ତୁଟିଲା ସତ୍ୟବାଦୀ କଳି ! ଟିକେଟ୍ ପାଇପାରନ୍ତି ସଞ୍ଜୟ ଦାସବର୍ମା
ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲାଗି ରହିଥିବା ସତ୍ୟବାଦୀ କଳି ଉପରେ ପଡ଼ିଛି ଯବନିକା । ଏହି ଆସନ ଟିକେଟ୍ କୁ ନେଇ ବିଜେଡ଼ିରେ ତେଜିଥିଲା ବିବାଦ । ବର୍ତ୍ତମାନର ବିଧାୟକ ଉମା ସମାନ୍ତରାୟ ଓ ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଟିକେଟ୍ କୁ ନେଇ ଦେଖାଦେଇଥିଲା ବିବାଦ । ଏହା ପରେ ଏହି ବିବାଦ ଏବେ ତୁଟିଥିବା ଜଣାପଡ଼ିଛି ।

ସତ୍ୟବାଦୀରୁ ସଞ୍ଜୟ ଦାସବର୍ମାଙ୍କୁ ଟିକେଟ୍ ମିଳିପାରେ । ସେହିପରି ଉମା ସାମନ୍ତରାୟ ବ୍ରହ୍ମଗୁରିରୁ ଲଢିପାରନ୍ତି ବୋଲି ସୂଚନା ମିଳିଛି । ନବୀନ ନିବାସରେ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଦଳ ପକ୍ଷରୁ ମଧ୍ୟ ଏହା ଖୁବଶୀଘ୍ର ଘୋଷଣା କରାଯିବାର ସୂଚନା ରହିଛି ।
ସତ୍ୟବାଦୀ ଆସନ ବିବାଦକୁ ନେଇ ଗତକାଲି (ବୁଧବାର) ପ୍ରଥମେ ଶଙ୍ଖ ଭବନରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଭୟ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନବୀନ ନିବାସ ଯାଇଥିଲେ ସଞ୍ଜୟ ଦାସବର୍ମା । ଏଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା, ଯେଉଁଥିରେ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ଲଢିବେ ବୋଲି ନିଷ୍ପତ୍ତି ହୋଇଥିଲା ବୋଲି ଜଣାଯାଇଛି ।
ସୂଚନାଥାଉକି, ପ୍ରଥମେ ନିଜକୁ ସତ୍ୟବାଦୀରୁ ବିଜେଡି ପ୍ରାର୍ଥୀ ବୋଲି ସଞ୍ଜୟ ଦାସବର୍ମା ଘୋଷଣା କରୁଥିବା ନେଇ ଏକ ଭିଡିଓ ଭାଇରାଲ ପରେ ବର୍ତ୍ତମାନର ବିଧାୟକ ଉମା ସାମନ୍ତରାୟ କଡ଼ା ଟିପ୍ପଣୀ ରଖିଥିଲେ ।
ଉମା କହିଛନ୍ତି ଯେ, କିଏ କଣ କହିଲା ସେଥିରେ ଯାଏ ଆସେ ନାହିଁ । ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କଲେଣି କି ବୋଲି ପ୍ରଶ୍ନ କରିବା ସହ ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି ବୋଲି କହିଥିଲେ ଉମା । ଏଥିସହ ସତ୍ୟବାଦୀ କହିଲେ ଉମା ସାମନ୍ତରାୟଙ୍କୁ ବୁଝାଏ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।
ଏହି ଦୁଇ ନେତାଙ୍କ କଳି ତେଜିବା ପରେ ଦୁଇ ବରିଷ୍ଠ ନେତାଙ୍କୁ ଶଙ୍ଖ ଭବନ ଡକରା ହୋଇଥିଲା ।
ବର୍ତ୍ତମାନ ବଡ କଥା ହେଲା ଯଦି ଦଳ ସତ୍ୟବାଦୀରୁ ସଞ୍ଜୟଙ୍କୁ ପ୍ରାର୍ଥୀ କରେ ତାହେଲେ ଉମା ବିଦ୍ରୋହୀ ହୋଇ ବାହାରିବେ ନି ତ ? 2014 ରେ ସ୍ୱାଧୀନ ଭାବେ ଜିତିଥିବା ଉମା ପରେ BJD ଟିକେଟରୁ 2019 ରେ ପ୍ରଥମ ଥର ପାଇଁ ସତ୍ୟବାଦୀରେ BJDକୁ ଜିତାଇଥିଲେ । ତେଣୁ ଯଦି ଉମା ବିଦ୍ରୋହୀ ହୁଅନ୍ତି ତାହେଲେ ଦଳ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିପାରନ୍ତି ।












Click it and Unblock the Notifications