ଲକ୍ଷ୍ମଣଙ୍କୁ ମୁଖ୍ୟ ପ୍ରଶିକ୍ଷକ କରିବ ବିସିସିଆଇ !
ଦିନିକିଆ ଓ ଟି୨୦ ଫର୍ମାଟରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଭଲ ପ୍ରଦର୍ଶନ କରୁଥିବା ବେଳେ ଟେଷ୍ଟ କ୍ରିକେଟରେ ନୈରାଶ୍ୟଜନକ ରହିଛି। ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ନିକଟରୁ ଟେଷ୍ଟ ଶୃଙ୍ଖଳା ୦-୨ରେ ପରାଜୟକୁ ବିସିସିଆଇ ଗୁରୁତର ସହ ନେଇଛି। ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ବିସିସିଆଇ ଚିନ୍ତା ପ୍ରକଟ କରିବା ସହ ନୂତନ ପ୍ରଶିକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୌତମ ଗମ୍ଭୀରଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ ନେଇ ଯୋଜନା କରାଯାଉଥିବା ରିପୋର୍ଟ ପ୍ରକାଶ ପାଇଛି।

ଗତ ୨୦୨୪ରେ ଭାରତ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ନିକଟରୁ ଟେଷ୍ଟ ଶୃଙ୍ଖଳାକୁ ୦-୩ରେ ପରାଜିତ ହୋଇଥିଲା। ଏହାଛଡ଼ା ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ନିକଟରୁ ୧-୩ରେ ପରାଜିତ ହୋଇଥିଲା। ୨୦୨୫ରେ ଘରୋଇ ପଡ଼ିଆରେ ଦକ୍ଷିଣ ଆଫ୍ରିକା ନିକଟରୁ ଟେଷ୍ଟ ଶୃଙ୍ଖଳା ୦-୨ରେ ପରାଜିତ ହୋଇଥିଲା। ନାଲି ବଲ ଓ ଧଳାବଲ କ୍ରିକେଟରେ ଭାରତର ଭିନ୍ନଭିନ୍ନ ପ୍ରଦର୍ଶନ ଦେଖିବାକୁ ମିଳୁଛି। ବିଭିନ୍ନ ଫର୍ମାଟରେ ଭିନ୍ନଭିନ୍ନ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବିସିସିଆଇ ଲକ୍ଷ୍ମଣଙ୍କୁ ମୁଖ୍ୟ ପ୍ରଶିକ୍ଷକ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିସିସିଆଇ ମୁଖ୍ୟ ପ୍ରଶିକ୍ଷକ ନେଇ ଲକ୍ଷ୍ମଣଙ୍କୁ ପ୍ରସ୍ତାବ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ଲକ୍ଷ୍ମଣ ଏବେ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସିର କ୍ରିକେଟ ମୁଖ୍ୟ ରହିଥିବାବେଳେ ଭାରତୀୟ ସୀମିତ ଓଭର କ୍ରିକେଟ ଦଳର ପ୍ରଶିକ୍ଷକ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି। ଟେଷ୍ଟ କ୍ରିକେଟରେ ଗତ ୧୪ ମାସ ହେବ ଭାରତର ପ୍ରଦର୍ଶନ ଖରାପ ରହିଛି।
ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ୨୦୨୩-୨୫ ଫାଇନାଲ ଖେଳିବାକୁ ଭାରତ ବଞ୍ଚିତ ହୋଇଥିବାବେଳେ ୨୦୨୫-୨୭ର ଏବେ ସୁଦ୍ଧା ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଫାଇନାଲରେ ପହଞ୍ଚିବା ନେଇ ଭାରତ ପାଇଁ ଏବେ ପଥ କଷ୍ଟକର ମନେ ହେଉଛି। ଭାରତ ଆଗକୁ ଶ୍ରୀଲଙ୍କା ବିପକ୍ଷରେ ଶ୍ରୀଲଙ୍କାରେ ଦୁଇଟି ଟେଷ୍ଟ ଖେଳିବା ପରେ ଘରୋଇ ପଡ଼ିଆରେ ନ୍ୟୁଜିଲାଣ୍ଡ ସହ ଦୁଇଟି ଓ ଅଷ୍ଟ୍ରେଲିଆ ସହ ୩ଟି ଟେଷ୍ଟ ମ୍ୟାଚ ଖେଳିବ। ଉକ୍ତ ୭ଟି ଟେଷ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଲକ୍ଷ୍ମଣଙ୍କୁ ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ନେଇ ଯୋଜନା କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଦକ୍ଷିଣ ଆଫ୍ରିକା ନିକଟରୁ ଟେଷ୍ଟ ଶୃଙ୍ଖଳା ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା। ତାଙ୍କୁ ପ୍ରଶିକ୍ଷକ ପଦରୁ ବିଦା କରାଯିବା ନେଇ ଖବର ସାମ୍ନାକୁ ଆସିଥିଲା ।
ଏପରିକି ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ନାମ ସମ୍ଭାବ୍ୟ ନୂତନ ପ୍ରଶିକ୍ଷକ ଭାବରେ ସାମ୍ନାକୁ ଆସିଥିଲା। ବିସିସିଆଇ କିନ୍ତୁ ଏହି ରିପୋର୍ଟକୁ ଅସ୍ୱୀକାର କରିଥିଲା। ଏବେ ବିସିସିଆଇ ଆନୁଷ୍ଠାନିକ ଭାବରେ ପ୍ରତିକ୍ରିୟା ଦେଇ ଏହି ରିପୋର୍ଟ ଗୁଡ଼ିକୁ କେବଳ ମିଛ ବୋଲି କହିଛି । ଗୌତମ ଗମ୍ଭୀରଙ୍କ ଇସ୍ତଫା ଏବଂ ଭିଭିଏସ ଲକ୍ଷ୍ମଣ ଭାରତୀୟ ଟେଷ୍ଟ ଦଳର ନୂତନ ପ୍ରଶିକ୍ଷକ ହେବା ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ସତ୍ୟହୀନ ବୋଲି ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି। ୨୦୨୫ ବର୍ଷ ନିଶ୍ଚିତ ଭାବରେ ଭାରତୀୟ ଦଳ ଏବଂ ଗୌତମ ଗମ୍ଭୀରଙ୍କ ପାଇଁ ବିବାଦରେ ପରିପୂର୍ଣ୍ଣ ହୋଇଛି। ଏହା ମଧ୍ୟ ସତ୍ୟ ଯେ ଏହି ବର୍ଷ ଭାରତୀୟ ଦଳ ଆଇସିସି ଚମ୍ପିଆନ୍ସ ଟ୍ରଫି ଏବଂ ଏସିଆ କପ୍ ଜିତିଥିଲା ଏବଂ ଧଳା ବଲ୍ କ୍ରିକେଟରେ ଦଳର ପ୍ରାଧାନ୍ୟ ଜାରି ରହିଥିଲା।
ତଥାପି, କିଛି ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପରାଜୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ମନୋନୟନକାରୀଙ୍କ ଉପରେ ପ୍ରଶ୍ନ ଉଠାଇଛି। ବିସିସିଆଇ ନୂତନ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ନେଇ ଯୋଜନା କରୁଥିବାବେଳେ ଏବେ ଗମ୍ଭୀରଙ୍କ ପାଇଁ ଟି୨୦ ବିଶ୍ବକପ ଟାଇଟଲ ଭାରତ ବଜାୟ ରଖିବା ବଡ଼ ଆହ୍ବାନ ହୋଇଛି।












Click it and Unblock the Notifications