ରାଜନୀତିରୁ ସନ୍ୟାସ ନେବେ ସୋନିଆ ଗାନ୍ଧୀ ! ଏମିତି କହି ଦେଲେ ସଙ୍କେତ
‘ଭାରତ ଯୋଡ଼ୋ ଯାତ୍ରା' ସହିତ ମୋ ‘ଇନିଙ୍ଗସ୍'ର ପରିସମାପ୍ତି ହୋଇପାରେ ବୋଲି କହି ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି ସୋନିଆ ।

ରାୟପୁର : ରାଜନୀତିରୁ ସନ୍ୟାସ ନେଇ ପାରନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । 'ଭାରତ ଯୋଡ଼ୋ ଯାତ୍ରା' ସହିତ ମୋ 'ଇନିଙ୍ଗସ୍'ର ପରିସମାପ୍ତି ହୋଇପାରେ ବୋଲି କହି ରାଜନୀତିରୁ ସନ୍ୟାସ ନେବାର ସଙ୍କେତ ଦେଇଛନ୍ତି ସୋନିଆ । ଛତିଶଗଡ଼ରେ ଆୟୋଜିତ କଂଗ୍ରେସର ତିନି ଦିନିଆ ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଇ ସୋନିଆ ଏହା କହିଛନ୍ତି ।
ସମ୍ମିଳନୀରେ ଉପସ୍ଥିତ 15 ହଜାରରୁ ଅଧିକ ପ୍ରତିନିଧିଙ୍କୁ ଉଦ୍ବୋଧନ ଦେଇ ସୋନିଆ ଗାନ୍ଧୀ କହିଛନ୍ତି, ଡକ୍ଟର ମନମୋହନ ସିଂହଙ୍କ ଦକ୍ଷ ନେତୃତ୍ୱ ସହିତ 2004 ଓ 2009 ରେ ଆମର ବିଜୟ ମତେ ବ୍ୟକ୍ତିଗତ ସନ୍ତୋଷ ଦେଇଥିଲା । ଏହା ପରେ 'ଭାରତ ଯୋଡ଼ୋ ଯାତ୍ରା' ସଙ୍ଗେ ମୋର ଇନିଙ୍ଗ୍ସ୍ ଶେଷ ହେଉଥିବା କଥା ମତେ ଖୁବ୍ ଆନନ୍ଦିତ କରୁଛି । ଏହି ଯାତ୍ରା ନିଷ୍ପତ୍ତି ଗ୍ରହଣ କରିବାର ଅବସର ଆଣିଦେଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାମଗ୍ରିକ ଭାବେ ଦଳ ଓ ଦେଶ ଗୋଟାଏ ଆହ୍ୱାନପୂର୍ଣ୍ଣ ସମୟ ଦେଇ ଗତି କରୁଛନ୍ତି । ଏଭଳି ସମୟରେ 'ବିଜେପି-ଆର୍ଆର୍ଏସ୍' ଭାରତର ପ୍ରତିଟି ପ୍ରତିଷ୍ଠାନକୁ ଅକ୍ତିଆର କରିବସିଛନ୍ତି । ଅଳ୍ପ କେତେଜଣ ବ୍ୟବସାୟୀଙ୍କୁ ସମର୍ଥନ ଦେଇ ସେମାନେ ଦେଶର ଅର୍ଥନୀତିକୁ ଧ୍ୱଂସ କରିଛନ୍ତି ।
ବିଜେପିକୁ ଟାର୍ଗେଟ୍ କରି ସୋନିଆ କହିଛନ୍ତି ଯେ, ବିଜେପି ଦେଶରେ ଘୃଣା ସୃଷ୍ଟି କରିବାରେ ଲାଗିଛି । ଏହା ନିର୍ଦ୍ଧିଷ୍ଟ ଭାବେ ଅଳ୍ପସଂଖ୍ୟକ, ମହିଳା, ଦଳିତ ଏବଂ ଆଦାବାସୀଙ୍କୁ ଟାର୍ଗେଟ୍ କରିଥିବା ସେ କହିଥିଲେ । ତେବେ ଆମକୁ ଜୋରସୋରରେ ବିଜେପି ଶାସନକୁ ମୁକାବିଲା କରିବା, ଲୋକଙ୍କ ନିକଟରେ ପହଞ୍ଚିବା ଏବଂ ଆମର ବାର୍ତ୍ତା ସ୍ପଷ୍ଟ ଭାବରେ ଜଣାଇବା ଆବଶ୍ୟକ ବୋଲି କଂଗ୍ରେସର ସର୍ବଦଳୀୟ ଅଧିବେଶନରେ ସୋନିଆ ଗାନ୍ଧୀ କହିଛନ୍ତି ।












Click it and Unblock the Notifications