ନିର୍ବାଚନ ପ୍ରସ୍ତୁତି ତଦାରଖ କରିବା ପାଇଁ ଆଜିଠାରୁ ତିନି ଦିନିଆ ୟୁପି ଗସ୍ତରେ ନିର୍ବାଚନ କମିଶନ
ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିବାକୁ ନିର୍ବାଚନ ଆୟୋଗ ଦଳ ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମଧ୍ୟ ଆୟୋଗର ଏହି ଦଳରେ ସାମିଲ ରହିବେ ।
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିବାକୁ ନିର୍ବାଚନ ଆୟୋଗ ଦଳ ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମଧ୍ୟ ଆୟୋଗର ଏହି ଦଳରେ ସାମିଲ ରହିବେ । ଦେଶରେ ଓମିକ୍ରନ୍ ଭାରିଆଣ୍ଟର ବିପଦ ଏବଂ କରୋନା ଭାଇରସ ମହାମାରୀର ତୃତୀୟ ଲହର ହେବାର ଆଶଙ୍କା ମଧ୍ୟରେ ନିର୍ବାଚନ ଆୟୋଗର ଏହି ତିନି ଦିନିଆ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ଏହାପୂର୍ବରୁ ସୋମବାର ଦିନ ଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏହା ପରେ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ ପାଞ୍ଚଟି ନିର୍ବାଚନ ରାଜ୍ୟରେ ଟୀକାକରଣ ଅଭିଯାନକୁ ଜୋରଦାର କରିବାକୁ କହିଥିଲେ ।
ଆପଣଙ୍କୁ କହି ରଖୁଛୁ, ଆସନ୍ତା ବର୍ଷ ପାଞ୍ଚଟି ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପୂର୍ବରୁ ନିର୍ବାଚନ ଆୟୋଗ ପଞ୍ଜାବ, ଗୋଆ ଏବଂ ଉତ୍ତରାଖଣ୍ଡ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ତଦାରଖ କରିଛନ୍ତି । ୟୁପିରେ ନିର୍ବାଚନ ଆୟୋଗର ଏହି ଗସ୍ତ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି କାରଣ ନିକଟରେ ଆହ୍ଲାବାଦ ହାଇକୋର୍ଟ କରୋନା ବିପଦକୁ ଦୃଷ୍ଟିରେ ରଖି ବିଧାନସଭା ନିର୍ବାଚନକୁ କିଛି ମାସ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ ଅପିଲ୍ କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ ଯଦି ନିର୍ବାଚନ ରାଲି ବନ୍ଦ ନହୁଏ ତେବେ ମହାମାରୀର ଦ୍ୱିତୀୟ ଲହର ଅପେକ୍ଷା ଅବସ୍ଥା ଆହୁରି ଖରାପ ହେବ ।
ଗତ ଶୁକ୍ରବାର ଦିନ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ଆବେଦନ ଉପରେ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କୁ ଏକ ପ୍ରଶ୍ନରେ ସେ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆୟୋଗର ଟିମ୍ ୟୁପି ପରିଦର୍ଶନ କରିବେ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ନିଷ୍ପତ୍ତି ନେବେ । ଏଥି ସହିତ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ନିର୍ବାଚନ ଆୟୋଗର ବୈଠକ ପରେ ଆୟୋଗ ନିର୍ବାଚନ ସ୍ଥଗିତ ରଖିବା ସପକ୍ଷରେ ନାହାଁନ୍ତି ବୋଲି ସୂତ୍ରରୁ ପ୍ରକାଶ । ତେବେ ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି । ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗ ଆସନ୍ତା ମାସରେ ନିର୍ବାଚନ ତାରିଖ ଘୋଷଣା କରିପାରିବେ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications