ଦୋଷୀ ସାବ୍ୟସ୍ତ ହେଲେ ନିର୍ବାଚନ ଲଢିପାରିବେ କି ରାହୁଲ ? ହରାଇବେ କି ସାଂସଦ ପଦ... ଜାଣନ୍ତୁ କଣ କହୁଛି ଆଇନ

ନୂଆଦିଲ୍ଲୀ : ଗୁଜୁରାଟର ସୁରଟ ଜିଲ୍ଲା କୋର୍ଟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ 'ମୋଦୀ' ସରନେମ ବୟାନ ଉପରେ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କୁ କୋର୍ଟ ଦୁଇ ବର୍ଷ ଜେଲ୍ ଦଣ୍ଡିତ କରିଛନ୍ତି । କିନ୍ତୁ ପରେ କୋର୍ଟ 30 ଦିନ ପାଇଁ ଜାମିନ୍ ଦେଇଛନ୍ତି ।
ବର୍ତ୍ତମାନ କୋର୍ଟଙ୍କ ଦଣ୍ଡାଦେଶ ପରେ ପ୍ରଶ୍ନ ଉଠୁଛି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ରାହୁଲ ଗାନ୍ଧୀଙ୍କ ରାସ୍ତା ବନ୍ଦ ହୋଇଯିବ କି ? ସେ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ କି ? ତାଙ୍କ ସାଂସଦ ପଦବୀ ଚାଲିଯିବ କି ? ଆସନ୍ତୁ ଜାଣିବା ସେ ନେଇ କଣ କହୁଛି ଆଇନ...
ଲୋକ ପ୍ରତିନିଧୀ ଅଧିନିୟମ, 1951 ର ଧାରା 8 (3) ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ଦୁଇ ବର୍ଷ କାରାଦଣ୍ଡ ତାଙ୍କୁ ଲୋକସଭାରୁ ଅଯୋଗ୍ୟ କରୁଛି । କେବଳ ଏତିକି ନୁହେଁ, ସେ ଦଣ୍ଡ ଶେଷ କରିବା ପରେ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିବାକୁ ମଧ୍ୟ ଅଯୋଗ୍ୟ ଅଟନ୍ତି ।
ଚାଲିଯିବ ରାହୁଲଙ୍କ ସଦସ୍ୟତା !
ଯଦି ପ୍ରଶାସନ ସୁରଟର ନିମ୍ନ ଅଦାଲତର ନିଷ୍ପତ୍ତିର କପିକୁ ଲୋକସଭା ସଚିବାଳୟକୁ ପଠାଏ, ଏହା ପରେ ଯଦି ଲୋକସଭା ବାଚସ୍ପତି ଏହାକୁ ଗ୍ରହଣ କରନ୍ତି, ତେବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଚାଲିଯିବ । ଯଦି ଏପରି ପରିସ୍ଥିତି ଉପୁଜେ ତେବେ ରାହୁଲ ଗାନ୍ଧୀ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ।
ଲୋକ ପ୍ରତିନିଧୀ ଅଧିନିୟମ 1951 ର ଧାରା 8 (1) ଏବଂ 8 (2) ଅନୁଯାୟୀ, ଯେଉଁଠାରେ ଦୋଷୀ ବ୍ୟକ୍ତିଙ୍କୁ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷଣା କରୁଥିବା ବେଳେ 8 (3) ରେ ଦୁଇ ବର୍ଷ କିମ୍ବା ତା'ଠାରୁ ଅଧିକ ସମୟ ପାଇଁ ଦଣ୍ଡିତ ହୋଇଥିବା ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ବିଷୟରେ ଆଲୋଚନା ହୋଇଛି ।
କଣ ରହିଛି ବିକଳ୍ପ ?
ଏହା ପରେ ବି ରାହୁଲ ଗାନ୍ଧୀଙ୍କ ନିକଟରେ ଦୁଇଟି ବିକଳ୍ପ ରହିଛି । ଏହା ଫଳରେ ସେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ରାହୁଲ ଗାନ୍ଧୀ ପ୍ରଥମେ ହାଇକୋର୍ଟରେ ଆବେଦନ କରିବେ, ଯଦି ଏଠାରୁ ଆଶ୍ୱସ୍ତି ନ ମିଳେ, ତେବେ ସେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ । ଯଦି ଏଠାରୁ ମଧ୍ୟ କୌଣସି ଆଶ୍ୱସ୍ତି ନ ମିଳେ, ତେବେ ତାଙ୍କ ନିକଟରେ ଆଉ କୌଣସି ଉପାୟ ରହିବ ନାହିଁ । ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇପାରେ ଏବଂ 6 ବର୍ଷ ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉପରେ ରୋକ ଲଗାଯାଇପାରେ ।












Click it and Unblock the Notifications