ବଜେଟ୍ ପୂର୍ବରୁ ସର୍ବଦଳୀୟ ବୈଠକକୁ ବର୍ଜନ କଲେ ସାଂସଦ ହନୁମାନ ବେନିୱାଲ
ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ମୁଖ୍ୟ ହନୁମାନ ବେନିୱାଲ ଆଜି ବଜେଟ୍ ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା ପାଇଁ ସରକାର ଡାକିଥିବା ସର୍ବଦଳୀୟ ବୈଠକକୁ ବର୍ଜନ କରିଛନ୍ତି ।
ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ମୁଖ୍ୟ ହନୁମାନ ବେନିୱାଲ ଆଜି ବଜେଟ୍ ଅଧିବେଶନର ଏଜେଣ୍ଡା ଉପରେ ଆଲୋଚନା ପାଇଁ ସରକାର ଡାକିଥିବା ସର୍ବଦଳୀୟ ବୈଠକକୁ ବର୍ଜନ କରିଛନ୍ତି । ରାଜସ୍ଥାନର ନାଗୌର ସାଂସଦ ବେନିୱାଲ କହିଛନ୍ତି ଯେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଏହି ସଭାରେ ଯୋଗଦେବେ ନାହିଁ । ହନୁମାନ ବେନିୱାଲ ଆହୁରି ମଧ୍ୟ କହିଛନ୍ତି, କୃଷକ ଆନ୍ଦୋଳନକୁ ସମର୍ଥନ କରି ସଂସଦର ବଜେଟ୍ ଅଧିବେଶନରେ ସର୍ବଦଳୀୟ ବୈଠକକୁ ବର୍ଜନ କରୁଛି ଏବଂ ତୁରନ୍ତ କୃଶକଙ୍କ ଆନ୍ଦୋଳନ ଉପରେ ସକରାତ୍ମକ ନିର୍ଣ୍ଣୟ ନେବା ସହ କୃଷି ବିଲ୍ ପ୍ରତ୍ୟାହାର ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ୱାନ କରୁଛି ।

ସୂଚନାଯୋଗ୍ୟ, ବଜେଟ୍ ଅଧିବେଶନ ନେଇ ସରକାର ଶନିବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ଏଥି ମଧ୍ୟରେ ଶୁକ୍ରବାର ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଶୁକ୍ରବାର ବଜେଟ୍ ଅଧିବେଶନ ଆରମ୍ଭରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ହନୁମାନ ବେନିୱାଲ ମଧ୍ୟ ସ୍ଲୋଗାନ ଦେଇଥିଲେ । ଏହି ସମୟ ମଧ୍ୟରେ ସେ ପ୍ଲାକାର୍ଡ ଧରି କୃଷକ ଆଇ ପ୍ରତ୍ୟାହାର କରିବା ନେଇ ଗୃହରେ ସ୍ଲୋଗାନ ଦେଇଥିଲେ । 19 ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷକୁ ବର୍ଜନ କରିଥିଲେ । ବେନିୱାଲ ଆଜି ପୁଣି ଥରେ ସର୍ବଦଳୀୟ ବୈଠକକୁ ବର୍ଜନ କରିବା ନେଇ ଘୋଷଣା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଦୁଇ ମାସ ପୂର୍ବରୁ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏନଡିଏ ସରକାରଙ୍କ ସହ ଥିଲା । ପରେ ସେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଏନଡିଏରୁ ନିଜକୁ ଅଲଗା କରିଛି । ଶାହାଜାହାନପୁର ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଆରଏଲପି ମଧ୍ୟ ସାମିଲ ଅଛି । ଆରଏଲପି ସଭାପତି ହନୁମାନ ବେନିୱାଲ କହିଛନ୍ତି ଯେ ଦୁଇ ମାସରୁ ଅଧିକ ସମୟ ଧରି ସାରା ଦେଶରେ ଚାଷୀମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । କୃଷକମାନେ ଶୀତଦିନେ ଦିଲ୍ଲୀର ବିଭିନ୍ନ ସୀମାରେ ବସିଛନ୍ତି । ଏଭଳି ପରିସ୍ଥିତିରେ ସରକାର ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ଦାବିକୁ ଧ୍ୟାନ ଦେବା ଏବଂ ଆଇନ ପ୍ରତ୍ୟାହାର କରିବା ଉଚିତ୍ । ବେନିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିବେକୀ ହୋଇ ନିଷ୍ପତ୍ତି ନେବା ସହ ଏହି ନିୟମ ପ୍ରତ୍ୟାହାର କରିବା ଉଚିତ ।












Click it and Unblock the Notifications