ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଧରିଲେ ସମାଜବାଦୀ ହାତ
ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି ସରକାରରେ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଭାରତୀୟ ଜନତା ପାର୍ଟି ସରକାରରେ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମୌର୍ଯ୍ୟ ମଙ୍ଗଳବାର ରାଜ୍ୟପାଳ ଆନନ୍ଦିବେନ୍ ପଟେଲଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଥିଲେ । ମୌର୍ଯ୍ୟ ବିଜେପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ୟୁପିର କୁଶୀନଗର ଜିଲ୍ଲାର ପଡରୌନା ବିଧାନସଭା ଆସନରୁ ବିଧାୟକ ।

ରାଜ୍ୟପାଳଙ୍କୁ ଦେଇଥିବା ନିଜ ଇସ୍ତଫା ପତ୍ରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି - "ମାନ୍ୟବର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଶ୍ରମ ଓ ନିଯୁକ୍ତି ଏବଂ ସମନ୍ୱୟ ମନ୍ତ୍ରୀ ଭାବରେ ମୁଁ ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଆଦର୍ଶର ସହିତ ଦାୟିତ୍ୱ ତୁଲାଇଛି । ଦଳିତ, ପଛୁଆ କୃଷକ, ବେକାର ଯୁବକ ଏବଂ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀଙ୍କ ପ୍ରତି ଅବହେଳିତ ମନୋଭାବ ହେତୁ ମୁଁ ଉତ୍ତରପ୍ରଦେଶର କ୍ୟାବିନେଟରୁ ଇସ୍ତଫା ଦେଉଛି ।"
ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସହ ଏକ ଫଟୋ ସେୟାର କରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଲେଖିଛନ୍ତି- "ସାମାଜିକ ନ୍ୟାୟ ଏବଂ ସମାନତା ପାଇଁ ଲଢୁଥିବା ଲୋକପ୍ରିୟ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ତାଙ୍କ ସହ ସମାଜବାଜୀ ପାର୍ଟିକୁ ଆସିଥିବା ଅନ୍ୟ ସମସ୍ତ ନେତା, କର୍ମୀ ଏବଂ ସମର୍ଥକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ଅଭିନନ୍ଦନ ! ସାମାଜିକ ନ୍ୟାୟ ପାଇଁ ବିପ୍ଳବ ହେବ, ବାଇଶିରେ ପରିବର୍ତ୍ତନ ହେବ ।"
ସୂଚନାଯୋଗ୍ୟ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦଶନ୍ଧି ଧରି ରାଜନୀତିରେ ଅଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପାଞ୍ଚ ଥର ବିଧାୟକ ଏବଂ ୟୁପିରେ ପଛୁଆ ଶ୍ରେଣୀର ଜଣେ ପ୍ରମୁଖ ନେତା ଭାବରେ ପରିଗଣିତ । ସେ ବିଏସପି ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଏବଂ ମାୟାବତୀଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରେ ଗଣନା କରାଯାଉଥିଲା । ସେ ଅଗଷ୍ଟ 2016 ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ବିଧାୟକ ହେବା ପରେ ଯୋଗୀ ସରକାରରେ ମନ୍ତ୍ରୀ ହୋଇଥିଲେ । ମୌର୍ଯ୍ୟଙ୍କ ଝିଅ ସଙ୍ଘମିତ୍ରା ମୌର୍ଯ୍ୟ ବନ୍ଦାୟୁ ଜଣେ ବିଜେପି ସାଂସଦ ।












Click it and Unblock the Notifications