ପରୀ ମାମଲା ରାୟକୁ ନେଇ ତେଜିଲା ରାଜନୀତି, ଧର୍ମେନ୍ଦ୍ରଙ୍କୁ ବବିଙ୍କ ପ୍ରଶ୍ନବାଣ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟା ମାମଲାରେ କୋର୍ଟଙ୍କ ରାୟ ଆସିଛି । କୋର୍ଟ ଅଭିଯୁକ୍ତ ନାବାଳକକୁ 20 ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ନୟାଗଡ଼ର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ଚିଲଡ୍ରେନସ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ ।

ଏହା ପରେ ଏହି ରାୟକୁ ନେଇ ତେଜିଛି ରାଜନୀତି । ପ୍ରଶ୍ନବାଣରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ବବି ।
ନିଜ ସୋସିଆଲ ମିଡିଆରେ ପ୍ରଣବ ଲେଖିଛନ୍ତି ଯେ, 'ଧର୍ମେନ୍ଦ୍ର ଭାଇ, ପରୀ ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ହୀନ ଉଦ୍ୟମ କଲେ ଏବଂ ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନାମୀଦାମୀ ଓକିଲ ଲଗାଇ ମାମଲାକୁ ବିଳମ୍ବିତ ଆଉ ଦିଗହରା କରି ନିଜ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଯେଉଁ କାର୍ଯ୍ୟ କଲେ ତାକୁ ଓଡ଼ିଶାବାସୀ ଦେଖିଛନ୍ତି ।
ଓଡ଼ିଶା ଇତିହାସରେ ଏଭଳି ନିମ୍ନସ୍ତରର ରାଜନୀତି କେବେ ଦେଖାଯାଇନଥିଲା। ଆପଣ ଓଡ଼ିଶାର ରାଜନୀତିକୁ ବହୁ ତଳସ୍ତରକୁ ନେଇଗଲେ। ଗତକାଲିର ରାୟ ପରେ ଆପଣଙ୍କ ଅନ୍ତରାତ୍ମା ଆପଣଙ୍କୁ କିଭଳି ଶାନ୍ତିରେ ରଖାଇ ଦେଉଛି? ନିଜେ ଆଇନା ସାମ୍ନାରେ ଠିଆ ହୋଇ ନିଜର ଅନ୍ତରାତ୍ମାକୁ ପଚାରନ୍ତୁ, ଆପଣ ଠିକ୍ କରିଛନ୍ତି ନା ଭୁଲ୍? ଶେଷରେ ଏତିକି କହିବାକୁ ଚାହିଁବି, ନୀରିହ, ନିଷ୍ପାପ, କୋମଳମତି ପରୀର ହତ୍ୟାକାରୀକୁ ବଞ୍ଚାଇବାକୁ ଆପଣ ଯେଉଁ ମହାପାପ କରିଛନ୍ତି, ସେଥିପାଇଁ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ମା'ମାନଙ୍କ ପାଖରେ କ୍ଷମା ମାଗନ୍ତୁ ଓ ନିଜ ପାପର ପ୍ରାୟଶ୍ଚିତ କରନ୍ତୁ।












Click it and Unblock the Notifications