'ବିରୋଧୀ ଦଳର ନେତୃତ୍ୱ ନେବା କାହାର ଐଶ୍ୱରୀୟ ଅଧିକାର ନୁହେଁ', ମମତା ପରେ ପି.କେଙ୍କ ଟାର୍ଗେଟରେ ରାହୁଲ ଗାନ୍ଧୀ
ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ବିରୋଧୀ ଦଳର ନେତୃତ୍ୱ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହେବା ଉଚିତ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ନାମ ନନେଇ ରାହୁଲଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ କଂଗ୍ରେସର ନେତୃତ୍ୱ କୌଣସି ବ୍ୟକ୍ତିର ଐଶ୍ୱରୀୟ ଅଧିକାର ନୁହେଁ
ନୂଆଦିଲ୍ଲୀ : ତୃଣମୂଳ କଗ୍ରେସର ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସ ବିନା ବିରୋଧୀ ଏକତାକୁ ସୂଚାଇବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବର୍ତ୍ତମାନ ବିରୋଧୀ ଦଳର ନେତୃତ୍ୱ ନେଇ ଏକ ବିବୃତ୍ତି ଦେଇଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ବିରୋଧୀ ଦଳର ନେତୃତ୍ୱ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହେବା ଉଚିତ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ନାମ ନନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସର ନେତୃତ୍ୱ କୌଣସି ବ୍ୟକ୍ତିର ଐଶ୍ୱରୀୟ ଅଧିକାର ନୁହେଁ ।

ପ୍ରଶାନ୍ତ କିଶୋର ଟ୍ୱିଟରରେ ଲେଖିଛନ୍ତି, "ଏକ ଦୃଢ ବିରୋଧୀ ପାଇଁ କଂଗ୍ରେସ ପ୍ରତିନିଧିତ୍ୱ କରୁଥିବା ଧାରଣା ଏବଂ ସ୍ଥାନ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କଂଗ୍ରେସ ନେତୃତ୍ୱ ଜଣେ ବ୍ୟକ୍ତିଙ୍କର ଐଶ୍ୱରୀୟ ଅଧିକାର ନୁହେଁ । ବିଶେଷ କରି ଯେତେବେଳେ ଗତ 10 ବର୍ଷ ମଧ୍ୟରେ ଦଳ 90% ନିର୍ବାଚନ ହାରିଛି । ବିରୋଧୀ ଦଳର ନେତୃତ୍ୱ ଗଣତାନ୍ତ୍ରିକ ଉପାୟରେ ଚୟନ କରାଯାଉ ।"
The IDEA and SPACE that #Congress represents is vital for a strong opposition. But Congress’ leadership is not the DIVINE RIGHT of an individual especially, when the party has lost more than 90% elections in last 10 years.
Let opposition leadership be decided Democratically.
— Prashant Kishor (@PrashantKishor) December 2, 2021
ଏହା ପୂର୍ବରୁ ପରୋକ୍ଷରେ ତୃତୀୟ ସାମୁଖ୍ୟକୁ ଗ୍ରୀନ୍ ସିଗନାଲ ଦେଇ ମମତା ବାନାର୍ଜୀ ମୁମ୍ବାଇରେ କହିଛନ୍ତି ଯେ ଯଦି ସମସ୍ତ ଆଞ୍ଚଳିକ ଦଳ ଏକାଠି ହୁଅନ୍ତି ତେବେ ବିଜେପିକୁ ପରାସ୍ତ କରିବା ସହଜ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି, "ଆପଣ ଅଧିକାଂଶ ସମୟ ବିଦେଶରେ ରହିପାରିବେ ନାହିଁ । ରାଜନୀତିରେ ନିରନ୍ତର ପ୍ରୟାସ ଆବଶ୍ୟକ ।" ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଉପରେ ବିରୋଧୀ ବାରମ୍ବାର ଟାର୍ଗେଟ କରୁଥିବାରୁ ମମତାଙ୍କ ଏପରି ବୟାନ ରହିଥିଲା ।
ବର୍ତ୍ତମାନ ପ୍ରରିପ୍ରେକ୍ଷୀରେ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀ ନେତୃତ୍ୱ ପାଇଁ କଂଗ୍ରେସ ସଂଗ୍ରାମ କରୁଥିବାବେଳେ ମମତା ବାନାର୍ଜୀ ଏବେ ଠାରୁ ଶକ୍ତି ସଞ୍ଚୟ କରିବା ଆରମ୍ଭ କଲେଣି । ଏବେ ବିଭିନ୍ନ ରାଜ୍ୟ ଗସ୍ତ କରିବା ସହ ଅନେକ ଅଞ୍ଚଳିକ ଦଳର ସୁପ୍ରିମୋଙ୍କ ସହ ବୈଠକ ଜାରି ରଖିଛନ୍ତି । ଅର୍ଥାତ୍ ତୃତୀୟ ସାମୁଖ୍ୟ ପ୍ରସଙ୍ଗ ଉତାପନ କରିଛନ୍ତି ଟିଏମସି ସୁପ୍ରିମୋ । ଯାହା କଂଗ୍ରେସର ସତ୍ତା ସ୍ୱପ୍ନ ବିପକ୍ଷରେ କଣ୍ଟା ସାଜିବାକୁ ଯାଉଛି ।
ସୂଚନାଯୋଗ୍ୟ, ଦୁଇମାସ ପୂର୍ବେ ରାହୁଲ ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ସହ ପ୍ରଶାନ୍ତ କିଶୋରଙ୍କ ଆଲୋଚନା ହେବାର ଖବର ସାମ୍ନାକୁ ଆସିଥିଲା ଏବଂ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଗୁଜବ ପ୍ରଚାରିତ ହୋଇଥିଲା ।












Click it and Unblock the Notifications