ମମତାଙ୍କ ନାମାଙ୍କନକୁ ନେଇ ନିର୍ବାଚନ କମିଶନ ନିକଟରେ ଶୁଭେନ୍ଦୁଙ୍କ ଅଭିଯୋଗ
ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାଖଲ କରିଥିବା ନାମାଙ୍କନପତ୍ରରେ ସେ ତାଙ୍କ ବିରୋଧରେ ପଞ୍ଜୀକୃତ ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇ ରଖିଛନ୍ତି । ମମତା ବାନାର୍ଜୀଙ୍କ ବିରୋଧରେ ଏପରି 6 ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି
ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ରାଜ୍ୟରେ ବିଧାନସଭା ନିର୍ବାଚନ ମାହୋଲ ଗରମ ଥିବାବେଳେ ପ୍ରତିଦିନ କିଛି ନା କିଛି ଏପରି ଖବର ଆସୁଛି ଯାହାକି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଯାଉଛି । ଏହା ମଧ୍ୟରେ ନନ୍ଦିଗ୍ରାମ ଆସନରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଉଛି । ନନ୍ଦିଗ୍ରାମକୁ ସାଧାରଣତଃ ଟିଏମସି ଛାଡ଼ି ବିଜେପି ଟିକେଟରୁ ଲଢୁଥିବା ଶୁଭେନ୍ଦୁ ଆଧିକାରୀଙ୍କ ଗଡ଼ ବୋଲି ବିବେଚନା କରାଯାଏ । ସେ ଟିଏମସି ଛାଡ଼ିବା ପରେ ସେହି ଆସନରେ ଟିଏମସି ପକ୍ଷରୁ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ପାରମ୍ପରିକ ଆସନ ଭବାନୀପୁର ଛାଡ଼ି ଶୁଭେନ୍ଦୁଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରିବା ନେଇ ଘୋଷଣା କରିବା ସହ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି । ଏହି ସମୟରେ ଶୁଭେନ୍ଦୁ ଅଧିକାରୀ ମମତାଙ୍କ ନାମାଙ୍କନକୁ ନେଇ ଏକ ବଡ ଅଭିଯୋଗ କରିଛନ୍ତି ।

ସୋମବାର ଦିନ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାଖଲ କରିଥିବା ନାମାଙ୍କନପତ୍ରରେ ସେ ତାଙ୍କ ବିରୋଧରେ ପଞ୍ଜୀକୃତ ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୁଚାଇ ରଖିଛନ୍ତି । ଶୁଭେନ୍ଦୁ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, ମମତା ବାନାର୍ଜୀଙ୍କ ବିରୋଧରେ ଏପରି 6 ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି, ଯାହା ସେ ନିର୍ବାଚନ ଆୟୋଗଙ୍କୁ ଦେଇଥିବା ଶପଥ ପତ୍ରରେ ଉଲ୍ଲେଖ କରିନାହାଁନ୍ତି । ଏହି ପ୍ରସଙ୍ଗରେ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
'ମୁଁ ସମସ୍ତ ପ୍ରମାଣ ଦାଖଲ କରିଛି, ବର୍ତ୍ତମାନ ନିର୍ବାଚନ ଆୟୋଗଙ୍କ ହାତରେ ନିଷ୍ପତ୍ତି'
ଶୁଭେନ୍ଦୁ ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି, ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ଟିଏମସି ପ୍ରାର୍ଥୀ ଏବଂ ତାଙ୍କ ନାମାଙ୍କନପତ୍ରରେ ସେ ତାଙ୍କ ବିରୋଧରେ ପଞ୍ଜୀକୃତ 6 ଟି ଅପରାଧିକ ମାମଲା ଲୁଚାଇ ରଖିଛନ୍ତି । ଏଥିମଧ୍ୟରୁ 5 ଟି FIR 2018 ଅଟେ, ଯାହା ଅସମରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିଲା । ଏହା ସହ ଅନ୍ୟ ଏକ FIR ସିବିଆଇ ଦ୍ୱାରା ଦାଖଲ କରାଯାଇଥିଲା । ମମତା ବାନାର୍ଜୀ ମଧ୍ୟ ଏହି ଏଫଆଇଆର ମଧ୍ୟରୁ ଗୋଟିଏକୁ ଖାରଜ କରିବାକୁ କୋଲକାତା ହାଇକୋର୍ଟ ଯାଇଥିଲେ, କିନ୍ତୁ ତାଙ୍କ ଆବେଦନକୁ ରଦ୍ଦ କରିଦିଆଯାଇଥିଲା । ମୁଁ ଏ ସମ୍ପର୍କରେ ସମସ୍ତ ପ୍ରମାଣ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଛି ଏବଂ ଆୟୋଗ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବେ । ନିୟମ ସମସ୍ତଙ୍କ ପାଇଁ ସମାନ । ସେ ମୋଦୀ ହୁଅନ୍ତୁ ଏବା ମମତା କିମ୍ବା ମୁଁ ନିଜେ । ମୁଁ ମୋ ତରଫରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି । ଆଶା କରୁଛି ଖୁବ ଶୀଘ୍ର ନିର୍ବାଚନ ଆୟୋଗ ଏ ବାବଦରେ ନିଷ୍ପତ୍ତି ନେବେ ।












Click it and Unblock the Notifications