ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରିବାକୁ ମେଣ୍ଟ ଛଡ଼ିବାକୁ ପ୍ରସ୍ତୁତ ଶିବସେନା !
ବିଧାୟକ ମାନେ ସାମ୍ନାକୁ ଆସି ମହା ବିକାଶ ଅଘାଡ଼ି ମେଣ୍ଟରୁ ଅଲଗା ହେବା ନେଇ ପ୍ରସ୍ତାବ ରଖନ୍ତୁ, ଶିବସେନା ଏହା ଉପରେ ବିଚାର କରିବାକୁ ପ୍ରସ୍ତୁତ । 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ଆସନ୍ତୁ ଓ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।
ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ଶିବସେନାର ବରିଷ୍ଟ ନେତା ସଞ୍ଜୟ ରାଉତ ବିଦ୍ରୋହୀ ଗୋଷ୍ଠାଙ୍କୁ ମନାଇବା ପାଇଁ ଏକ ପ୍ରସ୍ତାବ ରଖିଛନ୍ତି । କହିଛନ୍ତି ବିଧାୟକ ମାନେ ସାମ୍ନାକୁ ଆସି ମହା ବିକାଶ ଅଘାଡ଼ି ମେଣ୍ଟରୁ ଅଲଗା ହେବା ନେଇ ପ୍ରସ୍ତାବ ରଖନ୍ତୁ, ଶିବସେନା ଏହା ଉପରେ ବିଚାର କରିବାକୁ ପ୍ରସ୍ତୁତ । 24 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର ଆସନ୍ତୁ ଓ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।

ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେ ଉଦ୍ଧବ ଠାକରେ ଖୁବ୍ ଶୀଘ୍ର ବର୍ଷା ବଙ୍ଗଳାକୁ ଫେରିବେ । ଗୌହାଟୀରେ ଥିବା ବିଧାୟକଙ୍କ ମଧ୍ୟରୁ 21 ଜଣ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି ଏବଂ ଯେତେବେଳେ ସେମାନେ ମୁମ୍ବାଇ ଫେରିବେ, ସେମାନେ ଆମ ସହିତ ରହିବେ ।
ସୂଚନାଯୋଗ୍ୟ, ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେଙ୍କ ଶିବିରରେ ବିଧାୟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶିବସେନାର ମୋଟ 55 ବିଧାୟକଙ୍କ ମଧ୍ୟରୁ 42 ବିଧାୟକ ତାଙ୍କ ଶିବିରରେ ଅଛନ୍ତି । କିଛି ସମୟ ପୂର୍ବରୁ ବିଧାୟକମାନେ ଏକ ଭିଡିଓ ଜାରି କରି ଶକ୍ତି ପ୍ରଦର୍ଶନ କରିଥିଲେ ।
ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀଙ୍କୁ ମନାଇବା ପାଇଁ ଇମୋସନାଲ କାର୍ଡ ଖେଳିଥିଲେ । ସେ କହିଥିଲେ ପୂର୍ବରୁ ଯେଉଁ ହିନ୍ଦୁତ୍ବର ଶିବସେନା ଥିଲା ଆଜି ବି ତାହା ଅଛି । ସାମ୍ନାକୁ ଆସି ଆଲୋଚନା କର । ମୁଖ୍ୟମନ୍ତ୍ରୀ ପଦ ଓ ଅଧ୍ୟକ୍ଷ ପଦ ଛାଡିବା ପାଇଁ ପ୍ରସ୍ତୁତ ଅଛି । କିନ୍ତୁ ତାଙ୍କର ଏହି ଇମୋସନାଲ କାର୍ଡ କାମ ଦେଇନଥିଲା । ବିଦ୍ରୋହୀ ବିଧାୟକମାନେ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ସେମାନଙ୍କ ନେତା ସିନ୍ଦେ ବୋଲି କହିଥିଲେ । ଏବେ ସମସ୍ତଙ୍କ ନଜର ରହିଛି କଣ ପୁଣିଥରେ ଶିବସେନା ବିଧାୟକମାନେ ଘରବାହୁଡ଼ା ହେବେ ନା ଅନ୍ୟ ଦଳ ସହ ମେଣ୍ଟ କରି ସରକାର ଗଢିବେ ।












Click it and Unblock the Notifications