ମେଣ୍ଟକୁ ନେଇ ଏପରି କାହିଁକି କହିଲେ ପାଣ୍ଡିଆନ, ‘ସରକାର ଗଢିବାକୁ ବିଜେଡ଼ିକୁ ବିଜେପିର ସହାୟତା ଆବଶ୍ୟକ ନାହିଁ’
ଭୁବନେଶ୍ୱର: ଲୋକସଭା ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବିଜେଡ଼ି-ବିଜେପି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଜୋର୍ ଧରିଛି । ଦୁଇ ଦଳ ମଧ୍ୟରେ ମେଣ୍ଚ ହେବା ନେଇ ଆଲୋଚନା ହେଉଥିବା ବେଳେ ଏଥି ମଧ୍ୟରେ ବଡ଼ ବୟାନ ଦେଇଛନ୍ତି 5 ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
ଏକ ଗଣମାଧ୍ୟମର କାର୍ଯ୍ୟକ୍ରମରେ ସାମିଲ ହୋଇ ପାଣ୍ଡିଆନ୍ କହିଛନ୍ତି ନିର୍ବାଚନ ଜିତିବାକୁ ବିଜେଡ଼ିକୁ ବିଜେପିର ଆବଶ୍ୟକତା ନାହିଁ । ଏପରିକି କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବାକୁ ହେଲେ ବିଜେଡିର ସହଯୋଗ ଆବଶ୍ୟକ ପଡ଼ିନପାରେ । ତେବେ ଦୁଇଟି ଦଳ ନିଜ ନିଜ ସ୍ଥାନରେ ମଜବୁତ ଅଛନ୍ତି ବୋଲି କହିଛନ୍ତି ।
ଏହା ସହ ସେ କହିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଜଣେ ଜଣେ ଷ୍ଟେଟସମ୍ୟାନ । ରାଜନୀତି ବାଦ୍ ମଧ୍ୟ ଦୁଇ ଜଣ ଭଲ ବନ୍ଧୁ । ମେଣ୍ଟ ବାବଦରେ ସେ କେବଳ କହିଛନ୍ତି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏକାଠି ହୋଇପାରନ୍ତି । କିନ୍ତୁ ହେବ କି ନାହିଁ ସ୍ପଷ୍ଟ କରିନାହାନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ହେବେ ଏବଂ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି ।

ଶ୍ରୀ ପାଣ୍ଡିଆନ୍ ଆହୁରି କହିଛନ୍ତି ଯେ, ଜଣେ କଣ ପାଇଁ ମେଣ୍ଟରେ ସାମିଲ ହେବ ? ଜଣେ ନିର୍ବାଚନ ଜିତିବାକୁ ମେଣ୍ଟରେ ସାମିଲ ହୁଏ । ହେଲେ ଏଠାରେ ମୁଖ୍ୟମନ୍ତ୍ରୀ ବେଶ ଲୋକପ୍ରିୟ ଆଉ ସେ ଲଗାତାର ନିର୍ବାଚନ ଜିତୁଛନ୍ତି । ନବୀନ ପଟ୍ଟନାୟକଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ । ଖାଲି ସେତିକି ନୁହେଁ, ବିଜେଡିକୁ ବିଜେପିର ଆବଶ୍ୟକତା ନାହିଁ, ବିଜେପିକୁ ମଧ୍ୟ କେନ୍ଦ୍ରରେ ସରକାର ଗଢିବାକୁ ବିଜେଡିର ଆବଶ୍ୟକତା ନାହିଁ ।
ଭାରତୀୟ ରାଜନୀତିରେ ଶାସନରେ ଥିବା ଦଳ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେବା କ୍ବଚିତ ଦେଖିବାକୁ ମିଳିଥାଏ । କିନ୍ତୁ ଓଡିଶାରେ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ କାହିଁକି ମେଣ୍ଟ ହେଉଛି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଲୋକଙ୍କ ସେବା ପାଇଁ ଶାସନକୁ ଫେରିବାକୁ ନବୀନ ପଟ୍ଟନାୟକଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ । ବର୍ତ୍ତମାନ ଆସୁଥିବା ସବୁ ସର୍ଭେ ରିପୋର୍ଟ କହୁଛି ନିଃସନ୍ଦେହରେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ମୋ ମତରେ କିଛି କଥା ରାଜନୀତିର ଉର୍ଦ୍ଧ୍ବରେ ଥାଏ । ଏହା ଦୁଇ ବିଶିଷ୍ଟ ରାଜନେତାଙ୍କ ରାଷ୍ଟ୍ରନୀତିଜ୍ଞ ହେବାର ସଂକେତ । ଏକ ମହତ ଉଦ୍ଦେଶ୍ୟ ପାଇଁ ଉଭୟ ଏକାଠି ହେବେ । ଏଥିରେ କୌଣସି ରାଜନୀତି ନାହିଁ ବୋଲି ସେ କହିଛନ୍ତି । ବିଜେପି କିମ୍ବା ବିଜେଡି ପାଇଁ ଏଥରେ କୌଣସି ନିର୍ବାଚନୀ ମୂଲ୍ୟ ନାହିଁ ।












Click it and Unblock the Notifications