ଶଙ୍ଖ ଭବନରେ ବିଜେଡ଼ିରେ ମିଶିଲେ ପ୍ରକାଶ ବେହେରା, ଛାଡ଼ିଥିଲେ ବିଜେପି
Elections 2024: ରାଜ୍ୟରେ ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳ ଡିଆଁ ସେତେ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି ସାଲେପୁର ପୂର୍ବତମ ବିଧାୟକ ପ୍ରକାଶ ବେହେରା । ବିଜେପିରୁ ଇସ୍ତଫା ଦେବା ପରେ ସେ ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି ।
ବିଜେଡି ସାଂସଦ ମାନସ ମଙ୍ଗରାଜ, ବିଧାୟକ ପ୍ରତାପ ଜେନା, କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଉପସ୍ଥିତି ପ୍ରକାଶ ବେହେରା ବୁଧବାର ବିଜେଡିରେ ସାମିଲ ହେଇଛନ୍ତି । ମିଶିଛନ୍ତି। ମାର୍ଚ୍ଚ 29 ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ପ୍ରକାଶ ।

ପ୍ରକାଶ ବିଜେପି ଛାଡି ବିଜେଡିରେ ଆସିବା ପରେ ସାଲେପୁର ରାଜନୀତିରେ ଆସିଛି ରୋଚକ ମୋଡ । ଏହି ଆସନରୁ ବିଜେଡି କାହାକୁ ଟିକେଟ୍ ଦେବ ସେ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । କେନ୍ଦ୍ରାପଡା ଲୋକସଭା ଅଧୀନରେ ଆସୁଥିବା ସାଲେପୁର ଆସନ ଏବେ ବିଜେଡି ଦଖଲରେ ରହିଛି ।2019 ସାଧାରଣ ନିର୍ବାଚନରେ ପ୍ରଶାନ୍ତ ବେହେରା ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହେଇଥିଲେ । ତେଣୁ ଏଥର ବିଜେପି ଛାଡି ପ୍ରକାଶ ବିଜେଡିରେ ସାମିଲ ହେବା ପରେ, ଏବେ ପ୍ରଶାନ୍ତ ନା ପ୍ରକାଶ କାହାକୁ ଦଳ ସାଲେପୁରରୁ ବାଛିବ ତାହା ଉପରେ ରହିଛି ନଜର ।
ସାଲେପୁର ରାଜନୀତିରେ ପ୍ରକାଶଙ୍କର ଭଲ ଜନ ସମର୍ଥନ ମଧ୍ୟ ରହିଛି । ତାଙ୍କୁ ପ୍ରାର୍ଥୀ କରି ସାଲେପୁର ହାତେଇବାକୁ ଲକ୍ଷ୍ୟ ରଖିପାରେ ବିଜେଡି । କିନ୍ତୁ ବର୍ତ୍ତମାନ ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ଟିକେଟ୍ ପାଇଁ ଲବି ଚଳାଇଛନ୍ତି । ତେଣୁ ଏହି ଦୁଇ ନେତାଙ୍କ ଭିତରୁ କାହାକୁ ବିଜେଡି ସୁପ୍ରିମୋ ଭରସା କରିବେ ତାହା ଦେଖିବା ବାକି ରହିଲା ।
ଆପଣଙ୍କୁ କହି ରଖୁଛୁ, 2014 ରେ କଂଗ୍ରେସ ଟିକେଟରୁ ସାଲେପୁର ବିଧାୟକ ହେଇଥିଲେ ପ୍ରକାଶ ବେହେରା । କିନ୍ତୁ ପରେ ସେ 2019 ରେ ବିଜେପିରେ ସାମିଲ ହୋଇଥିଲେ । ଏପରିକି 2019 ରେ ବିଜେପି ଟିକେଟରେ ପ୍ରକାଶ ଲଢିଥିଲେ ବି ବିଜୟୀ ହୋଇପାରିନଥିଲେ । ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ପାଖାପାଖି 30 ହଜାରରୁ ଅଧିକ ଭୋଟରେ ହାରିଥିଲେ । ଏବେ ଠିକ୍ ନିର୍ବାଚନର ପୂର୍ବରୁ ପୁଣିଥରେ ଦଳ ପରିବର୍ତ୍ତନ କରି ବିଜେଡ଼ିରେ ଆସିଛନ୍ତି ପ୍ରକାଶ ବେହେରା । ଏବେ ତାଙ୍କୁ ଟିକେଟ୍ ମିଳିବ କି ନାହିଁ କିମ୍ବା ଦଳ ତାଙ୍କୁ ଅନ୍ୟ କେଉଁ ଦାୟିତ୍ୱରେ ରଖିବ ତାହା ସ୍ପଷ୍ଟ ହୋଇପାରିନାହିଁ ।












Click it and Unblock the Notifications