କଂଗ୍ରେସ-ଉଦ୍ଧବ ଗୋଷ୍ଠୀ ମଧ୍ୟରେ ଫାଟ ବଢାଇଲା ରାହୁଲଙ୍କ ବୟାନ, ମିଳିତି ବିରୋଧୀ ବୈଠକରୁ ଦୂରେଇଲା ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ : କଂଗ୍ରେସ ଓ ଉଦ୍ଧବ ଗୋଷ୍ଠୀ ମଧ୍ୟରେ ବଢିଛି ଫାଟ । ସାଂସଦ ପଦ ରଦ୍ଦ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ସାବରକରହ୍କ ଉପରେ ରାହୁଲ ଦେଇଥିବା ବୟାନକୁ ନେଇ ଉଦ୍ଧବ ଗୋଷ୍ଠୀ ରାହୁଲଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି ।
ଏପରିକି ସୋମବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ବାସଭବନରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ନ ଦେବାକୁ ଶିବସେନାର ଉଦ୍ଧବ ଠାକରେ ଦଳ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧୀଙ୍କ ବାୟନ କୁ ନେଇ ଠାକରେ ଗୋଷ୍ଠୀ ଏହି ନିଷ୍ପତ୍ତି ନେଇଛନ୍ତି ।
ସୂଚନାଥାଉକି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ଆଜି ରାତିରେ ଦିଲ୍ଲୀରେ ତାଙ୍କ ବାସଭବନରେ ଏକ ବୈଠକ ପାଇଁ ବିରୋଧୀ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି । ଯେଉଁଥିରେ ଉଦ୍ଧବ ଠାକରେ ଦଳ ଭାଗ ନ ନେବାକୁ ନିଷ୍ପତ୍ତି ନେଇଛି । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ, ମୁଁ କ୍ଷମା ମାଗିବି ନାହିଁ ବୟାନ ପରେ ବୈଠକରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛୁ ।
ସାବରକରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ସଞ୍ଜୟ ରାଉତ କହିଛନ୍ତି, "ଏହା ଏକ ଭୁଲ ବିବୃତ୍ତି । ସେ ଗାନ୍ଧୀ, କିନ୍ତୁ ସାବରକର ନାମ କୁ ଏସବୁରେ ଟାଣିବାର କୌଣସି ଆବଶ୍ୟକତା ନାହିଁ । ସାବରକର ଆମର ପ୍ରେରଣା । ଆମର ସଂଗ୍ରାମ ପଛରେ ପ୍ରେରଣା ହେଉଛନ୍ତି ଛତ୍ରପତି ଶିବାଜୀ ମହାରାଜ ଏବଂ ଭୀର ସାବରକର ।"
ମୋଦୀ ସରନେମ୍ ମାମଲାରେ ସଂସଦର ସଦସ୍ୟତା ବାତିଲ ହେବା ପରେ ଶନିବାର ଦିନ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଉପରେ କଡ଼ା ଆକ୍ରମଣ କରିଥିଲେ । କ୍ଷମା ମାଗିବା ପ୍ରଶ୍ନରେ ରାହୁଲ ଗାନ୍ଧୀ କହିଥିଲେ ଯେ ମୋର ନାମ ସାବରକର ନୁହେଁ, ମୋର ନାମ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ଯେଉଁଥିରେ ଶିବସେନାର ଉଦ୍ଧବ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି ମୁଁ ଦିଲ୍ଲୀ ଯାଉଛି । ମୁଁ ସାବରକର ପ୍ରସଙ୍ଗରେ ନିଜେ ରାହୁଲ ଗାନ୍ଧୀଙ୍କ ସହ କଥା ହେବି ।












Click it and Unblock the Notifications