ପଞ୍ଜାବ କ୍ୟାପଟେନଙ୍କ ସହ ବିଜେପିର ମେଣ୍ଟ ଫାଇନାଲ, ଆସନ ବଣ୍ଟନ ପାଇଁ ଗଠନ ହେଲା କମିଟି
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ମିଳିତ ଭାବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ଅଧ୍ୟକ୍ଷ କ୍ୟାପଟେନ ଅମରିନ୍ଦର ସିଂହ ବିଜେପି ସହ ମିଳିତ ଭାବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏଥିପାଇଁ ସେ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ବୈଠକରେ ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ ପଞ୍ଜାବ ବିଜେପି ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖୱତ୍ ମଧ୍ୟ ଉପସ୍ଥିତ ଥିଲେ । ସଭାରେ ନିର୍ବାଚନ ପ୍ରସ୍ତୁତି, ମନିଫେଷ୍ଟୋ ଏବଂ ଆସନ ବୁଝାମଣା ଉପରେ ଆଲୋଚନା କରାଯାଇଥିଲା । ଏଥି ସହ ମିଳିତ କମିଟି ଗଠନ ପାଇଁ ସହମତି ପ୍ରକାଶ ପାଇଛି ।

ଏହି ବୈଠକ ପରେ ପଞ୍ଜାବ ବିଜେପି ଦାୟିତ୍ୱରେ ଥିବା ଗଜେନ୍ଦ୍ର ସିଂ ଶେଖୱତ୍ କହିଛନ୍ତି ଯେ ଆଜି ବିଜେପି, ପଞ୍ଜାବ ଲୋକ କଂଗ୍ରେସ ଏବଂ ଶିରୋମଣୀ ଅକାଲୀ ଦଳ (ୟୁନାଇଟେଡ) ର ମୁଖ୍ୟମାନେ ଭେଟିଛନ୍ତି । ଏହି ସମୟରେ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ଏକ କମିଟି ଗଠନ କରିବାକୁ ସହମତି ପ୍ରକାଶ ପାଇଛି ଯେଉଁଥିରେ ତିନୋଟି ଦଳର ଦୁଇଜଣ ସଦସ୍ୟ ଯୋଗଦେବେ । ଏହି କମିଟି ପଞ୍ଜାବ ନିର୍ବାଚନର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବ । ଏଥିରେ ଆସନ ବୁଝାମଣା, ମିଳିତ ଘୋଷଣା ପତ୍ର ଇତ୍ୟାଦି ଅନ୍ତର୍ଭୁକ୍ତ । ନିର୍ବାଚନ ଘୋଷଣା ପୂର୍ବରୁ ପ୍ରତ୍ୟେକ ପ୍ରସଙ୍ଗରେ ସହମତି ପ୍ରକାଶ ପାଇବ ବୋଲି ଆଶା ରଖାଯାଇଛି ।
ଗତ ବର୍ଷ ପର୍ଯ୍ୟନ୍ତ, ଶିରୋମଣୀ ଅକାଳୀ ଦଳ ଏନଡିଏ ମିଳିତ ମଞ୍ଚର ଏକ ଅଂଶ ହୋଇଆସୁଥିଲା, କିନ୍ତୁ ନୂତନ କୃଷି ଆଇନ ପ୍ରଣୟନ ହେବା ପରେ ଏହା ବିଜେପି ସହିତ ସମସ୍ତ ସମ୍ପର୍କ ଭାଙ୍ଗିଥିଲା । ଏହା ବ୍ୟତୀତ ହର୍ଷିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସୋମବାରର ବୈଠକରେ ଶିରୋମଣୀ ଅକାଳୀ ଦଳ (ୟୁନାଇଟେଡ୍) ସହିତ ବିଜେପି ମେଣ୍ଟ କରିଛି । ଏହାର ମୁଖ୍ୟ ହେଉଛନ୍ତି ସୁଖଦେବ ସିଂ ଧିନ୍ଦସା । ସୋମବାର ବୈଠକରେ ସେ ମଧ୍ୟ କ୍ୟାପଟେନଙ୍କ ସହ ଅମିତ ଶାହାଙ୍କ ବାସଭବନରେ ପହଞ୍ଚିଥିଲେ ।
ସୂଚନାଯୋଗ୍ୟ, ପଞ୍ଜାବରେ 117 ଟି ବିଧାନସଭା ଆସନ ଅଛି । ଗତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ସେଠାରେ ଭଲ ନଥିଲା, ଯେଉଁଥିପାଇଁ ଏଥର ସେମାନେ କ୍ୟାପଟେନଙ୍କ ହାତ ଧରିଛନ୍ତି । ସୂଚନାନୁସାରେ, ବିଜେପି 70-80 ଟି ଆସନରେ ଲଢିବାକୁ ଯୋଜନା କରିଛି, ସେମାନେ ବାକି ସିଟ୍ କ୍ୟାପଟେନ ଏବଂ ଧିନ୍ଦସାଙ୍କ ପାଇଁ ରଖିବେ । ତେବେ କେଉଁ ଆସନ କାହା ପାଖକୁ ଯିବ ସେନେଇ ଦଳ ଏକାଠି ନିର୍ଣ୍ଣୟ ନେବେ ।












Click it and Unblock the Notifications