ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ପରଲୋକ, ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି
ପୂର୍ବତନ ବିଧାୟକ ଅରୁଣ ଦେଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ ।
ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅରୁଣ ଦେଙ୍କୁ ଆଜି ବିଜେଡି ଦଳୀୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଜେଡିର ନେତାମନ୍ତ୍ରୀମାନେ ଆଜି ବିଜେଡି ପାର୍ଟି ଅଫିସରେ ଅରୁଣ ଦେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଛନ୍ତି ।
ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଗତକାଲି ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଅରୁଣଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା ।

ବାମପନ୍ଥୀ ଚିନ୍ତାଧାର ସହ ଜଡ଼ିତ ଅରୁଣ ଦେ 1971 ରେ ସିପିଆଇରେ ଯୋଗ ଦେଇଥିଲେ । ସିପିଆଇ ଦଳ ସହ 1994 ପର୍ଯ୍ୟନ୍ତ ଜଡ଼ିତ ଥିଲେ । ସିପିଆଇ ପ୍ରାର୍ଥୀ ଭାବେ ସେ ତିନି ଥର ବାଲେଶ୍ୱର ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ।
1974, 1980 ଓ 1990 ରେ ସେ ତିନିଥର ସିପିଆଇରୁ ପ୍ରତିନିଧିତ୍ୱ କରି ବିଧାୟକ ହୋଇଥିଲେ । 1995 ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ । ପରେ 2004 ରେ ସେ ଓଡିଶା ଗଣ ପରିଷଦରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
1946 ଅପ୍ରେଲ 30 ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଅରୁଣ ଦେ ବୃତ୍ତିରେ ଜଣେ ଆଇନଜୀବୀ । 2009 ରେ ସେ ଓଡିଶା ଗଣ ପରିଷଦରୁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଠାରୁ ହାରିଯାଇଥିଲେ । 2009 ପରେ ସେ ଆଉ ନିର୍ବାଚନ ଜିତି ପାରିନାହାଁନ୍ତି ।
2014 ରେ ସେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ ଟିକେଟ ନପାଇବାରୁ ସେ ବିଜେଡି ଛାଡି କଂଗ୍ରେସ ପ୍ରାର୍ଥୀ ଭାବେ ବାଲେଶ୍ୱର ବିଧାନସଭା ଆସନରୁ ଲିଢିଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସଙ୍କ ଠାରୁ ହାରିଯାଇଥିଲେ । 2020 ରେ ବାଲେଶ୍ୱର ଉପନିର୍ବାଚନ ପୂର୍ବରୁ ସେ ପୁଣି ଥରେ ବିଜେଡି ଫେରିଥିଲେ ।












Click it and Unblock the Notifications