Tamil Nadu Elections 2021 : କଂଗ୍ରେସ ଜାରି କଲା ଘୋଷଣା ପତ୍ର
ମଙ୍ଗଳବାର ଦିନ କଂଗ୍ରେସ ଦଳ ତାମିଲନାଡୁ ବିଧାନସଭା ନିର୍ବାଚନ 2021 ପାଇଁ ଘୋଷଣା ପତ୍ର ପ୍ରକାଶ କରିଛି । କଂଗ୍ରେସର ଘୋଷଣା ପତ୍ରରେ ସରକାରୀ ଚାକିରୀ ଏବଂ ମଦ ବନ୍ଦ କରିବା ନେଇ ଉଲ୍ଲେଖ କରାଯାଇଛି ।
ଚେନ୍ନାଇ : ମଙ୍ଗଳବାର ଦିନ କଂଗ୍ରେସ ଦଳ ତାମିଲନାଡୁ ବିଧାନସଭା ନିର୍ବାଚନ 2021 ପାଇଁ ଘୋଷଣା ପତ୍ର ପ୍ରକାଶ କରିଛି । କଂଗ୍ରେସର ଘୋଷଣା ପତ୍ରରେ ସରକାରୀ ଚାକିରୀ ଏବଂ ମଦ ବନ୍ଦ କରିବା ନେଇ ଉଲ୍ଲେଖ କରାଯାଇଛି । ତାମିଲନାଡୁ କଂଗ୍ରେସ ସଭାପତି କେ.ଏସ୍ ଆଲାଗିରି ଏନେଇ କହିଛନ୍ତି, ଆମ ଦଳ ସର୍ବଦା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି, ଆମ ପାଇଁ ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ହେଉଛି ପ୍ରାଥମିକତା । ଯଦି ଆମେ କ୍ଷମତାକୁ ଆସିବୁ ତେବେ ପ୍ରଥମେ ରାଜ୍ୟରୁ ମଦ ନିଷେଧ କରିବୁ । କେବଳ ଏତିକି ନୁହେଁ, ପ୍ରତ୍ୟେକ ଜିଲ୍ଲାରେ ସରକାରୀ ଚାକିରି ପାଇଁ 500 ଯୁବକଙ୍କୁ ତାଲିମ ଦିଆଯିବ । ଯୁବକମାନଙ୍କୁ ରୋଜଗାର ଦେବା ପାଇଁ ଆମେ ଯୋଜନା କାର୍ଯ୍ୟକାରୀ କରିବୁ । ଅତିକମରେ 5 ବର୍ଷ ପାଇଁ ଷ୍ଟାର୍ଟଅପ୍ ଏବଂ ନୂତନ ଉଦ୍ୟୋଗୀମାନଙ୍କୁ ମଧ୍ୟ ଟିକସ ରିହାତି ପ୍ରଦାନ କରିବୁ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ।

ସୂଚନାଯୋଗ୍ୟ, ଅପ୍ରିଲ 6 ରେ 232 ବିଧାନସଭା ଆସନ ପାଇଁ ମତଦାନ ହେବ । କରୋନା ଗାଇଡଲାଇନ ଅନୁସରଣ କରି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ପୂର୍ବରୁ ଘୋଷଣା କରିଛନ୍ତି । ଏହା ପରେ ମେ 2 ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ବର୍ତ୍ତମାନ ରାଜ୍ୟରେ AIADMK ସରକାର ଅଛି, ତେବେ ଏଥର AIADMK ଏବଂ ବିଜେପି ଏକତ୍ର ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିବାବେଳେ ବିରୋଧୀ ଦଳ ଡିଏମକେ, କଂଗ୍ରେସ ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି । ଏହି ରାଜ୍ୟରେ କ୍ଷମତା ହାସଲ ପାଇଁ ଅତି କମରେ 117 ଆସନ ହାତେଇବାକୁ ପଡ଼ିବ । ବର୍ତ୍ତମାନ ସରକାରରେ AIADMK ର 134 ଟି ଆସନ ଥିବା ବେଳେ DMK ନିକଟରେ 89 ଟି ସିଟ୍ ଅଛି । ସେହିପରି କଂଗ୍ରେସ 8 ଟି ଆସନ ଏବଂ ଆଇଏମଏଲ ଗୋଟିଏ ଆସନ ଅକ୍ତିଆର କରିଛନ୍ତି ।
ଡିଏମକେ ପ୍ରଥମେ ଜାରି କରିଥିଲା ଘୋଷଣା ପତ୍ର
ଜାଣି ରଖନ୍ତୁ, ଡିଏମକେ ଶନିବାର ଦିନ ଏହାର ଘୋଷଣା ପତ୍ର ଜାରି କରିଥିଲା । ଏଥିରେ ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ଶସ୍ତା ସହିତ 7 ଟି ପ୍ରମୁଖ ପ୍ରତିଶୃତି ଦିଆଯାଇଛି । ତାମିଲନାଡୁର ଅର୍ଥନୀତି, କୃଷି, ଜଳ ସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟ, ସହରାଞ୍ଚଳ ବିକାଶ, ଗ୍ରାମାଞ୍ଚଳର ବିକାଶ ଏବଂ ସାମାଜିକ ନ୍ୟାୟ ଉପରେ ଧ୍ୟାନ ଦେବେ ବୋଲି ଏଥିରେ କୁହାଯାଇଥିଲା ।












Click it and Unblock the Notifications