ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା, ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ଦେଲେ ଇସ୍ତଫା
ଶୁକ୍ରବାର ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।
West Bengal Assembly Election 2021 : କୋଲକାତା : ଆଉ ତିନି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ । ଏନେଇ ସମସ୍ତ୍ ରାଜନାତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ସହ ନିର୍ବାଚନୀ ମଇଦାନରେ ପରସ୍ପରକୁ ଦେଉଛନ୍ତି କଡ଼ା ଟକ୍କର । ଏହି ସମୟରେ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସକୁ ଲାଗିଛି ଝଟକା । ଜଣକ ପରେ ଜଣେ ମନ୍ତ୍ରୀ ତଥା ଟିଏମସିର ଟାଣୁଆ ନେତା ଦଳ ଛାଡ଼ୁଛନ୍ତି । ଶୁକ୍ରବାର ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ତାଙ୍କ ପଦରୁ ଇସ୍ତଫା ଦେଇଥିବା ନେଇ ଖବର ଆସିଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦେଇଥିବା ଇସ୍ତଫା ପତ୍ରରେ ରାଜୀବ ଲେଖିଛନ୍ତି ଯେ, ମୁଁ ତୁରନ୍ତ କ୍ୟାବିନେଟ ମନ୍ତ୍ରୀ ପଦ (ବନ ମନ୍ତ୍ରଣାଳୟ) ରୁ ଇସ୍ତଫା ଦେଉଛି । ମୋର କାର୍ଯ୍ୟକାଳ ମଧ୍ୟରେ ମୁଁ ବଙ୍ଗଳାବାସୀଙ୍କ ପାଇଁ ସେବା କରିବାର ସୁଯୋଗ ପାଇଥିବା ମୋ ସୌଭାଗ୍ୟ ଏବଂ ସମ୍ମାନର ବିଷୟ । ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ (ମମତା ବାନାର୍ଜୀ)ଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି । ଏହି ଇସ୍ତଫା ପତ୍ରର ଏକ ନକଲ କପି ସେ ରାଜ୍ୟପାଳ ଜଗଦୀପ ଧନକରଙ୍କ ନିକଟକୁ ପଠାଇଛନ୍ତି । ରାଜ୍ୟପାଳ ତୁରନ୍ତ ଏହି ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି ।
ଇସ୍ତଫା ଦେବା ପରେ ଟିଏମସି ନେତା ରାଜୀବ ବାନାର୍ଜୀ କହିଛନ୍ତି ଯେ, ମୁଁ ଅତ୍ୟଧିକ ବିବ୍ରତ ଏବଂ ମାନସିକ ସ୍ତରରେ ଆଶାନ୍ତ ଅଛି । ଯେଉଁଥିପାଇଁ ମୋତେ ଏହି ପଦକ୍ଷେପ ନେବାକୁ ପଡିଲା । ଏହି ପଦକ୍ଷେପ ନେବା ପରେ ମଧ୍ୟ ମୋ ମାନସିକ ପରିସ୍ଥିତି ଠିକ୍ ନାହିଁ । ବହୁ ବର୍ଷର ମାର୍ଗଦର୍ଶନ ପାଇଁ ମୁଁ ମମତା ବାନାର୍ଜୀଙ୍କ ନିକଟରେ କୃତଜ୍ଞ । ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି, କିନ୍ତୁ ମୁଁ ବଙ୍ଗଳାବାସୀଙ୍କ ପ୍ରତି ମୋର ପ୍ରତିବଦ୍ଧତା ରହିଛି ।
କ'ଣ ହୋଇପାରେ ଇସ୍ତଫା ଦେବାର କାରଣ ?
ଆପଣଙ୍କୁ କହି ରଖୁଛୁ, କିଛି ଦିନ ପୂର୍ବରୁ ଟିଏମସି ଛାଡ଼ି ବିଜେପିରେ ଯୋଦ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ପରି ରାଜୀବ ମଧ୍ୟ ଦୀର୍ଘ ଦିନ ଧରି ପାର୍ଟି ଉପରେ ନାରାଜ ଥିଲେ । ଏନେଇ ସେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ତିନିଥର ସାକ୍ଷାତ କରି ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲେ । ହାୱଡ଼ା ଏବଂ ବଙ୍ଗଳାର ଅନେକ ଜିଲ୍ଲାରେ ତାଙ୍କର ଭଲ ପ୍ରଭାବ ରହିଛି । ସୂଚନାନୁସାରେ, ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ଏବଂ ପ୍ରଶାନ୍ତ କିଶୋର ପାର୍ଟିରେ ହସ୍ତକ୍ଷେପ କରୁଥିବା ନେଇ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଅନେକ ଥର ସେ ସଭାରେ ସେ ଏନେଇ କହିଛନ୍ତି ମଧ୍ୟ ।
ବିଜେପିରେ ଯୋଗ ଦେବେ କି ?
ବିହାର ବିଜୟ ପରେ ଉତ୍ସାହିତ ହୋଇ ବିଜେପି ପଶ୍ଚିମବଙ୍ଗରେ ମଧ୍ୟ ତାର ସମସ୍ତ ଶକ୍ତି ଲଗାଇଦେଇଛି । ଜାନୁଆରୀ 30 ରେ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ବିଜେପି ନେତା ଅମିତ ଶାହା ବଙ୍ଗଳା ଗସ୍ତ କରିବେ । ସୂଚନାନୁସାରେ, ଯଦିଓ ରାଜୀବ ବାନାର୍ଜୀ ଏପର୍ଯ୍ୟନ୍ତ ଟିଏମସିରୁ ଇସ୍ତଫା ଦେଇନାହାଁନ୍ତି, ଶାହାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଶୁଭେନ୍ଦୁ ମଧ୍ୟ ମନ୍ତ୍ରୀ ପଦରୁ ପ୍ରଥମେ ଇସ୍ତଫା ଦେଇଥିଲେ, ଏହା ପରେ ସେ ଅମିତ ଶାହାଙ୍କ ଉପସ୍ଥିତିରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ ।












Click it and Unblock the Notifications