ଚାଷୀଙ୍କୁ ଚନ୍ନୀ ସରକାରଙ୍କ ନୂଆ ବର୍ଷ ଭେଟି, 2 ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ
ପଞ୍ଜାବ ଚାଷୀଙ୍କ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ।
ଚଣ୍ଡିଗଡ : ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ଆନ୍ଦୋଳନରତ ଚାଷୀଙ୍କ ଦାବିକୁ ଶୁଣି ପଞ୍ଜାବ ଚାଷୀଙ୍କୁ ନୂଆ ବର୍ଷ ଭେଟି ଦେଇଛନ୍ତି ଚନ୍ନୀ ସରକାର । ପଞ୍ଜାବ ଚାଷୀଙ୍କ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ।

ଚନ୍ନୀ କହିଛନ୍ତି କି ପଞ୍ଜାବରେ ଏମିତି ଦୁଇ ଲକ୍ଷ ପରିବାର ଅଛନ୍ତି ଯାହାଙ୍କ ଉପରେ ପଞ୍ଜାବ ସରକାର ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । 5 ଏକର ପର୍ଯ୍ୟନ୍ତ ଚାଷଜମି ଥିବା ଚାଷୀଙ୍କୁ ଏହାର ଲାଭ ମିଳିବ । ବ୍ୟାଙ୍କରେ ଜମି ବନ୍ଧକ ରଖି ଋଣ ନେଇଥିବା କୃଷକମାନେ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ ।
ପଞ୍ଜାବ ସରକାର ପୂର୍ବରୁ 5 ଲକ୍ଷ 63 ହଜାର କୃଷକଙ୍କ 4 ହଜାର 610 କୋଟି ଟଙ୍କାର ଋଣ ଛାଡ କରିସାରିଛନ୍ତି । ଏହାଛଡ଼ା ମିଳିତ କିଷାନ ମୋର୍ଚ୍ଚାର ଦାବି ମୁତାବକ 31 ଡିସେମ୍ବର ମଧ୍ୟରେ ଚାଷୀଙ୍କ ନାମରେ ରୁଜୁ ହୋଇଥିବା ସମସ୍ତ ମାମଲା ମଧ୍ୟ ପ୍ରତ୍ୟାହୃତ କରି ନିଆଯାଇଛି ।
ଏସବୁ ଘୋଷଣା ପରେ ମଧ୍ୟ ପଞ୍ଜାବ ସରକାରଙ୍କ ବିରୋଧରେ କୃଷକ ସେମାନଙ୍କ ଅନ୍ୟ ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ଚାଷୀଙ୍କ ସମସ୍ତ ଋଣ ଛାଡ, କୃଷି ଆଇନ ସମୟରେ ମୃତ୍ୟୁ ବରଣ କରିଥିବା ପରିବାରଙ୍କୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ ସଂଗଠନ ।












Click it and Unblock the Notifications