ଓଡ଼ିଶାରୁ ହୋଇପାରନ୍ତି ଆଗାମୀ ରାଷ୍ଟ୍ରପତି, କଳ୍ପନାଜଳ୍ପନାରେ ରହିଛି ଦୁଇ ଆଦିବାସୀ ଚେହେରା
ରାଜନୈତିକ କରିଡ଼ରରେ ଚର୍ଚ୍ଚାରେ ଥିବା ଏହି ଦୁଇ ଆଦିବାସୀ ଚେହେରା ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ।
ନୂଆଦିଲ୍ଲୀ : ଓଡ଼ିଶାରୁ ହୋଇପାରନ୍ତି ଭାରତର ଆଗାମୀ ରାଷ୍ଟ୍ରପତି । ମିଳିଥିବା ସୂଚନା ଅନୁସାରେ ଦେଶର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ଜଣେ ଆଦିବାସୀ ଚେହାରାକୁ ସାମ୍ନାକୁ ଆଣିବା ନେଇ ଆଲୋଚନା ଜାରି ରଖିଛି । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସ ଭବନରେ ବିଜେପିର ଓଡ଼ିଶା ସାଂସଦମାନଙ୍କୁ ଏକ ଜଳଖିଆ ପାଇଁ ନିମନ୍ତ୍ରଣ କରିଥିଲେ । ଏହି ସମୟରେ ରାଷ୍ଟ୍ରପତି ପଦବୀକୁ ନେଇ ଦୁଇ ଓଡ଼ିଆଙ୍କ ନାମ ଉପରେ ଆଲୋଚନା ହୋଇଥିବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ରାଜନୈତିକ କରିଡ଼ରରେ ଚର୍ଚ୍ଚାରେ ଥିବା ଏହି ଦୁଇ ଆଦିବାସୀ ଚେହେରା ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ । ଏହି ଦୁଇ ଓଡ଼ିଆଙ୍କ ମଧ୍ୟରୁ ଜଣକୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ଆଜି ସକାଳେ ଦିଲ୍ଲୀ କାର୍ଯ୍ୟାଳୟରେ ଆଲୋଚନା ହୋଇଛି ବୋଲି କୁହାଯାଉଛି । ଏହା ମଧ୍ୟ କୁହାଯାଉଛି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପସନ୍ଦରେ ରହିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ। ଦ୍ୱିତୀୟ ପସନ୍ଦରେ ରହିଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ ।
ଏହି ଦୁଇ ଆଦିବାସୀ ଚେହେରାଙ୍କ ନାମକୁ ନେଇ ଆଲୋଚନା ହେବା ପରେ ବର୍ତ୍ତମାନ ତେଜିଛି ରାଜନୈତିକ ଚର୍ଚ୍ଚା ।
କାହିଁକି ଓଡିଶା ଉପରେ ନଜର
ରାଷ୍ଟ୍ରପତି ନିର୍ବାଚନ ପାଇଁ ପରୋକ୍ଷରେ ମତଦାନ ହୋଇଥାଏ। ବିଭିନ୍ନ ରାଜ୍ୟର ନିର୍ବାଚିତ ସାଂସଦ ଏବଂ ବିଧାୟକମାନେ ଭୋଟ ଦିଅନ୍ତି। ତେବେ ଏଥିପାଇଁ ଆବଶ୍ୟକ ଭୋଟ ପାଇଁ ବିଜୁ ଜନତା ଦଳ ଉପରେ ବିଜେପି ନିର୍ଭର କରିବ। ଓଡିଶାରୁ ପ୍ରାର୍ଥୀ ହେଲେ ସୁବିଧାରେ ବିଜେଡ଼ିର ସମର୍ଥନ ପାଇବ ବୋଲି କୁହାଯାଉଛି। ସେହିପରି ଦୁଇ ଆଦିବାସୀ ଚେହେରା ମୟୁରଭଞ୍ଜର ଥିବାରୁ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଜେପିର ଆଦିବାସୀ କାର୍ଡ ଖେଳିବାକୁ ସୁହାଇବା ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି । ଏହା ବ୍ୟତୀତ ଓଡ଼ିଶାରେ 2024 ସାଧାରଣ ନିର୍ବାଚନ ଓ ଲୋକସଭା ନିର୍ବାଚନରେ ବିଜେପି ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ଏହି ଆଦିବାସୀ କାର୍ଡ ଖେଳୁଥିବା ମଧ୍ୟ ଆଲୋଚନା ହେଉଛି ।
ଆପଣଙ୍କୁ କହି ରଖୁଛୁ ଆସନ୍ତା ଜୁଲାଇରେ ଦେଶର ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ଦେଶରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ।












Click it and Unblock the Notifications