ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା, ନିର୍ବାଚନ ରଣନୀତି ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ
ଭୁବନେଶ୍ୱର: 2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ କରିବ ବିଜେପି । ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ଆସିଛି । ଏହା ପରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି ।

ଆଜି ସନ୍ଧ୍ୟାରେ ଦିଲ୍ଲୀରେ କେନ୍ଦ୍ର ନେତୃତ୍ୱଙ୍କ ସହ ବୈଠକ ହେବ । ନିର୍ବାଚନରେ ରାଜ୍ୟ ବିଜେପିର ଆଭିମୁଖ୍ୟ କଣ ରହିବ, ଦଳ କିପରି ନିର୍ବାଚନ ଲଢିବ ସେ ନେଇ ଆଲୋଚନା ହେବ । ଏହି ବୈଠକରେ ବିଜେପି ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ, କୋର କମିଟି ସଦସ୍ୟ ଉପସ୍ଥିତ ରହିବେ ।
ଏହା ସହ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ନିର୍ବାଚନ ରଣନୀତି ବାବଦରେ ଆଲୋଚନା କରିବେ ଦଳର ଶୀର୍ଷ ନେତୃତ୍ୱ । ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ସାଂସଦ ତାଲିକାରେ 195 ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିସାରିଛି । କିନ୍ତୁ ସେଥିରେ ଓଡ଼ିଶାର କାହାର ନାଁ ନାହିଁ । ଖୁବ୍ ଶୀଘ୍ର ଦଳର ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ତାଲିକା ବି ପ୍ରକାଶ ପାଇବ ବୋଲି ଶୁଣିବାକୁ ମିଳୁଛି । ଏଥିରେ ଓଡ଼ିଶାର କିଛି ପ୍ରାର୍ଥୀଙ୍କ ନାଁ ରହିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ସେ ନେଇ ବି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇ ପାରେ ବୋଲି ଆକଳନ କରାଯାଉଛି ।
ଯଦିଓ 2024 ନିର୍ବାଚନରେ ବିଜେପି ଏକାକୀ ଲଢିବ ଏବଂ କୌଣସି ମେଣ୍ଟ ହେବ ନାହିଁ ବୋଲି ମନମୋହନ ପୂର୍ବରୁ ସ୍ପଷ୍ଟ କରିଛନ୍ତି , କିନ୍ତୁ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ମୋଦୀଙ୍କ ରାଜ୍ୟ ସରକାରଙ୍କ ପ୍ରତି କୌଣସି ଟାର୍ଗେଟ୍ ନ କରିବା ଏବଂ ବିଜେଡି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିବା ଦଳୀୟ କର୍ମୀଙ୍କୁ ଶଙ୍କାରେ ପକାଉଛି । ତେଣୁ ଦିଲ୍ଲୀ ହେବାକୁ ଥିବା ବୈଠକରେ କଣ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
ଅପରପକ୍ଷରେ ଆଜି ଅପରାହ୍ନରେ ବିଜେଡ଼ି ମଧ୍ୟ ବୈଠକ ଡାକିଛି । ମୋଦୀଙ୍କ ଗସ୍ତ ପରେ ଗୋଟିଏ ଦିନରେ ଦୁଇ ଦଳର ବୈଠକ ରାଜନୈତିକ ଚର୍ଚ୍ଚାକୁ ଖୋରକ୍ ଯୋଗାଇଛି । ଏହା ପରେ ବିଜେଡି-ବିଜେପିର ବୈଠକ ଅଲଗା ହେଉଥିଲେ ମଧ୍ୟ ଏହାକୁ ଏକାଠି କରି ଦେଖିବା ଆରମ୍ଭ କରିଛନ୍ତି ରାଜନୈତିକ ବିଶ୍ଲେଷକ ।
ଏପରିକି ଏହି ଦୁଇ ବୈଠକରେ ମେଣ୍ଟ ନେଇ ନେତାଙ୍କ ଭିତରେ ଚର୍ଚ୍ଚା ଆଲୋଚନା ହେଇପାରେ ବୋଲି କୁହାଯାଉଛି । ହେଲେ ଏହା ପୂର୍ବରୁ କିନ୍ତୁ ଦୁଇ ଦଳର ନେତା ମେଣ୍ଟ ଚର୍ଚ୍ଚାକୁ ଖୋଲାଖୋଲି ଭାବେ ଗୁଜବ ବୋଲି କହିସାରିଛନ୍ତି ।












Click it and Unblock the Notifications