କିଏ ଯିବେ ରାଜ୍ୟସଭା, ରାଜ୍ୟରେ କିପରି ରହିଛି ରାଜ୍ୟସଭା ଆସନର ଅଙ୍କ...
Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଏହା ପରେ ରାଜ୍ୟରୁ କିଏ ମନୋନୀତ ହେବେ ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଲୋକସଭା ଓ ବିଧାନସଭା ନିର୍ବାଚନ ଆଗରୁ ରାଜ୍ୟସଭା ନିର୍ବାଚନ କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟ ବଢିଛି ।
ଅପ୍ରେଲ 3 ତାରିଖରେ ରାଜ୍ୟର ତିନୋଟି ରାଜ୍ୟସଭା ଆସନ କାଲି ହେବ । ଏ ନେଇ ଫେବୃଆରୀ 27 ହେବ ନିର୍ବାଚନ । ଏ ନେଇ ଆସନ୍ତା 8 ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ 15 ତାରିଖରେ ହେବ ନାମାଙ୍କନ ଦାଖଲ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ରାଜନୈତିକ ଦଳ କାହାକୁ ରାଜ୍ୟସଭାକୁ ପଠାଇବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।

ଶାସକ ଦଳ ପଲା ଭାରୀ
ରାଜ୍ୟର ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଶାସକ ଦଳ ଅନ୍ୟ ଦୁଇ ଦଳ ଉପରେ ଭାରୀ ପଡ଼ିବ । ଦଳମାନଙ୍କ ନିକଟରେ ଥିବା ବିଧାୟକଙ୍କ ସଂଖ୍ୟା ଗଣିତକୁ ଦେଖିଲେ ବିଜେଡ଼ି ହିଁ କେବଳ ଏହାକ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇବାରେ ଏକାକୀ ସଫଳ ହେବ । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ବିଜେଡ଼ି-ବିଜେପି ପୁରୁଣା ଫର୍ମୁଲାରେ ରାଜ୍ୟସଭାକୁ ନିଜର ସଦସ୍ୟ ମନୋନୀତ କରିନପାରନ୍ତି । ଗତ ଥର ଭଳି ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ଭାବନା ପ୍ରାୟତଃ କ୍ଷୀଣ । ବିଜେଡ଼ି ଏକାକୀ ତିନି ଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇ ନିଜର ପଲାଭାରୀ ରଖିପାରେ ।
କିନ୍ତୁ ନିର୍ବାଚନ ପୂର୍ବରୁ ବିଜେଡି ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଦିଲ୍ଲୀରେ ରଣନୈତିକ ମେଣ୍ଟ ରହିଛି ବୋଲି କୁହାଯାଏ । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଭୟ ଦଳର ସମର୍ଥନ ହାସଲ କରି ଗତଥର ରାଜ୍ୟସଭାକୁ ଯାଇଥିଲେ । ସେହିପରି ବିଜେଡିରୁ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ରାଜ୍ୟସଭାକୁ ଯାଇଥିଲେ । ଅନ୍ତିମ ଲୋକସଭା ନିର୍ବାଚନ ବେଳେ ସୌମ୍ୟ ପଟ୍ଟନାୟକ ଏବଂ ଅଚ୍ୟୁତ ସାମନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଦୁହେଁ ଯାଇଥିଲେ ।
କିନ୍ତୁ ବର୍ତ୍ତମାନ ସେଭଳି ସ୍ଥିତି ନଜର ଆସୁନଥିବାରୁ ବିଜେଡି ପ୍ରାର୍ଥୀ ଚୟନକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । 2019 ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ରମେଶ ଚ୍ୟାଉ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହାବ୍ୟତୀତ ଅନେକ ନେତାଙ୍କୁ ପୁଣି ଥରେ ଲୋକସଭା ଟିକେଟ ନ ମିଳିବା ସମ୍ଭାବନା ଥିବାରୁ ରାଜ୍ୟସଭା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଉଛି । ଦଳର ଦିଲ୍ଲୀ ପରିଚାଳନାର ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୁରୀ ସାଂସଦ ପିନାକୀ ମିଶ୍ର ରାଜ୍ୟସଭା ଉପରେ ଫୋକସ୍ କରିପାରନ୍ତି ।
ବିଜେଡି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ଆଦିତ୍ୟ ବିର୍ଲା ଗ୍ରୁପର ଉପସଭାପତି ପଦରୁ ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ସନ୍ତୃପ୍ତ ମିଶ୍ର ଓ ଜଣେ ମହିଳା ନେତ୍ରୀଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ତେଣୁ ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନରେ ବିଜେଡି ଯେଉଁ ନିଷ୍ପତ୍ତି ନେବ ତାହା କେବଳ ରାଜ୍ୟସଭା ପ୍ରତିନିଧିତ୍ୱକୁ ପ୍ରଭାବିତ କରିବ ନାହିଁ ବରଂ ଦଳର ଆଭ୍ୟନ୍ତରୀଣ ଗତିଶୀଳତା ଏବଂ ଭବିଷ୍ୟତର ରାଜନୈତିକ ଆଭିମୁଖ୍ୟ ଉପରେ ମଧ୍ୟ ଗୋଟିଏ ବାର୍ତ୍ତା ଦେବ ।
ଅପରପକ୍ଷରେ ଅପ୍ରେଲରେ ଶେଷ ହେବାକୁ ଥିବା କାର୍ଯ୍ୟକାଳ ଭିତରେ ଅଶ୍ୱୀନୀ ବୈଷ୍ନବ ଏବଂ ମଧ୍ୟପ୍ରଦେଶରୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି । ଧର୍ମେନ୍ଦ୍ର ଏବେ ସମ୍ବଲପୁର ଲୋକସଭା ଆସନରେ ପ୍ରାର୍ଥୀ ହେବାକୁ ଯୋଜନା କରୁଛନ୍ତି ବୋଲି କୁହାଯାଉଛି । ଆଉ ଫେବୃଆରୀ ପ୍ରଥମ ସପ୍ତାହରେ ମୋଦୀଙ୍କ ଗସ୍ତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ସେହିପରି ଅଶ୍ୱୀନୀ ବୈଷ୍ନବ ବାଲେଶ୍ୱରରୁ ନିର୍ବାଚନ ଲଢିବେ ନାହିଁ ବୋଲି ଇସାରା ଦେବା ପରେ ତାଙ୍କର ବାରମ୍ବାର କଟକ ଗସ୍ତ କଟକରୁ ଲୋକସଭା ପ୍ରାର୍ଥୀ ହେବା ଆଶାକୁ ଦୃଢ କରୁଛି । ଆଉ ମୋଦୀ ନିଜେ ଫେବୃଆରୀ ଦ୍ବିତୀୟ ସପ୍ତାହରେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ କଳ୍ପନାଜଳ୍ପନା ଆହୁରି ବୃଦ୍ଧି ପାଇଛି ।
ତେବେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଉଭୟ ସଂସଦକୁ ନିର୍ବାଚିତ ହେବାକୁ ଜୋରଦାର ଉଦ୍ୟମ କରିବେ । କାରଣ କେନ୍ଦ୍ରରେ ତୃତୀୟ ଥର ମୋଦୀ କ୍ଷମତାକୁ ଆସିଲେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇବା ସହଜ ହୋଇଯିବ ।
ଓଡ଼ିଶାର ରାଜ୍ୟସଭା ଗଣିତ
ଓଡ଼ିଶା ବିଧାନସଭାରେ ମୋଟ 147 ଆସନ ରହିଛି । ସେଥିରୁ ବିଜେଡି ହାତରେ 110 ଜଣ, ବିଜେପି ନିକଟରେ 22 ଜଣ, କଂଗ୍ରେସର 9 ଜଣ ବିଧାୟକ ଓ ଜଣେ ସିପିଏମ୍ ବିଧାୟକଙ୍କ ସମେତ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଆଉ 4 ଜଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ାଙ୍କୁ ବିଜେଡି ନିଜ ଦଳରୁ ବହିଷ୍କାର କରିଛି ।
ତେବେ ବର୍ତ୍ତମାନ ପରିସ୍ଥିତିରେ ତିନୋଟି ଯାକ ରାଜ୍ୟସଭା ଆସନ ହାତେଇବା ଲାଗି ବିଜେଡିକୁ 111 ଟି ପ୍ରଥମ ପସନ୍ଦର ଭୋଟ୍ ଦରକାର । କିନ୍ତୁ ବିଜେଡି ପାଖରେ ରହିଛି 110 ଭୋଟ୍ । ଆଉ ଗୋଟିଏ ଭୋଟ୍ ବିଜେଡିକୁ ନିଜର ଏହି 4 ବହିଷ୍କୃତ ବିଧାୟକ କିମ୍ବା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କଠୁ ମିଳିବାର ସମ୍ଭାବନା ରହିଛି । ଯଦି ବି ବିଜେଡିକୁ କେହି ସମର୍ଥନ ନକରନ୍ତି ତଥାପି ଦ୍ୱିତୀୟ ପସନ୍ଦର ଭୋଟରେ ବିଜେଡି ପ୍ରାର୍ଥୀ ସହଜରେ ବିଜୟୀ ହୋଇପାରିବେ ।
ଗାଣିତିକ ଫର୍ମୁଲା
ରାଜ୍ୟସଭା ଗାଣିତିକ ଫର୍ମୂଲା {(147*100)/(3+1)} +1 ଅନୁସାରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ ପରିମାଣ 100 ହୋଇଥିବାରୁ ରାଜ୍ୟରେ ମୋଟ ଭୋଟ୍ ସଂଖ୍ୟା ହେଉଛି 14700 । ଜଣେ ପ୍ରାର୍ଥୀ ଜିତିବା ପାଇଁ 37 ଜଣ ବିଧାୟକଙ୍କ ଭୋଟ (ପ୍ରଥମ ପସନ୍ଦର ମୋଟ 3676 ଖଣ୍ଡ ଭୋଟ୍) ଆବଶ୍ୟକ । ତେଣୁ ବିଜେଡିକୁ ତିନି ପ୍ରାର୍ଥୀଙ୍କ ସପକ୍ଷରେ 111 ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ବିଜେଡି ପାଖରେ 110 ଜଣ ବିଧାୟକ ଥିବାରୁ ବିଜେଡିର ତୃତୀୟ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦର ଭୋଟ 36 ଖଣ୍ଡ ମିଳିବ । କିନ୍ତୁ ଏହି ପ୍ରଥମ ପସନ୍ଦର ଭୋଟକୁ ବି କଂଗ୍ରେସ ଓ ବିଜେପି ମିଳିତ ଭାବେ ପାର୍ କିରପାରିବେ ନାହିଁ ।
ତେଣୁ ରାଜ୍ୟସଭା ଗଣିତ ଦୃଷ୍ଟିରୁ ବିଜେଡି ସହଜରେ ଏହି ଆସନ ହାତେଇବ ଓ ସଂଖ୍ୟା ଦୃଷ୍ଟିରୁ ବିଜେପି କିମ୍ବା କଂଗ୍ରେସ ମଧ୍ୟ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ । ତେଣୁ ବିଜେଡି ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ଜିତିବା ଏକରକମ ନିଶ୍ଚିତ ହୋଇଯାଇଛି ।












Click it and Unblock the Notifications