କିଏ ଏହି ପ୍ରତୀମା ଭୌମିକ୍, ଯିଏ ହୋଇପାରନ୍ତି ତ୍ରିପୁରାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସ୍ଥାନରେ ପ୍ରତୀମା ଭୌମିକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି । କୁହାଯାଉଛି ଯେ ଏହା ମାଧ୍ୟମରେ ଦଳ ସାରା ଦେଶରେ ମହିଳା ଭୋଟରଙ୍କୁ ଏକ ସଙ୍କେତ ଦେବାକୁ ଚାହୁଁଛି ।

ଅଗରତାଲା : ବିଜେପି ତ୍ରିପୁରାରେ ପୁଣି କ୍ଷମତାକୁ ଫେରିଛି । ତଥାପି ଆଲୋଚନା ହେଉଛି ଯେ, ଦଳ 2024 ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିପାରେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମାଣିକ ସାହାଙ୍କ ସ୍ଥାନରେ ପ୍ରତୀମା ଭୌମିକଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି କଳ୍ପନାଜଳ୍ପନା ଲାଗି ରହିଛି । କୁହାଯାଉଛି ଯେ ଏହା ମାଧ୍ୟମରେ ଦଳ ସାରା ଦେଶରେ ମହିଳା ଭୋଟରଙ୍କୁ ଏକ ସଙ୍କେତ ଦେବାକୁ ଚାହୁଁଛି । କାରଣ, ମହିଳାମାନଙ୍କୁ ରାଜ୍ୟର ସର୍ବୋଚ୍ଚ ପଦ ଦେବାରେ ଏପର୍ଯ୍ୟନ୍ତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପଛରେ ରହିଛନ୍ତି । ତ୍ରିପୁରାରୁ ବିଜେପି ଏହି ଧାରା ପରିବର୍ତ୍ତନ କରିବାକୁ ଚାହୁଁଛି ।
ତେବେ ବର୍ତ୍ତମାନ ପ୍ରସଙ୍ଗ ହେଉଛି କିଏ ଏହି ପ୍ରତୀମା ଭୌମିକ୍, ଯାହାକୁ ତ୍ରିପୁରାର ସିଏମ୍ କରିବା ବିଷୟରେ ଆଲୋଚନା ହେଉଛି ।
ପ୍ରତୀମା ଭୌମିକ୍ ବର୍ତ୍ତମାନ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଜ୍ୟମନ୍ତ୍ରୀ ଅଛନ୍ତି । ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ ଧାନପୁର ଆସନରୁ ଟିକେଟ୍ ଦେଇଥିଲା । ଏହି ଆସନରେ ସେ ସିପିଏମ୍ ର କୌଶିକ ଚନ୍ଦାଙ୍କୁ 3500 ଭୋଟରେ ପରାସ୍ତ କରିଛନ୍ତି । ତ୍ରିପୁରାର ଧନପୁର ବିଧାନସଭା ଆସନ କୌଣସି ସାଧାରଣ ଆସନ ନୁହେଁ । ଏହି ଆସନ ମୁଖ୍ୟମନ୍ତ୍ରୀ ଚୟନ କରିବାରେ ବଡ଼ ଇତିହାସ ରହିଛି । ସିପିଏମ୍ ଭେଟେରାନ୍ ମାଣିକ୍ ସରକାର ଏଠାରୁ 5 ଥର ନିର୍ବାଚିତ ହୋଇସାରିଛନ୍ତି । 2018 ରେ ମଧ୍ୟ ସେ ଏଠାରୁ ନିର୍ବାଚନରେ ଜିତି ରାଜ୍ୟ ବିଧାନସଭାରେ ବିରୋଧୀ ଦଳର ନେତା ହୋଇଥିଲେ । ପ୍ରତୀମା ଭୌମିକ୍ ମଧ୍ୟ ପଶ୍ଚିମ ତ୍ରିପୁରା ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି । ବର୍ତ୍ତମାନ ତାଙ୍କୁ ସଂସଦର ସଦସ୍ୟତା କିମ୍ବା ବିଧାନସଭା ଠାରୁ କେବଳ ଗୋଟିଏ ପଦ ବାଛିବାକୁ ପଡିବ ।
ଆରଏସଏସ ଦ୍ୱାରା ପ୍ରଭାବିତ ହୋଇ ବିଜେପିରେ ହୋଇଥିଲେ ସାମିଲ
1991 ରେ ପ୍ରତୀମା ବିଜେପିରେ ଯୋଗ ଦେଇଥିଲେ ଏବଂ ସେବେଠାରୁ ଦଳରେ ନିଜର ପତିଆରା ବୃଦ୍ଧି କରି ଚାଲିଛନ୍ତି । ସେ କୃଷକ ପରିବାରରୁ ଆସିଛନ୍ତି ଏବଂ ନିଜର ସରଳତା ପାଇଁ ରାଜନୀତି ଜଗତରେ ଜଣାଶୁଣା । ସେ ତ୍ରିପୁରାର ରାଜଧାନୀ ଅଗରତାଲାର ମହିଳା କଲେଜରେ ଅଧ୍ୟୟନ କରିଥିଲେ । ବାୟୋ ସାଇନ୍ସରେ ସେ ଡିଗ୍ରୀ ହାସଲ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ ଏବଂ ସେଥିପାଇଁ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।
କଣ ରହିଛି ରାଜନୈତିକ କ୍ୟାରିଅର ?
ବିଜେପିରେ ସାମିଲ ହେବା ପରେ ତାଙ୍କର ରାଜନୈତିକ କ୍ୟାରିୟର ଧିରେ ଧିରେ ବୃଦ୍ଧି ପାଇଥିଲା । 1992 ରେ ସେ ତ୍ରିପୁରାରେ ବିଜେପିର ରାଜ୍ୟ କମିଟିର ସଦସ୍ୟ ହୋଇଥିଲେ । ସେହି ବର୍ଷ 53 ବର୍ଷୀୟ ନେତା ଧନପୁର ମଣ୍ଡଳର ନେତା ଭାବରେ ନିଯୁକ୍ତ ହୋଇଥିଲେ । ପରେ ସେ ତ୍ରିପୁରା ବିଜେପି ମହିଲା ମୋର୍ଚ୍ଚାର ସଭାପତି ହୋଇଥିଲେ ଏବଂ ଦଳର ଯୁବ ୱିଙ୍ଗରେ ମଧ୍ୟ ସହଯୋଗ କରିଥିଲେ । ଦୁଇ ବର୍ଷ ଧରି ରାଜ୍ୟ ବିଜେପି ଉପାଧ୍ୟକ୍ଷ ହେବା ପରେ ଦଳ ତାଙ୍କୁ 2018 ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଥିଲା । ଏହି ନିର୍ବାଚନରେ ବିଜେପି ରାଜ୍ୟରେ ବଡ ବିଜୟ ହାସଲ କଲା ଏବଂ ସିପିଏମ୍ କୁ ଶାସନ ଗାଦିରୁ ହଟାଇଥିଲା ।
ଲୋକସବା ନିର୍ବାଚନରେ 3 ଲକ୍ଷ ଭୋଟରେ ଜିତିଥିଲେ
2019 ଲୋକସଭା ନିର୍ବାଚନରେ ପ୍ରତୀମା ପଶ୍ଚିମ ତ୍ରିପୁରା ଆସନରେ 3 ଲକ୍ଷରୁ ଅଧିକ ଭୋଟ୍ ଜିତିଥିଲେ । ସେ ତ୍ରିପୁରାର ପ୍ରଥମ ମହିଳା ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ ହୋଇଥିବା ରାଜ୍ୟର ପ୍ରଥମ ସ୍ଥାୟୀ ବାସିନ୍ଦା ହୋଇଥିଲେ ।












Click it and Unblock the Notifications