ହାତ ଧରିବେ ଜୟରାମ ପାଙ୍ଗୀ, କଂଗ୍ରେସରେ ସାମିଲ ହେବା ନେଇ ଦେଲେ ସୂଚନା
କୋରାପୁଟ: ଶଙ୍ଖ, ପଦ୍ନ ପରେ ହାତ ଧରିବେ ଜୟରାମ ପାଙ୍ଗୀ । କଂଗ୍ରେସରେ ସାମିଲ ହେବେ ବରିଷ୍ଠ ନେତା ଜୟରାମ ପାଙ୍ଗୀ । ନଭେମ୍ବର 16 ରେ ଜୟରାମ କଂଗ୍ରେସରେ ଯୋଗଦେବେ । ଏ ନେଇ ସୂଚନା ଦେଇଛନ୍ତି । ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଜୟରାମ ।

ଜନତା ଦଳରୁ ବିଜେଡି ପରେ ସେ ବିଜେପି ଯାଇଥିଲେ । ହେଲେ କିଛି ଦିନ ତଳେ ବିଜେପି ଛାଡ଼ି ବିଆରଏସରେ ଯୋଗଦେଇ ଥିଲେ । ବର୍ତ୍ତମାନ ବରିଷ୍ଠ ନେତା ଜୟରାମ ପାଙ୍ଗୀ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି । ଏହାପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ BRS ଦଳରେ ପାଙ୍ଗୀ ଥିଲେ । କୋରାପୁଟରୁ ବିଜେଡି ଟିକେଟରେ ସାଂସଦ ହୋଇଥିଲେ । 2019 ରେ ବିଜେପିରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିଥିଲେ ।
ଏନେଇ ଜୟରାମ ପାଙ୍ଗୀ କହିଛନ୍ତି, ଯଦି ଭବିଷ୍ୟତରେ କେଉଁ ଦଳକୁ ଯିବି, ତାହା ହେଲେ କଂଗ୍ରେସ ଦଳକୁ ଯିବି । ମୋ ବାପା କଂଗ୍ରେସରେ ଥିଲେ । ମୋ ପରିବାର ହେଉଛି କଂଗ୍ରେସ । ସେହି ଦୃଷ୍ଟିରୁ ମୁଁ କଂଗ୍ରେସରେ ସାମିଲ ହେବି । ମୁଁ ନିକଟରେ କଂଗ୍ରେସରେ ସାମିଲ ହେବା କଥା । ହେଲେ ଛତିଶଗଡ଼ ନିର୍ବାଚନ ପାଇଁ ପ୍ରୋଗାମକୁ ଘୁଞ୍ଚାଇ ଦିଆଯାଇଛି । କିଛି ଦିନ ମଧ୍ୟରେ ମୁଁ କଂଗ୍ରେସରେ ସାମିଲ ହେବି ।
ପୂର୍ବରୁ କଂଗ୍ରେସକୁ ବିରୋଧ କରୁଥିବା ବେଳେ ଏବେ କିପରି କଂଗ୍ରେସରେ ମିଶିବେ ପ୍ରଶ୍ନରେ ଜୟରାମ କହିଛନ୍ତି, ମୁଁ ବିଜୁବାବୁଙ୍କ ଆଦର୍ଶରେ ଚାଲୁଥିଲି । ମୁଁ କୌଣସି ଦଳକୁ ବିରୋଧ କରୁ ନଥିଲି । ବିଜୁବାବୁଙ୍କ ଆଦର୍ଶକୁ ଦେଖି ରାଜନୀତିରେ ସାମିଲ ହୋଇଥିଲି । ମୁଁ କୌଣସି ଦଳ ଉପରେ ଭରସା କରୁ ନଥିଲି । ମୁଁ ନେତାଙ୍କ ଉପରେ ଭରସା କରୁଥିଲି । ଏବେ ବିଜେଡିକୁ ହରାଇବା, ଓଡ଼ିଶାରେ ସରକାର ପରିବର୍ତ୍ତନ କରିବା ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଜୟରାମ ପାଙ୍ଗୀ କହିଛନ୍ତି ।
ଜୟରାମ 4 ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । 1977 ମସିହାରେ ଜନତା ପାର୍ଟି ଟିକେଟ୍ରେ ସେ ପଟାଙ୍ଗି ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ 1990 ରେ ସେ ଏହି ଆସନରୁ ବିଜୟୀ ହୋଇଥିଲେ । ତେବେ ସେଥର ଜନତା ଦଳ ଟିକେଟ୍ରେ ବିଧାନସଭାକୁ ଯାଇଥିଲେ । 2000 ଓ 2004 ରେ ଜୟରାମ ପାଙ୍ଗୀ ବିଜେଡି ଟିକେଟ୍ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 2009 ରେ ସେ ବିଜେଡି ଟିକେଟ୍ରେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ 2017 ରେ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ । 2019 ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟ୍ରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ତେବେ ପରାସ୍ତ ହୋଇଥିଲେ ।












Click it and Unblock the Notifications