କଂଗ୍ରେସରେ ଜି -23 ନାମକ କୌଣସି ଗୋଷ୍ଠୀ ନଥିଲା, ଏସବୁ ଗଣମାଧ୍ୟମ ପ୍ରଚାର କରିଥିଲା - ଶଶି ଥରୁର
ଶଶି ଥରୁର କହିଛନ୍ତି ଯେ ଜି -23 ନାମକ କୌଣସି ଗୋଷ୍ଠୀ ନାହିଁ, ଏହା ଗଣମାଧ୍ୟମ ଦ୍ୱାରା ସୃଷ୍ଟି ହୋଇଛି ।
ନୂଆଦିଲ୍ଲୀ : କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପଦ ପାଇଁ ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ମଧ୍ୟରେ ସିଧାସଳଖ ପ୍ରତିତ୍ୱନ୍ଦିତା ହେଉଛି । ଦଳର ଏକ ଭାଗ ଶଶି ଥରୁରଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠାଉଛି କାରଣ ସେ ଜି -23 ର ଏକ ଅଂଶ ଥିଲେ । ଜି -23 ହେଉଛି ଏ ଗୋଷ୍ଠୀ ଯିଏକି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ପାର୍ଟିରେ ପରିବର୍ତ୍ତନ ବିଷୟରେ ଚିଠି ଲେଖିଥିଲେ । କିନ୍ତୁ ବର୍ତ୍ତମାନ ଏହି ଜି -23 ଦଳକୁ ନେଇ ଶଶି ଥରୁର ଏକ ବଡ ବିବୃତ୍ତି ଦେଇଛନ୍ତି ।

ଶଶି ଥରୁର କହିଛନ୍ତି ଯେ ଜି -23 ନାମକ କୌଣସି ଗୋଷ୍ଠୀ ନାହିଁ, ଏହା ଗଣମାଧ୍ୟମ ଦ୍ୱାରା ସୃଷ୍ଟି ହୋଇଛି । ଥରୁର କହିଛନ୍ତି ଯେ ସେହି ସମୟରେ ଦେଶରେ କରୋନା ଲହର ଥିଲା ଏବଂ ଲକଡାଉନ୍ ଲାଗିଥିଲା । ସେତେବେଳେ ପ୍ରାୟ 100 ନେତା କଂଗ୍ରେସ ଦଳ ମଧ୍ୟରେ ପରିବର୍ତ୍ତନ ବିଷୟରେ କହିଥିଲେ । କିନ୍ତୁ ଲକଡାଉନ୍ ହେତୁ ଦିଲ୍ଲୀରେ କେବଳ 23 ନେତା ଉପଲବ୍ଧ ଥିଲେ, ଯେଉଁମାନେ ଏହି ଚିଠିରେ ଦସ୍ତଖତ କରିଥିଲେ । ଏହି ସଦସ୍ୟମାନଙ୍କ ସଂଖ୍ୟା 100 କିମ୍ବା ଅଧିକ ହୋଇପାରେ । ତେଣୁ ଜି -23 ନାମକ କୌଣସି ଗୋଷ୍ଠୀ ନଥିଲା, ଏହାକୁ ଗଣମାଧ୍ୟମ ଦ୍ୱାରା ପ୍ରସ୍ତୁତ କରାଯାଇଛି ବୋଲି ଥରରୁ କହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମ୍ପର୍କରେ ଶଶି ଥରୁର କହିଛନ୍ତି ଯେ ଶାସକ ଦଳ ବିଜେପି ବିରୋଧରେ କଂଗ୍ରେସ କିପରି ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିପାରିବ ସେ ନେଇ ଏହି ନିର୍ବାଚନ ହେଉଛି । ଆମେ ଦୁଇଟି ନିର୍ବାଚନରେ ହାରିଛୁ, ଆମକୁ ଏକ କଂଗ୍ରେସ ଦଳ ଦରକାର ଯାହାକି ସମ୍ପୂର୍ଣ୍ଣ ଶକ୍ତିଶାଳୀ, ଯାହା ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଭାବଶାଳୀ ହୋଇଥିବ ।
ସୂଚନାୟୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅକ୍ଟୋବର 17 ରେ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର 19 ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । କିନ୍ତୁ ବହୁ ସଂଖ୍ୟକ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ସପକ୍ଷରେ ଅଛନ୍ତି, ତେଣୁ ତାଙ୍କର ବିଜୟ ନିଶ୍ଚିତ ବୋଲି କୁହାଯାଉଛି ।












Click it and Unblock the Notifications