ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସ ନେତାଙ୍କ ଇସ୍ତଫା, ଫ୍ଲୋର ଟେଷ୍ଟ ଦାବି କଲେ ଅମରିନ୍ଦର ସିଂହ
ସିଦ୍ଧୁଙ୍କ ଇସ୍ତଫା ପରେ ତାଙ୍କ ନିକଟବର୍ତ୍ତୀ କିଛି ନେତା ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ପରେ କ୍ୟାପଟେନ ଅମରିନ୍ଦର ସିଂ କ୍ୟାମ୍ପର ବିଧାୟକମାନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କଠାରୁ ଫ୍ଲୋର ଟେଷ୍ଟ ଦାବି କରିଛନ୍ତି ।
ଚଣ୍ଡିଗଡ଼ : ଦୁଇ ମାସ ମଧ୍ୟରେ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ କଂଗ୍ରେସ ହାଇକମାଣ୍ଡଙ୍କ ସମ୍ମୁଖରେ ପୁଣି ଥରେ ସଙ୍କଟ ଦେଖାଦେଇଛି । ମଙ୍ଗଳବାର ଦିନ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ନବଜୋତ ସିଂ ସିଦ୍ଧୁ ପିସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇ ଆଶ୍ଚର୍ଯ୍ୟ କରିଜେଇଛନ୍ତି । ତେବେ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ସେ କଂଗ୍ରେସ ଦଳରେ ରହିବେ । ସିଦ୍ଧୁଙ୍କ ଇସ୍ତଫା ପରେ ତାଙ୍କ ନିକଟବର୍ତ୍ତୀ କିଛି ନେତା ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ପରେ କ୍ୟାପଟେନ ଅମରିନ୍ଦର ସିଂ କ୍ୟାମ୍ପର ବିଧାୟକମାନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କଠାରୁ ଫ୍ଲୋର ଟେଷ୍ଟ ଦାବି କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ, ନବଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ରାଜ୍ୟ କଂଗ୍ରେସ କମିଟି ଏବଂ କ୍ୟାବିନେଟର ତାଙ୍କର କିଛି ଘନିଷ୍ଠ ବନ୍ଧୁ ମଧ୍ୟ ସେମାନଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ସିଦ୍ଧୁଙ୍କ ବ୍ୟତୀତ ଇସ୍ତଫା ପଠାଇଥିବା ପଞ୍ଜାବ କଂଗ୍ରେସ ନେତାଙ୍କ ମଧ୍ୟରେ ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ରଜିଆ ସୁଲତାନା ଏବଂ କଂଗ୍ରେସ କମିଟିର ଚାରିଜଣ ନେତା - ରାଜ୍ୟ ସାଧାରଣ ସମ୍ପାଦକ ଯୋଗୀନ୍ଦର ଢିଙ୍ଗରା, ରାଜ୍ୟ କୋଷାଧ୍ୟକ୍ଷ ଗୁଲଜାର ଇନ୍ଦର ଚହଲ, ପାର୍ଟି ସାଧାରଣ ସମ୍ପାଦକ (ପ୍ରଶିକ୍ଷଣ ଦାୟିତ୍ୱ) ଗୌତମ ସେଠ ଏବଂ ଅଲ ଇଣ୍ଡିଆ କିଷାନ କଂଗ୍ରେସର ଯୁଗ୍ମ ସଚିବ ନିର୍ମଳ ସିଂ ସିଦ୍ଧୁ ଅଛନ୍ତି ।
କାହିଁକି ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ ?
ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଇସ୍ତଫା ଘୋଷଣା କରିଛନ୍ତି । ସିଦ୍ଧୁ କିନ୍ତୁ ତାଙ୍କ ଚିଠିରେ ଲେଖିଛନ୍ତି ଯେ ସେ କଂଗ୍ରେସ ଦଳ ଛାଡୁ ନାହାଁନ୍ତି । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀଙ୍କ ସହ ନବଜୋତ ସିଂ ସିଦ୍ଧୁଙ୍କ ସମନ୍ୱୟ ରହୁନାହିଁ, ଯେଉଁଥିପାଇଁ ସେ ଇସ୍ତଫା ଦେଇଛନ୍ତି । ଏଥି ସହିତ ପଞ୍ଜାବର ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ସିଦ୍ଧୁଙ୍କ ଇସ୍ତଫା ନେଇ ତାଙ୍କୁ ଟାର୍ଗେଟ୍ କରି ଟ୍ୱିଟ୍ କରିଥଇଲେ । ଅମରିନ୍ଦର ସିଂ ଟ୍ୱିଟ୍ କରି କହିଛନ୍ତି ଯେ ସେ ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କୁ କହିଛନ୍ତି ଯେ ନବଜୋତ ସିଂ ସିଦ୍ଧୁ ଜଣେ ସ୍ଥାୟୀ ନେତା ନୁହଁନ୍ତି ।












Click it and Unblock the Notifications