ଉତ୍ତରପ୍ରଦେଶ ମତଦାନ 2022 : ୟୁପି ନିର୍ବାଚନରେ ଆଜି 'ଯାଦବ ବେଲ୍ଟ'ର ପର୍ଯ୍ୟାୟ, ବାଜିରେ ଅଖିଳେଶ ଯାଦବଙ୍କ ପ୍ରତିଷ୍ଠା
ଆଜି ଯେଉଁ ଅଞ୍ଚଳରେ ମତଦାନ ହେଉଛି ସେହି ଅଞ୍ଚଳ ସାଧାରଣତଃ ‘ଯାଦବ ବେଲ୍ଟ' ଭାବେ ପରିଚିତ । ଏହି ଅଞ୍ଚଳଗୁଡିକ ସମାଜବାଦୀ ପାର୍ଟି (ସପା) ର ଗଡ଼ ବୋଲି ବିବେଚନା କରାଯାଏ ।
ଲକ୍ଷ୍ନୌ : କଡ଼ା ସୁରକ୍ଷା ମଧ୍ୟରେ ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେଉଛି । ଆଜି ଏଠାରେ 59 ଟି ଆସନ ପାଇଁ ମତଦାନ ଚାଲିଛି । ୟୁପିର ଶେଷ ଦୁଇଟି ପର୍ଯ୍ୟାୟରେ ଫେବୃଆରୀ 10 ଏବଂ 14 ରେ ମତଦାନ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶର 113 ଟି ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ବନ୍ଦ ରହିଛି । ଆଜି ଯେଉଁ ଅଞ୍ଚଳରେ ମତଦାନ ହେଉଛି ସେହି ଅଞ୍ଚଳ ସାଧାରଣତଃ 'ଯାଦବ ବେଲ୍ଟ' ଭାବେ ପରିଚିତ । ଏହି ଅଞ୍ଚଳଗୁଡିକ ସମାଜବାଦୀ ପାର୍ଟି (ସପା) ର ଗଡ଼ ବୋଲି ବିବେଚନା କରାଯାଏ ।

ବୁନ୍ଦେଲଖଣ୍ଡ ରୁ ଅୱଧ ଅଞ୍ଚଳ ପର୍ଯ୍ୟନ୍ତ 16 ଟି ଜିଲ୍ଲାରେ ଥିବା 59 ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ରହିଛି ମୈନପୁରୀର କରହଲ ଆସନ, ଯେଉଁଠାରୁ ସପା ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହି ଆସନରୁ ବିଜେପି ପ୍ରାର୍ଥୀ ଏସପି ସିଂହ ବାଘେଲ ତାଙ୍କ ବିପକ୍ଷରେ ଥିବାରୁ ଏଥର ଲଢେଇ ଅତ୍ୟନ୍ତ ରୋଚକ ହୋଇଛି । ଏହି ବିଧାନସଭା ଆସନରେ ପାଖାପାଖି 3 ଲକ୍ଷ 70 ହଜାର ଭୋଟର ଅଛନ୍ତି । ଯେଉଁଥିରୁ 1 ଲକ୍ଷ 40 ହଜାର ଯାଦବ ଭୋଟ ଥିବାବେଳେ ଏଠାରେ 14 ହଜାର ମୁସଲମା ଭୋଟର ଅଛନ୍ତି ।
ସମାଜବାଦୀ ପାର୍ଟି ସର୍ବଦା ମୈନପୁରୀର ଭଲପାଇବା ପାଇଆସୁଛି କିନ୍ତୁ ଏଥର ବିଜେପି ଏହାର ଦୁର୍ଗ ଭାଙ୍ଗିବାକୁ ଜୋରଦାର ପ୍ରୟାସ କରିଛି । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସିଏମ ଯୋଗୀ ଏହି ଆସନ ପାଇଁ ଦୁଇଟି ରାଲି କରିଛନ୍ତି । ସେହିପରି ଅଖିଳେଶଙ୍କ ଦାଦା ଶିବପାଲ ଯାଦବ ଇଟାୱାର ଜସୱନ୍ତନଗର ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଯଦି ଆମେ 2017 ବର୍ଷ ବିଷୟରେ କହିବା, ତେବେ ଗତ ଥର ବିଜେପି ଏହି ସ୍ଥାନଗୁଡିକରେ ଚମତ୍କାର ପ୍ରଦର୍ଶନ କରିଥିଲା, ଏହା ଏଠାରେ 49 ଟି ସିଟ୍ ଜିତିଥିଲାବେଳେ ସପା ଆକାଉଣ୍ଟରେ କେବଳ 9 ଟି ସିଟ୍ ଏବଂ ଗୋଟିଏ ସିଟ୍ କଂଗ୍ରେସକୁ ଯାଇଥିଲା । ଆଜି ପର୍ଯ୍ୟନ୍ତ ଏହା ସପାର ସବୁଠାରୁ ଖରାପ ପ୍ରଦର୍ଶନ ଥିଲାବେଳେ ବିଏସପି ହାତ ଖାଲି ରହିଥିଲା । ମୋଦୀ ଲହର ଏଠାରେ ସପାକୁ ଅତି ଦୟନୀୟ ଭାବେ ପରାସ୍ତ କରିଥିଲା, କିନ୍ତୁ ଚଳିତ ଥର ଏହି କ୍ରମକୁ ବଜାୟ ରଖିବାରେ ବିଜେପି ପୁଣିଥରେ ସଫଳ ହେବ କି ନାହିଁ, ମାର୍ଚ୍ଚ 10 ରେ ନିର୍ବାଚନ ଫଳାଫଳ ପରେ ତାହା ଜଣାପଡିବ ।
ସୂଚନାଯୋଗ୍ୟ ଯେ ତୃତୀୟ ପର୍ଯ୍ୟାୟରେ ପଶ୍ଚିମ ଉତ୍ତରପ୍ରଦେଶର ପାଞ୍ଚଟି ଜିଲ୍ଲା, ଫିରୋଜାବାଦ, ମୈନପୁରୀ, ଏଟା, କାସଗଞ୍ଜ, ହାଥରସ ଏବଂ ଅୱଧ ଅଞ୍ଚଳର 6 ଟି ଜିଲ୍ଲା କାନପୁର, କାନପୁର ଦେହାତ୍, ଔରୌୟା, କନ୍ନୌଜ, ଇଟାୱା, ଫାରୁଖାବାଦ ଏବଂ ବୁନ୍ଦେଲଖଣ୍ଡର ପାଞ୍ଚଟି ଜିଲ୍ଲା ଝାନସୀ, ଜାଲୌନ୍, ଲଲିତପୁର, ହମିରପୁର ଏବଂ ମହୋବା ରେ ମତଦାନ ହେଉଛି ।












Click it and Unblock the Notifications