Get Updates
Get notified of breaking news, exclusive insights, and must-see stories!

ଶାରଦୀୟ ପୂଜା ପରମ୍ପରାର ସମ୍ଭାର: ଚାନ୍ଦିମେଢର ଇତିହାସ

ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା' ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ ପୂଜା ପରମ୍ପରା ଏହାର ଦୁଇ ଶତାବ୍ଦୀ ପରେ କଟକରେ ଆରମ୍ଭ କରାଯାଇଥିଲା। ଚୈତନ୍ୟଦେବ ଓଡ଼ିଶାରେ ପାଦ ଦେବା ପରେ କଟକ ସହରରେ ଶାରଦୀୟ ପୂଜାର ଭିତ୍ତି ପଡ଼ିଥିବା ଅନୁମାନ କରାଯାଏ। ୧୫୧୦ରେ ଚୈତନ୍ୟଦେବଙ୍କ ସହ ଓଡ଼ିଆ ଆସିଥିବା ବାନାର୍ଜୀ ପରିବାର ପ୍ରଥମେ ଏଠାରେ ଦୁର୍ଗାଦେବୀଙ୍କ ପୂଜା ଆରମ୍ଭ କରିଥିଲେ। ବିନୋଦବିହାରୀରେ ଆରମ୍ଭ ହୋଇଥିଲା ଦେବୀଙ୍କ ଘଟପୂଜା। ୧୫୧୪ରେ ଦେବୀଙ୍କ ମୃଣ୍ମୟୀ ପ୍ରତିମା ଗଢ଼ାଯାଇ ଦେବୀ ଉପାସନା କରାଗଲା । ଏହାର ଦୁଇ ଶତାବ୍ଦୀ ପରେ ମାଛୁଆ ବଜାରରେ ଦେବୀଙ୍କ ମୂର୍ତ୍ତି ପୂଜାର ଶୁଭାରମ୍ଭ ହୋଇଥିଲା।

ବଡ଼ଭଉଣୀର ଆଖ୍ୟା ପାଇଛନ୍ତି ବିନୋଦବିହାରୀର ମୃଣ୍ମୟୀ ଦେବୀ

୧୯୦୦ ମସିହା ପୂର୍ବରୁ କଟକ ସହରରେ ୫/୬ଟି ଦୁର୍ଗାମେଢ଼ ସାଙ୍ଗକୁ ୧୦ଟି ଅନ୍ୟ ମେଢ଼ କରାଯାଉଥିଲା, ଯାହା ଏବେ ବୃଦ୍ଧି ପାଇ ଶହେ ଟପିଲାଣି। କିନ୍ତୁ ବିନୋଦବିହାରୀ ସର୍ବପୁରାତନ ପୂଜା ମଣ୍ଡପ ହୋଇଥିବାରୁ ଏହାକୁ ସହରର ସବୁ ପୂଜା କମିଟି ଭିତରେ ବଡ଼ଭଉଣୀର ଆଖ୍ୟା ମିଳିଛି। ଏଠିକାର ପୂଜା ନୀତିକାନ୍ତି, ମେଢ଼ ଏବେ ବି ନିଜର ସ୍ୱାତନ୍ତ୍ର୍ୟତା ବଜାୟ ରଖିଆସିଛି। ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ଯାଏ ଦୀର୍ଘ ୧୬ ଦିନ ଧରି କଟକର ବିଭିନ୍ନ ଶକ୍ତିପୀଠରେ ଦେବୀଙ୍କ ପୂଜାର୍ଚ୍ଚନା, ଉପଚାର, ବେଶ ଚାଲେ। ମୃଣ୍ମୟୀ ମୂର୍ତ୍ତି ଓ ଘଟ ସ୍ଥାପନ ପରେ ମହାସପ୍ତମୀରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଦଶହରାର ଯାକଜମକ କଟକବାସୀଙ୍କୁ ଚଳଚଞ୍ଚଳ ଓ ଉତ୍ସବମୁଖର କରିଦିଏ।

ମେଢ଼ରେ ଜରି, ଚାନ୍ଦି, ସୁନାର ଚମକ

କଟକ ଦଶରା'ର ଏକ ପ୍ରମୁଖ ବିଶେଷତା ହେଉଛି ଏହାର ମେଢ଼। ତାରକସିର ସହରରେ ପ୍ରଥମେ ଦେବୀଙ୍କ ଅଭ୍ର, କାଗଜ ଓ ସୋଲରେ ମେଢ଼ ତିଆରି ହେଉଥିଲା। ଏହାପରେ ଜରିମେଢ଼ ଓ ପରକୁ ପର ଚାନ୍ଦି ମେଢ଼, ସୁନା ମୁକୁଟ ଦଶହରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଆଗେ ସୁନା, ରୁପା ଜାଗାରେ ଜରିମେଢ଼ ହେଉଥିଲା, ଯାହା ରୁପେଲି ଓ ସୁନେଲି ରଙ୍ଗରେ ଦେଖଣାହାରୀଙ୍କ ଆଖି ଝଲସାଇ ଦେଉଥିଲା। ମଙ୍ଗଳାବାଗର ଜରିନିର୍ମିତ ସୁନେଲି ମେଢ଼ ବହୁବର୍ଷ ଧରି ଆକର୍ଷଣ ସାଜିଥିଲା। କ୍ରମେ ଚାନ୍ଦିମେଢ଼ ଏହାର ଜାଗା ନେଲା। କିନ୍ତୁ ଏବେ ବି କଟକ ସହରର ଅନେକ ପୂଜା ମଣ୍ଡପରେ ଜରିମେଢ଼ ନିଜ ଆକର୍ଷଣ ପୂର୍ବପରି ବଜାୟ ରଖିଛି।

୧୯୫୬ ମସିହାରେ କଟକରେ ପ୍ରଥମ ଚାନ୍ଦିମେଢ଼ ଦେଖିବାକୁ ମିଳିଥିଲା। ଚୌଧୁରୀ ବଜାର ପୂଜାମଣ୍ଡପରେ ଚାନ୍ଦିମେଢ଼ରେ ଶୋଭା ପାଇଥିଲେ ଦେବୀ ଦୁର୍ଗା। ୧୯୯୧ରେ ଶେଖ୍‌ ବଜାର ଦ୍ୱିତୀୟ ଚାନ୍ଦିମେଢ଼ କରିଥିବା ସୂଚନା ରହିଛି। ଏହାପରେ ଚାନ୍ଦି ମେଢ଼ ତାଲିକାରେ ଚାଉଳିଆଗଞ୍ଜ, ଅଲିଶାବଜାର, ଚାନ୍ଦିନୀଚୌକ, ଶଙ୍କରପୁର, ରାଣୀହାଟ, ହରିପୁର-ଦୋଳମୁଣ୍ଡାଇ, ତୁଳସୀପୁର, କାଠଗଡ଼ା ସାହି, ମାଛୁଆ ବଜାର, ଖାନନଗର-ଖପୁରିଆ, ଶିଖରପୁର, ଫିରିଙ୍ଗିବଜାର, ବାଲୁବଜାର, ବାଖରାବାଦ, ପିଠାପୁର, କାଳିଗଳି, ଗଣେଶଘାଟ ସାମିଲ ହୋଇଥିଲା। ମା'ଙ୍କ ସୁନା ମୁକୁଟ ମଧ୍ୟ ପ୍ରଥମେ ତିଆରି କରିଥିଲା ଚୌଧୁରୀ ବଜାର। ଏହାପରେ ଶେଖବଜାର, ଚାଉଳିଆଗଞ୍ଜ, ରାଣୀହାଟରେ ମା'ଙ୍କ ମୁଣ୍ଡରେ ଶୋଭା ପାଇଥିଲା ସୁନା ମୁକୁଟ।

ଷୋଡ଼ଶ ବେଶ ନିଅନ୍ତି ମା' କଟକ ଚଣ୍ଡୀ

କଟକର ଦୁଇ ପ୍ରମୁଖ ଦେବୀ ହେଉଛନ୍ତି ମା' ଗଡ଼ଚଣ୍ଡୀ ଓ କଟକଚଣ୍ଡୀ। ଶାରଦୀୟ ପୂଜାରେ ମା' କଟକ ଚଣ୍ଡୀ ଷୋଡ଼ଶ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶ ଭିତରେ ରହିଛି ମା'ଙ୍କର ସିଂହବାହିନୀ, ରାଜରାଜେଶ୍ୱରୀ, ଭୁବନେଶ୍ୱରୀ, ତ୍ରିପୁର ଗୌରବୀ, ମାତଙ୍ଗୀ, ଉଗ୍ରତାରା, ଜୟଦୁର୍ଗା, ସିଦ୍ଧେଶ୍ୱରୀ, ଗାୟତ୍ରୀ, ହଂସବାହିନୀ, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ମହିଷମର୍ଦ୍ଦିନୀ।

ଶରତରେ ଶାରଦୀୟ ପୂଜା ପରମ୍ପରାର ସମ୍ଭାର

ଶାରଦୀୟ ଦୁର୍ଗାପୂଜାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଦଶହରାରେ ଅନେକ ବୈଚିତ୍ର୍ୟ ରହିଛି। ଶାରଦୀୟ ଅବକାଶରେ କେଉଁଠି ରାମଲୀଳା, ରାବଣପୋଡ଼ି ହୁଏ ତ ଅନ୍ୟ କେଉଁଠି ଶସ୍ତ୍ରପୂଜା, ଭାଇ ଜିଉଁତିଆ ବା ଦୁର୍ଗାବ୍ରତ ପାଳନ କରାଯାଏ। ସେହିପରି ପଶ୍ଚିମ ଓଡ଼ିଶାରେ ଛତର ଯାତ୍ରା, ଢେଙ୍କାନାଳର ଭୁବନରେ ବଳଦଯାତ୍ରା, କୋରାପୁଟ ଜିଲ୍ଲା ଜୟପୁରରେ ଲାଠିଯାତ୍ରା, ଯାଜପୁରରେ ମା' ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। କିଛି ସ୍ଥାନରେ ଗୋସାଣି ଯାତ୍ରା, ଦସାୟେଁ ନୃତ୍ୟ ଚାଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+