ଦୁଇ ଦଶନ୍ଧି ପରେ ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ, ଶିବସେନା ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଝା
22 ବର୍ଷ ବ୍ୟବଧାନ ପରେ ଜୁନ୍ 10 ତାରିଖରେ ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । 6 ଟି ଆସନ ପାଇଁ ମୋଟ 7 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଷଷ୍ଠ ଆସନ ପାଇଁ ରାଜନୈତିକ ଦଳଙ୍କୁ ଅଙ୍କ କଷିବାକୁ ପଡ଼ୁଛି ।
ମୁମ୍ବାଇ : ଦୀର୍ଘ ଦୁଇ ଦଶନ୍ଧି ପରେ ମହାରାଷ୍ଟ୍ରରେ ହେବ ରାଜ୍ୟସଭା ଆସନ ପାଇଁ ନିର୍ବାଚନ । ଖାଲି ପଡିଥିବା ଆସନ ମଧ୍ୟରୁ ଷଷ୍ଠ ଆସନ ପାଇଁ ଉଭୟ ଶିବସେନା ଓ ବିଜେପି ମଧ୍ୟରେ ଚାଲିଥିବା ଲଢେଇ ଅଧିକ ଜଟିଳ ହେବାରେ ଲାଗିଛି । ସ୍ୱାଧୀନ ବିଧାୟକମାନଙ୍କ ସମର୍ଥନ ହାତେଇବା ଲାଗି ଶିବସେନା ବିଧାୟକ ପାଣ୍ଠି ତଥା ଅଧିକ ଜନହିତ ଯୋଜନାରେ ସରକାରୀ ପାଣ୍ଠି ଦେବାକୁ କହିଛି । ସେହିପରି ବିଜେପି ପକ୍ଷରୁ କେନ୍ଦ୍ରୀୟ ଯୋଜନା ବାବଦରେ ଅଧିକ ଅର୍ଥ ପ୍ରଦାନ କରିବା ନାମରେ ସ୍ୱାଧୀନ ବିଧାୟକ ମାନଙ୍କୁ ପ୍ରଲୋଭିତ କରାଯାଉଛି ।

ଶିବସେନାର ସଞ୍ଜୟ ପାୱାର ଏବଂ ବିଜପିର ଧନଞ୍ଜୟ ମହାଦିକ୍ ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । 22 ବର୍ଷ ବ୍ୟବଧାନ ପରେ ଜୁନ୍ 10 ତାରିଖରେ ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ କାରଣ ପ୍ରାର୍ଥୀମାନେ ସାଧାରଣତଃ ବିନା ନିର୍ବାଚନରେ ନିର୍ବାଚିତ ହୋଇଥାନ୍ତି । ଉପଲବ୍ଧ ଥିବା 6 ଟି ଆସନ ପାଇଁ ମୋଟ 7 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଫଳରେ 5 ଟି ଆସନର ପ୍ରାର୍ଥୀ ବିନା ନିର୍ବାଚନରେ ରାଜ୍ୟସଭାକୁ ଯାଉଥିବା ବେଳେ ଷଷ୍ଠ ଆସନ ପାଇଁ ରାଜନୈତିକ ଦଳଙ୍କୁ ଅଙ୍କ କଷିବାକୁ ପଡ଼ୁଛି ।
ରାଜ୍ୟସଭା ନିର୍ବାଚନରେ ଜିତିବା ପାଇଁ ଜଣେ ପ୍ରାର୍ଥୀ 42 ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରନ୍ତି । ବିଜେପି ନିକଟେ ମୋଟ 105 ଜଣ ବିଧାୟକ ଥିବା ବେଳେ ଶିବସେନାର 55, ଏନସିପି 54 ଏବଂ କଂଗ୍ରେସରେ 42 ଜଣ ବିଧାୟକ ଅଛନ୍ତି । ଏହା ବ୍ୟତୀତ ଛୋଟ ଦଳଙ୍କ ପାଖରେ 16 ଜଣ ବିଧାୟକ ଥିବାବେଳେ 13 ଜଣ ରହିଛନ୍ତି ସ୍ୱାଧୀନ ବିଧାୟକ ।
ଏହାର ଦୁଇ ପ୍ରାର୍ଥୀ ଜିତିବା ପରେ ଛୋଟ ଦଳଗୁଡ଼ିକର ସମର୍ଥନ ପରେ ବିଜେପି ତୃତୀୟ ପ୍ରାର୍ଥୀ ପାଇଁ ମୋଟ 29 ଭୋଟ୍ ଆବଶ୍ୟକ କରୁଛି । କଂଗ୍ରେସ ଏବଂ ଏନସିପିର ଅବଶିଷ୍ଟ 27 ବିଧାୟକ ମିଳିତ ଭାବେ ଶିବସେନାର ସମର୍ଥନରେ ରହିଛନ୍ତି । ସ୍ୱାଧୀନ ବା ଛୋଟ ଦଳ ତୃତୀୟ ଆସନ ପାଇଁ ସେମାନଙ୍କୁ ସମର୍ଥନ କରିବେ ବୋଲି ଉଭୟ ଦଳ ଦାବି କରୁଛନ୍ତି ।

ତେଣୁ ଏହି ନିର୍ବାଚନ ମାଧ୍ୟମରେ କିଛି ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ୍ ଦେଇ ପୁରୁଣା ଅଭିଯୋଗ ଦୂର କରିବାକୁ ଚାହୁଁଛନ୍ତି । ତଥାପି, କେତେକ ବିଧାୟକ ମଧ୍ୟ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକରୁ ନୋଟିସ ପାଇବା ନେଇ ଭୟଭୀତ ଅଛନ୍ତି । ଏଥିରୁ ରକ୍ଷା ପାଇବା ପାଇଁ ବିଜେପି ସମର୍ଥନରେ ଭୋଟ୍ ଦେଇପାରନ୍ତି ବୋଲି ମଧ୍ୟ କୁହାଯାଉଛି ।
ଶାସକ ମହା ବିକାଶ ଅଘାଡ଼ି ନୋତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହ ଆଲୋଚନା କରି ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରିବାକୁ ନିବେଦନ କରିଥିଲେ ମଧ୍ୟ ବିଜେପି ଏଥିରେ ରାଜି ହୋଇ ନାହିଁ ।
ବିଜେପି ଏବଂ ଶିବସେନା ପାଇଁ ଏହି ସଂଗ୍ରାମ କେବଳ ରାଜ୍ୟସଭାର ଗୋଟିଏ ଆସନ ପାଇଁ ନୁହେଁ । ଆଗାମୀ ପୌରପାଳିକା ନିର୍ବାଚନ ପୂର୍ବରୁ ଉଭୟ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି । ତେଣୁ ସ୍ୱାଧୀନ ବିଧାୟକମାନଙ୍କୁ ସେମାନଙ୍କ ପକ୍ଷରେ ରଖିବା ସହିତ ସେମାନଙ୍କ ବିଧାୟକଙ୍କୁ ଅନ୍ୟ ଦଳକୁ ଭୋଟ୍ ନଦେବା ପାଇଁ ଅନେକ ପ୍ରସ୍ତୁତି ଚାଲିଛି ।
ଶିବସେନାକୁ ଘୋଡ଼ା ବେପାର ଭୟ
ମହାରାଷ୍ଟ୍ରର ଶିବସେନା ବିଧାୟକମାନଙ୍କୁ ରାଜ୍ୟରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପୂର୍ବରୁ ଏକ ରିସୋର୍ଟକୁ ସ୍ଥାନାନ୍ତର କରାଯାଇଛି । ମହା ବିକାଶ ଅଘାଡ଼ି (MVA) ରେ ଥିବା ନ୍ୟାସନାଲ୍ କଂଗ୍ରେସ ପାର୍ଟି ଏବଂ କଂଗ୍ରେସର ବିଧାୟକ ମାନେ ମଧ୍ୟ ରିସୋର୍ଟକୁ ସ୍ଥାନାନ୍ତରିତ ହେବେ । ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ରାଜ୍ୟସଭା ନିର୍ବାଚନରେ ଶିବସେନା ଓ ମହା ବିକାଶ ଅଘାଡ଼ିକୁ ଘୋଡ଼ା ବେପାର ଭୟ ଘାରିଛି । ଷଷ୍ଠ ଆସନ ପାଇଁ ଏମଭିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ସ୍ୱାଧୀନ ବିଧାୟକମାନଙ୍କୁ ଭେଟିଥିଲେ । ଠାକରେ ଏମଭିଏର ସମସ୍ତ ବିଧାୟକଙ୍କ ଏକ ବୈଠକ ମଧ୍ୟ କରିସାରିଛନ୍ତି ।

ଶିବସେନା ବିଧାୟକମାନଙ୍କୁ ମୁମ୍ବାଇର ପଶ୍ଚିମ ଉପକଣ୍ଠରେ ଥିବା ମଲାଡର ରିଟ୍ରିଟ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । ଏହା ସେହି ହୋଟେଲ ଯେଉଁଠାରେ MVA ସରକାର ଗଠନ ସମୟରେ 2019 ରେ ଶିବସେନାର ବିଧାୟକମାନଙ୍କୁ ରଖାଯାଇଥିଲା । ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ବିଧାନସଭା ପାର୍ଟି (ସିଏଲପି) ର ଏକ ବୈଠକ ଡାକିଛି । ଏଥିରେ ରାଜ୍ୟସଭା ନିର୍ବାଚନ ପାଇଁ AICC ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ ଯୋଗଦେବେ ।
ଏହା ବ୍ୟତୀତ ରାଜ୍ୟରେ ଦୁଇଜଣ ବିଧାୟକ ଥିବା AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ସ୍ପଷ୍ଟ ଭାବରେ ସମର୍ଥନ ପ୍ରଦାନ କରିନାହାଁନ୍ତି କିନ୍ତୁ ଯଦି ବିଜେପିକୁ ପରାସ୍ତ କରିବାକୁ ଚାହୁଁଛନ୍ତି ତେବେ ଏମଭିଏ ସେମାନଙ୍କୁ ଖୋଲାଖୋଲି ସମର୍ଥନ ମାଗିବା ଉଚିତ ବୋଲି କହିଛନ୍ତି ।












Click it and Unblock the Notifications