ତେ ହତ ଚକିତ ।
କଥା ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ । ଗଜପତି ଅନନ୍ୟୋପାୟ ହୋଇ ଅଧିଆ ପଡିଲେ ମହାପ୍ରଭୁଙ୍କ ନିକଟରେ । ରାଜାଙ୍କୁ ସ୍ୱପ୍ନାଦେଶ ହେଲା,"ରାଜା ମୋର ପରମ ଭକ୍ତ କରମା ବାଇଙ୍କ ହାତ ପ୍ରସ୍ତୁତ ଖେଚୁଡ଼ିରେ ମୋର ଭାରି ଶ୍ରଦ୍ଧା । କରମା ଖେଚୁଡ଼ି ନେଇ ଆସି ଥିଲା,ତାକୁ ସେବକମାନେ ଘଉଡ଼ାଇ ଦେଇଛନ୍ତି । ତୁମେ ଯାଇ ତାଙ୍କ ହାତରନ୍ଧା ସେହି ଖେଚୁଡ଼ି ମୋ ପାଖରେ ପହଞ୍ଚାଅ ।
ଏକଥା ଶୁଣିଲା ପରେ ଚାରି ଆଡେ ଚହଳ ପଡ଼ିଗଲା କିଏ ସେହି ଭକ୍ତ ? କିଏ ସେ କରମା ବାଈ? ଠାକୁର ରାଜା ଖୋଜି ଖୋଜି ଯାଇ କରମାବାଇଙ୍କ ନିକଟରେ ପହଞ୍ଚିଲେ ଏବଂ ତାଙ୍କୁ ଯୋଡ଼ ହସ୍ତରେ କ୍ଷମା ପ୍ରାର୍ଥନା କରି ତାଙ୍କ ହାତ ରନ୍ଧା ଖେଚୁଡ଼ି ଆଣି ମହାପ୍ରଭୁଙ୍କୁ ସମର୍ପଣ କଲେ ।
ତା'ପରେ ଦେଖାଗଲା ମହାପ୍ରଭୁଙ୍କ ରଙ୍ଗା ଅଧରରେ ଲାଗି ରହିଥିଲା କରମାବାଇଙ୍କ ସେହି ଖେଚୁଡ଼ି । ଜୟଜୟକାର ଧ୍ୱନୀରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଲା । ସମସ୍ତେ ଏକ ସ୍ୱରରେ ଗାଇ ଉଠିଲେ, -
ଜୟ ଜଗନ୍ନାଥ,ଜୟ ଭକ୍ତ କରମା ବାଈ ! ଜୟ ପ୍ରଭୁ ଭକ୍ତ ବତ୍ସଳ କାଳିଆ ସାଆନ୍ତ !
ଗଜପତି ମହାରାଜ ଘୋଷଣା କଲେ ମା' କରମାଙ୍କ ନାଁରେ ଏଣିକି ମଣିମାଙ୍କୁ ବଢାଯିବ ପ୍ରସାଦ । ଆଉ ଯେଉଁ ମାଟି କୁଡୁଆ ସବୁ ଠାରୁ ବଡ଼ ହୋଇଥିବ ତା ନାଁ ହେବ 'ବାଇହାଣ୍ଡି'। ସେବେଠାରୁ କେତେଦିନ ବିତି ଗଲାଣି । କିନ୍ତୁ କଥା ରହିଛି କରମା ବାଇର,କଥା ରହିଛି କରମା ବାଇ ଖେଚୁଡ଼ିର ଓ ବାଇହାଣ୍ଡିର ।
ବାଇହାଣ୍ଡିରେ ମହାପ୍ରଭୁଙ୍କୁ ଭୋଗ ଆଜି ବି ଲାଗୁଛି

ବାଇହାଣ୍ଡିରେ ମହାପ୍ରଭୁଙ୍କୁ ଭୋଗ ଆଜି ବି ଲାଗୁଛି। ମା' କରମା ବାଈ ମହାପ୍ରଭୁଙ୍କ ପାଇଁ ଅନ୍ନ ରାନ୍ଧିଛନ୍ତି,ଆଉ କହୁଛନ୍ତି ଖାଇଦେ ରେ କାଳିଆ ଖାଇଦେ । ଏହି ଭକ୍ତିମୟ କାହାଣୀଟି ବହୁ ପ୍ରକାରରେ କୁହା ଯାଇଛି । ଅନ୍ୟ ଏକ କାହାଣୀରୁ ଜାଣିବାକୁ ମିଳେ,କରମାବାଇ ମାର୍କଣ୍ଡେଶ୍ୱର ସାହିର କୌଣସି ଏକ ସ୍ଥାନରେ ରହୁଥିଲେ । କରମା ଥିଲେ ପ୍ରାପ୍ତ ବୟସ୍କା ସେବା ନିବୃତ୍ତ ଦେବଦାସୀ ।ମହାପ୍ରଭୁଙ୍କୁ ସେ ପୂର୍ଣ୍ଣ ସମର୍ପିତ ଥିଲେ । ତାଙ୍କ ଘରକୁ ପ୍ରତ୍ୟୁଷରୁ ଜଣେ କୃଷ୍ଣ ବର୍ଣ୍ଣର ବାଳକ ଆସେ । ତାଙ୍କୁ ମାଆ ବୋଲି ଡାକି ଖାଇବାକୁ ଦେ ବୋଲି କହେ । କରମାବାଈ ଘରେ ଯାହାଥାଏ ତାକୁ ପକାଇ ହାଣ୍ଡିରେ ଖେଚୁଡ଼ି ରାନ୍ଧି କଦଳୀ ପତ୍ରରେ ପରସି ଦିଅନ୍ତି । ବାଳକଟି ଆନନ୍ଦରେ ଖେଚୁଡ଼ି ଖାଇ ଚାଲି ଯାଏ ।
କରମା ବାଇ ତରବର ହେଇ ସକାଳ ନିତ୍ଯ କର୍ମ ନସାରି ଖେଚୁଡ଼ି ରାନ୍ଧନ୍ତି। ବାଳକଟି ଆନନ୍ଦରେ ଖେଚୁଡ଼ି ଖାଇ ଚାଲିଯାଆନ୍ତି । ଏମିତି ପ୍ରତି ଦିନ ଚାଲିଥାଏ । ଏପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସମୟରେ ଦର୍ପଣରେ ମହାପ୍ରଭୁଙ୍କ ସ୍ୱରୂପ ଆଉ ଦୃଶ୍ୟ ହେଲା ନାହିଁ । କିଛି ଅଘଟଣ ଆଶଙ୍କା କରି ସେବକ ମାନେ ରାଜାଙ୍କୁ ଜଣାଇ ଦେଲେ । ରାଜା ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ତାଙ୍କୁ ସ୍ୱପ୍ନାଦେଶ ହେଲା 'ମୁଁ କରମା ମାଆର ଘରେ କେତେ ଶ୍ରଦ୍ଧାରେ ତା ହାତରନ୍ଧା ଖେଚୁଡ଼ି ଖାଇ ସାରିଛି'। ରାଜା କରମା ବାଇର ଭକ୍ତିକଥା ଜାଣି ପାରିଲେ । ଶ୍ରୀମନ୍ଦିରରେ ସେହିଦିନଠାରୁ ପ୍ରଚଳିତ ହେଲା ଖେଚୁଡ଼ି ଭୋଗ ଓ ବାଇହାଣ୍ଡି ।
ଏମିତି ବି ରହିଛି କାହାଣୀ:
ଅନ୍ୟଏକ କାହାଣୀ ଅନୁସାରେ ବଡ଼ ପଣ୍ଡା ପ୍ରତ୍ୟହ କରମା ବାଈର ଘର ଦେଇ ପ୍ରତ୍ୟୁଷରେ ଯାଆନ୍ତି । ଗଲା ବେଳେ ସେ କରମାର ଘର ଚନ୍ଦନ, କସ୍ତୁରୀ କର୍ପୂର ବାସ୍ନାରେ ମହକି ଉଠୁ ଥିବାର ଦେଖନ୍ତି । ପଣ୍ଡାଙ୍କ ମନରେ ସନ୍ଦେହହେଲା । କରମାବାଈକୁ ସେ ଦିନେ ପଚାରିଲେ ଏବଂ ତାଙ୍କଠାରୁ ଶୁଣିଲେ ଯେ କେହି ଜଣେ କୃଷ୍ଣବର୍ଣ୍ଣର ବାଳକ ଆସି ତାଙ୍କ ହାତ ରନ୍ଧା ଖେଚୁଡ଼ି ଖାଇ ଯାଉଛନ୍ତି । ଏ କଥାକୁ ନେଇ ଶ୍ରୀମନ୍ଦିରରେ ସକାଳ ଧୂପରେ ଖେଚୁଡ଼ି ଭୋଗର ପ୍ରଚଳନ କରା ଯାଇଛି ବୋଲି ଜନଶୃତି ରହିଛି ।












Click it and Unblock the Notifications