ବାଂଲାଦେଶ ଗସ୍ତ କରିବେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) !
ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ନିଜ ଜାଲରେ ନିଜେ ଫସିବାକୁ ଯାଉଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)ର କିଛି ଉଚ୍ଚସ୍ତରୀୟ ଅଧିକାରୀ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ବାଂଲାଦେଶ ଗସ୍ତ କରିବେ ବୋଲି ଆଶା କରାଯାଉଛି। ଏହି ଗସ୍ତ ସମୟରେ, ICC ପ୍ରତିନିଧି ଦଳ ବିସିବି ଅଧିକାରୀଙ୍କ ସହିତ ବିଶ୍ୱକପ୍ ପ୍ରସଙ୍ଗରେ ଆଲୋଚନା କରିବେ ।

୨୦୨୬ ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବ । ଏହି ମ୍ୟାଚ୍ କୋଲକାତାରେ ଖେଳାଯିବାର କାର୍ଯ୍ୟକ୍ରମ ଅଛି। ହେଲେ ସୁରକ୍ଷା ଦୃଷ୍ଟିରୁ ବିସିବି ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବାକୁ ମନା କରିଛି ।
ସୂଚନା ମିଳିଛି ଯେ, ICC ଏବଂ BCB ମଧ୍ୟରେ ହେବାକୁ ଥିବା ଏକ ବୈଠକରେ T20 ବିଶ୍ୱକପରେ ବାଂଲାଦେଶର ଅଂଶଗ୍ରହଣ ଏବଂ ଏହାର ମ୍ୟାଚ୍ ପାଇଁ ସ୍ଥାନ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ଅଛି। ବର୍ତ୍ତମାନର କାର୍ଯ୍ୟସୂଚୀ ଅନୁଯାୟୀ, ବାଂଲାଦେଶର ମ୍ୟାଚ୍ କୋଲକାତା ଏବଂ ମୁମ୍ବାଇରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବାଂଲାଦେଶ କ୍ରିକେଟ୍ ବୋର୍ଡ ଜିଦ୍ ଧରିଛି ଏବଂ ଏହାର ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବାକୁ ଦାବି କରିଛି । କିନ୍ତୁ ICC ବିସିବିର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି।
ବାଂଲାଦେଶ ସରକାରଙ୍କ କ୍ରୀଡା ପରାମର୍ଶଦାତା ଆସିଫ୍ ନଜରୁଲ୍ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି। ସେ ବାଂଲାଦେଶ ଦଳର ମ୍ୟାଚ୍ ପାକିସ୍ତାନକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ, ଆଇସିସି ବାଂଲାଦେଶର ସ୍ଥାନ ପରିବର୍ତ୍ତନ ଦାବିକୁ ଗ୍ରହଣ କରିଛି ଏବଂ ଭାରତରେ ବାଂଲାଦେଶୀ ଖେଳାଳିମାନଙ୍କ ପ୍ରତି ବିପଦ ଥିବା କଥା ସ୍ୱୀକାର କରିଛି। କିନ୍ତୁ ବାଂଲାଦେଶ କ୍ରିକେଟ ବୋର୍ଡ ନଜରୁଲଙ୍କ ଦାବିରେ ସତତ୍ୟ ନଥିବା ସ୍ପଷ୍ଟ କରିଛି । ବିସିବି ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଆଇସିସି ପ୍ରତିନିଧି ଦଳ କ'ଣ ନିଷ୍ପତ୍ତି ନେଉଛନ୍ତି ଏବେ ତା ଉପରେ ସମସ୍ତଙ୍କ ନଜର ରହିବ।












Click it and Unblock the Notifications