ଅପ୍ରେଲ 17ରେ ପିପିଲି ଉପ-ନିର୍ବାଚନ, ମାର୍ଚ୍ଚ 30ରେ ନାମାଙ୍କନ ଦାଖଲ ଶେଷ ତାରିଖ
ଅପ୍ରେଲ 17ରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମାର୍ଚ୍ଚ 23 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ଆଶାୟୀ ପ୍ରାର୍ଥୀମାନେ 30 ମାର୍ଚ୍ଚ ସୁଦ୍ଧା ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ ।
ଭୁବନେଶ୍ୱର : ବହୁ ପ୍ରତୀକ୍ଷା ପରେ ଅପ୍ରେଲ 17ରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମାର୍ଚ୍ଚ 23 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ଆଶାୟୀ ପ୍ରାର୍ଥୀମାନେ 30 ମାର୍ଚ୍ଚ ସୁଦ୍ଧା ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ । 31 ମାର୍ଚ୍ଚରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ହେବା ସହ 3 ଅପ୍ରେଲ ସୁଦ୍ଧା ପ୍ରାର୍ଥୀ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ ବୋଲି ନିର୍ବାଚନ ପକ୍ଷରୁ ଘୋଷଣା କରାଯାଇଛି । ଏହା ପରେ ଅପ୍ରେଲ 17 ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହେବା ସହ ମତଦାନ ହେବ । ମେ 2ରେ ଭୋଟ୍ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର 4 ତାରିଖରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ି ରହିଛି । କିଛି ଦିନ ତଳେ ଦେଶରେ ହେବାକୁ ଥିବା 4ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ସମୟରେ ପିପିଲି ଉପ ନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେଦିନ କୌଣସି ଘୋଷଣା ନହେବାରୁ ପିପିଲି ଉପନିର୍ବାଚନ ତାରିଖ ନେଇ ସମସ୍ତଙ୍କ ଆଶା ରହିଥିଲା । ଏହି ସମୟରେ ଆଜି(ମଙ୍ଗଳବାର) ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି । ଏଥି ସହ ଦେଶର 2ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଓ 14 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।












Click it and Unblock the Notifications