ରାଜ୍ୟସଭା ନିର୍ବାଚନ: କିଏ ହେବେ ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ, ବିଜେପି କୁ ବାଟ ଛାଡ଼ିବକି ବିଜେଡ଼ି ?
ରାଜ୍ୟସଭା ନିର୍ବାଚନ: ଓଡ଼ିଶାରୁ ରାଜ୍ୟସଭାରୁ ଖାଲି ହେବାକୁ ଥିବା ତିନି ଆସନ ପାଇଁ ପ୍ରାର୍ଥୀ ଦେଇଛି ଶାସକ ବିଜେଡ଼ି । ଶଙ୍ଖ ଦଳ ମାତ୍ର 2 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଦଳ ତିନିଥର ବିଧାୟକ ହୋଇଥଇବା ଦେବାଶିଷ ସାମନ୍ତରାୟ ଓ ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିଛି ବିଜେଡ଼ି ।

କିନ୍ତୁ ଏହା ପରେ ତୃତୀୟ ଆସନ ପାଇଁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ବଢିଚାଲିଛି ସସପେନ୍ସ । ବିଜେଡ଼ି ନିଜେ କୌଣସି ପ୍ରାର୍ଥୀ ଦେବ ନା ଗତ ଥର ଭଳି ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ଆପଣଙ୍କୁ କହି ରଖୁଛୁ, ଓଡିଶାରୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହି 3 ଟି ଆସନ ପାଇଁ ନିର୍ବାଚନ ହେବ । ଏହି ସମୟରେ ବିଜେଡି ମାତ୍ର 2 ପ୍ରାର୍ଥୀ ଘୋଷଣା କରିବାକୁ ନେଇ ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଠିଆ କରିଛି ।
ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଜେଡି ପାଖରେ 3ୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ନଥିବାରୁ, ତୃତୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି । ଏହା ପରିବର୍ତ୍ତେ ଦଳ ବିଜେପିର ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରି ଗେରୁଆ ଦଳକୁ ରାଜ୍ୟସଭା ବାଟ ଛାଡ଼ିପାରେ ବୋଲି ଆଶା କରାଯାଉଛି ।
ଏହା ସହ ବିଜେଡି ନିଜର ଆଉ ଏକ ପ୍ରାର୍ଥୀ ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ଆଦିତ୍ୟ ବିର୍ଲା ଗ୍ରୁପର ଉପସଭାପତି ପଦରୁ ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ସନ୍ତୃପ୍ତ ମିଶ୍ର ଓ ଜଣେ ମହିଳା ନେତ୍ରୀଙ୍କୁ ରାଜ୍ୟସଭାକୁ ପଠାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
କଣ ରହିଛି ବିଜେଡ଼ି ଅଙ୍କ ?
ବିଜେଡ଼ିକୁ ତିନି ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ 111 ବିଧାୟକଙ୍କ ସମର୍ଥନ ଆବଶ୍ୟକ । ହେଲେ ବିଧାନସଭାରେ ଏବେ ବିଜେଡିର କେବଳ 108 ବିଧାୟକ ଅଛନ୍ତି । ତେଣୁ 3 ଜଣ ବିଜେଡି ନେତାଙ୍କୁ ରାଜ୍ୟସଭା ପଠାଇବାକୁ ହେଲେ ବିଜେଡିକୁ ଆହୁରି 3 ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ ଏହା ପରିବର୍ତ୍ତେ ଦଳ ନିଜର 2 ପ୍ରାର୍ଥୀଙ୍କୁ ପଠାଇବା ସହ ଗୋଟିଏ ଆସନରେ ବିଜେପିର ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ।
ଏହା ପୂର୍ବରୁ ମଧ୍ୟ ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ମଧ୍ୟ ବିଜେପି କୁ ରାସ୍ତା ଛାଡ଼ିଛି । ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାକୁ ସମର୍ଥନ କରିଥିଲା ବିଜେଡ଼ି । ତେଣୁ ଏଥର ବି ମଧ୍ୟ ସମାନ ଢଙ୍ଗରେ ବିଜେପିର ଜଣେ ନେତାଙ୍କୁ ସମର୍ଥନ ଦେଇପାରେ ବିଜେଡି । ତେବେ ଏ ସବୁ ମଧ୍ୟରେ, ରାଜ୍ୟସଭା ରେସ୍ ପାଇଁ ଏହି 3ୟ ପ୍ରାର୍ଥୀ ଜଣକ କିଏ ହେବେ ତାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି ।
ଖାଲି ସେତିକି ନୁହେଁ, ଯଦି ରାଜ୍ୟସଭା ପାଇଁ ବିଜେଡି ନିଜର ତୃତୀୟ ପ୍ରାର୍ଥୀ ଘୋଷଣା ନକରେ, ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ ? ଏ ପ୍ରଶ୍ନ ମଧ୍ୟ ଏବେ ଚର୍ଚ୍ଚାରେ । କାହିଁକି ନା ଯଦି ବିଜେଡି ନିଜର ତୃତୀୟ ପ୍ରାର୍ଥୀ ଘୋଷଣା ନକରେ ତେବେ ବିଜେପି ରାଜ୍ୟସଭା ପାଇଁ ଜଣକୁ ପ୍ରାର୍ଥୀ ଘୋଷଣା କରିବ, ଆଉ ସେ ପ୍ରାର୍ଥୀ ଜଣକ କିଏ ହେବେ, ତା ଏବେ ବି ସସପେନ୍ସରେ ରହିଛି ।
ଉଲ୍ସେଖ ଥାଉକି, ଏହି 3 ଆସନ ପାଇଁ ଫେବ୍ରୁଆରୀ 27 ତାରିଖରେ ନିର୍ବାଚନ ହେବ । ଗତକାଲି ଦୁଇ ଜଣଙ୍କ ନାଁ ଘୋଷଣା ହୋଇଥିବା ବେଳେ ବିଜେଡିର ତୃତୀୟ ପ୍ରାର୍ଥୀ କିଏ ହେବେ, ତାକୁ ନେଇ ଏବେ ବି ଲାଗିରହିଛି ସସପେନ୍ସ ।












Click it and Unblock the Notifications