ଭାରତ ବିପକ୍ଷ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ସିରିଜ ପାଇଁ ସ୍କ୍ୱାଡ୍ ଘୋଷଣା କଲା ନ୍ୟୁଜିଲାଣ୍ଡ
ନ୍ୟୁଜିଲାଣ୍ଡ କ୍ରିକେଟ୍ ଆସନ୍ତା ମାସରେ ଭାରତ ଗସ୍ତ ପାଇଁ ତାର ଦିନିକିଆ ଏବଂ ଟି-ଟ୍ୱେଣ୍ଟି ଦଳ ଘୋଷଣା କରିଛି । ଏହି ଗସ୍ତ ଜାନୁଆରୀ ୧୧ ତାରିଖରେ ଭଦୋଦରାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ସହିତ ଆରମ୍ଭ ହେବ । ଏହା ପରେ ଜାନୁଆରୀ ୨୧ ତାରିଖରୁ ନାଗପୁରରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବ । ଏହି ଗସ୍ତରେ ଅନେକ ଯୁବ ଏବଂ ଅନକ୍ୟାପ୍ ଖେଳାଳିଙ୍କୁ ସୁଯୋଗ ମିଳିଛି । ବାମହାତୀ ଦ୍ରୁତ ବୋଲର ଜେଡେନ୍ ଲେନକ୍ସ ପ୍ରଥମ ଥର ପାଇଁ ସିନିୟର ଦଳରେ ଏଣ୍ଟ୍ରୀ କରିଛନ୍ତି । ଲେନକ୍ସ ଦିନିକିଆ ଦଳରେ ସାମିଲ ଅଛନ୍ତି । ଅନ୍ୟ ଅନକ୍ୟାପ୍ ଖେଳାଳିଙ୍କ ମଧ୍ୟରେ ବୋଲିଂ ଅଲରାଉଣ୍ଡର କ୍ରିଶ୍ଟିଆନ୍ କ୍ଲାର୍କ , ଲେଗ୍-ସ୍ପିନିଂ ଅଲରାଉଣ୍ଡର ଆଦିତ୍ୟ ଅଶୋକ, ସିମ୍-ବୋଲିଂ ଅଲରାଉଣ୍ଡର ଜୋଶ କ୍ଲାର୍କସନ ଏବଂ ଦ୍ରୁତ ବୋଲର ମାଇକେଲ ସାମିଲ ଅଛନ୍ତି । ଯିଏ ସମ୍ପ୍ରତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ମାଇକେଲ ବ୍ରେସୱେଲ୍ ଦିନିକିଆ ଦଳର ନେତୃତ୍ୱ ନେବେ । ଟି-ଟ୍ୱେଣ୍ଟି ବିଶ୍ୱକପ ଆଗକୁ ଥିବାରୁ ଟି-ଟ୍ୱେଣ୍ଟି ସିରିଜ ବେଶ୍ ଗୁରୁତ୍ୱ ବହନ କରିବ ।

ODI ଦଳର ଅଧିନାୟକ ବଦଳିଲେ- ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଗ୍ରୋଇନ୍ ଆଘାତରୁ ସୁସ୍ଥ ହେଉନଥିବାରୁ ମାଇକେଲ ବ୍ରେସୱେଲ୍ ଏକଦିବସୀୟ ଦଳର ନେତୃତ୍ୱ ନେବେ । ସାଣ୍ଟନର ଟି-୨୦ ସିରିଜରେ ଦଳର ନେତୃତ୍ୱ ନେବେ । ଟି-୨୦ ଦଳରେ ପାୱାର ହିଟର ବେଭନ୍ ଜାକବ୍ସ ଏବଂ ଟିମ୍ ରବିନସନ୍, ମାର୍କ ଚାପମ୍ୟାନ୍ ଏବଂ ମ୍ୟାଟ୍ ହେନରୀ ମଧ୍ୟ ସାମିଲ ଅଛନ୍ତି । ହେନରୀ ଦିନିକିଆ ସିରିଜରୁ ବାଦ ରହିବେ । ସେ ଟି-୨୦ ଏବଂ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ହେବା ଦରକାର ।
କେନ୍ ୱିଲିୟମସନ ଦିନିକିଆ ସିରିଜରୁ ବାଦ- କେନ୍ ୱିଲିୟମସନ୍ ODI ସିରିଜ୍ ପାଇଁ ଉପଲବ୍ଧ ନାହାଁନ୍ତି । ସେ ଦକ୍ଷିଣ ଆଫ୍ରିକାର SA20 ଲିଗରେ ଡର୍ବାନ ସୁପରଜିଆଣ୍ଟ୍ସ ପାଇଁ ଖେଳିବେ । ନାଥନ୍ ସ୍ମିଥ୍ , ୱିଲିୟମ୍ ଓ'ରୌର୍କ ଏବଂ ବ୍ଲେୟାର ଟିକନରଙ୍କ ସମେତ ଅନ୍ୟ ଅନେକ ଖେଳାଳି ଆହତ ସମସ୍ୟା ପାଇଁ ବାଦ ପଡିଛନ୍ତି । ଟମ୍ ଲାଥମ୍ ମଧ୍ୟ ଦିନିକିଆ ସିରିଜରେ ଖେଳିବେ ନାହିଁ । ରଚିନ୍ ରବିନ୍ଦ୍ର ଏବଂ ଜାକବ୍ ଡଫିଙ୍କୁ ଘରୋଇ ସିଜିନ ପରେ ଦିନିକିଆରୁ ବିଶ୍ରାମ ଦିଆଯାଇଛି ।
ନ୍ୟୁଜିଲାଣ୍ଡ ଦିନିକିଆ ଦଳ : ମାଇକେଲ୍ ବ୍ରେସୱେଲ୍ ( ଅଧିନାୟକ), ଆଦି ଅଶୋକ, କ୍ରିଶ୍ଚିଆନ କ୍ଲାର୍କ , ଜୋଶ କ୍ଲାର୍କସନ , ଡେଭନ କନୱେ , ଜ୍ୟାକ ଫାଉଲକ୍ସ , ମିଚ୍ ହେ ( ୱିକେଟକିପର ), କାଇଲ ଜାମିସନ , ନିକ୍ କେଲି , ଜୟଡେନ ଲେନକ୍ସ , ଡାରିଲ ମିଚେଲ , ହେନରୀ ନିକୋଲ୍ସ , ଗ୍ଲେନ ଫିଲିପ୍ସ , ମାଇକେଲ ରେ, ୱିଲ ୟଙ୍ଗ ।
ନ୍ୟୁଜିଲାଣ୍ଡ ଟି-୨୦ ଦଳ : ମିଚେଲ ସାଣ୍ଟନର (ଅଧିନାୟକ), ମାଇକେଲ ବ୍ରେସୱେଲ , ମାର୍କ ଚାପମ୍ୟାନ୍ , ଡେଭନ କନୱେ ( ୱିକେଟକିପର ), ଜାକବ୍ ଡଫି , ଜ୍ୟାକ ଫାଲ୍କସ , ମ୍ୟାଟ୍ ହେନରୀ , କାଇଲ ଜାମିସନ , ବେଭନ ଜାକବ୍ସ , ଡାରିଲ ମିଚେଲ , ଜେମ୍ସ ନୀଶାମ , ଗ୍ଲେନ ଫିଲିପ୍ସ , ରାଚିନ ରବିନ୍ଦ୍ର , ଟିମ୍ ରବିନସନ୍ , ଇଶ ସୋଦି ।












Click it and Unblock the Notifications