‘ମୋଦୀ ଟଙ୍କାରେ ନବୀନ ଠପ୍ପା...' କହିଲେ ଶିବରାଜ, 'ଓଡ଼ିଶାରେ ଆସିବ ବିଜେପି ସରକାର...'
ଭୁବନେଶ୍ୱର: ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ଗସ୍ତରେ ବିଜେପିର ମାଳ ମାଳ କେନ୍ଦ୍ର ନେତୃତ୍ୱ । ଆଗାମୀ ନିର୍ବାଚନରେ ଓଡ଼ିଶା ଉପରେ ନଜର ରଖି ରଣନୀତି ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି । ଏହି ସମୟରେ ଆଜି ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓଡ଼ିଶାରେ ପହଞ୍ଚିଛନ୍ତି ।

ଏହି ସମୟରେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ 86 ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଥରେ କ୍ଷମତାକୁ ଆଣିବାକୁ ଚାହାଁନ୍ତି । ଲୋକସଭା ନିର୍ବାଚନରେ ବିଜେପି ବିପୁଳ ଭୋଟ ପାଇବ । ଠିକ୍ ସେହିପରି ଓଡ଼ିଶାରେ ବିଧାନସଭା ନିର୍ବାଚନରେ ବି ବିଜେପି ବହୁମତ ହାସଲ କରି ରାଜ୍ୟରେ ସରକାର ଗଢ଼ିବ । ଓଡ଼ିଶାରେ ବିଜେପି ପୂରା ତାକତ୍ରେ ଲଢ଼ିବ, ସରକାର ଗଢ଼ିବ ।
ଏହା ସହ ଶିବରାଜ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଉଥିବା ଅର୍ଥ ସଠିକ ବିନିଯୋଗ ହେଉନି । ମୋଦୀଙ୍କ ଟଙ୍କାରେ ନବୀନ ଠପ୍ପା ଲଗାଉଛନ୍ତି । ଓଡ଼ିଶାରେ ଏବେ ଆଉଟସୋର୍ସିଂ ସରକାର ଚାଲିଛି । ନବୀନ ପଟ୍ଟନାୟକ ନିଜେ ସରକାର ଚଳାଉନାହାଁନ୍ତି, ଏଠି ଅଧିକାରୀମାନେ ରାଜ୍ୟକୁ ଚଳାଉଛନ୍ତି । ସେମାନେ ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇ ଦେଇଛନ୍ତି । ଏଠାରେ ମହିଳାମାନେ ଅସୁରକ୍ଷିତ ବୋଲି ବି କହିଛନ୍ତି ଶିବରାଜ ସିଂ ଚୌହ୍ୱାନ ।
ଏହି ଗସ୍ତ ସମୟରେ ଶିବରାଜ କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ଏହା ସହ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ । ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications