ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ, ଗୋଟିଏ ଫ୍ରେମରେ ନଜର ଆସିଲେ ଶାସକ-ବିରୋଧୀ
ଭୁବନେଶ୍ୱର: ସରିଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଏହା ପରେ ଗୋଟିଏ ଫ୍ରେମରେ ଶାସକ-ବିରୋଧୀ ନଜର ଆସିଛନ୍ତି । ସମସ୍ତ ଦଳର ବିଧାୟକଙ୍କ ହୋଇଛି ଫଟୋ ସୁଟ୍ ।
ବଜେଟ୍ ଅଧିବେଶନ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ବିଧାୟକମାନେ ଆଜି ଫଟୋ ସୁଟ୍ ହୋଇଛି । ଶାସକ-ବିରୋଧୀ ଏକାଠି ହୋଇ ଫଟୋ ଉଠାଇଛନ୍ତି । ଏହା ସହ ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଫଟୋସୁଟ୍ ସମୟରେ ଅନେକ ବିଧାୟକ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା । ଉଭୟ 2024 ନିର୍ବାଚନରେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି । ସେହିଭଳି 2024 ନିର୍ବାଚନରେ ଅନେକ ବିଧାୟକ ଟିକେଟରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଭାବବିହ୍ୱଳ ହୋଇଛନ୍ତି ବିଧାୟକମାନେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ମୋ ପାଇଁ ବିଧାନସଭା ସବୁବେଳେ ସ୍ମରଣୀୟ ହୋଇ ରହିବ । ଆସନ୍ତା ନିର୍ବାଚନରେ ମୁଁ ଲଢିବିନି । ବିଧାନସଭାରୁ ବହୁତ କିଛି ଶିଖିଛି । ତେଣୁ ଏହି ଶେଷ ଅଧିବେଶନ ସବୁବେଳେ ସ୍ମରଣୀୟ ହୋଇ ରହିବ ।
ସେହିଭଳି ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ଫଟୋ ସେସନରେ ସବୁ ବିଧାୟକ ଏକତ୍ରୀତ ହୋଇଥିଲୁ । ସମସ୍ତେ ଉତ୍ସାହିତ ଥିଲେ । ଲୋକଙ୍କ ମତ ଅନୁଯାୟୀ କିଏ ଆସନ୍ତା ଅଧିବେଶନରେ ଗୃହକୁ ଆସିବ ତାହା ତ ସମୟ କହିବ । କିନ୍ତୁ ଏହି ଅଧିବେଶନ ସ୍ମରଣୀୟ ହୋଇ ରହିବ । ପ୍ରଥମ ମହିଳା ବାଚସ୍ପତି ଭାବେ ଭଲ ଅନୁଭୂତି ପାଇଛି ବୋଲି ସେ କହିଛନ୍ତି ।












Click it and Unblock the Notifications