Opposition meeting : ପ୍ରଥମେ ନାଁ, ଏବେ ହଁ... ବୈଠକରେ ଯୋଗ ଦେବେ ଏନସିପି ସଭାପତି ଶରଦ ପାୱାର
ମୁମ୍ବାଇ : ବିଜେପି ବିପକ୍ଷରେ 2024 ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏକାଠି ହେଉଛନ୍ତି ଅଣ ବିଜେପି ଦଳ । ବିରୋଧୀ ଦଳର ଦ୍ୱିତୀୟ ଦୁଇ ଦିନିଆ ବୈଠକ ଆଜି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାପୂର୍ବରୁ ଗତ ମାସରେ ଜୁନ୍ 23 ରେ ପାଟନାରେ ବିରୋଧୀ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ବିରୋଧୀ ଦଳମାନେ 2024 ଲୋକସଭା ନିର୍ବାଚନ ପାଇଁ ଏକଜୁଟ୍ ହୋଇଥିଲେ ।

ଏହି ବୈଠକକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଏନସିପି ସଭାପତି ଶରଦ ପାୱାର ଏଥିରେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ ଖବର ଆସିଥିଲା ଯେ ଶରଦ ପାୱାର ଆଜି ବିରୋଧୀ ସଭାରେ ଯୋଗଦେବେ ନାହିଁ । ଏନସିପି ମୁଖପାତ୍ର ନିଜେ ମଧ୍ୟ ନିଶ୍ଚିତ କରିଥିଲେ ଯେ ଶରଦ ପାୱାର ବେଙ୍ଗାଲୁରୁ ଯାଉନାହାଁନ୍ତି । କିନ୍ତୁ, ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ, ଶରଦ ପାୱାର ଏବଂ ଏନସିପି କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ବିରୋଧୀ ବୈଠକରେ ଯୋଗଦେବେ ।
ଏହା ପୂର୍ବରୁ କୁହାଯାଇଥିଲା ଯେ ଶରଦ ପାୱାରଙ୍କ ବଦଳରେ ଏନସିପି କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ବିରୋଧୀ ସଭାକୁ ଯିବେ । ଆମେ ଆପଣଙ୍କୁ କହିରଖୁଛୁ ଯେ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ନିକଟରେ ମହାରାଷ୍ଟ୍ରର ଏକନାଥ ସିନ୍ଦେ-ଦେବେନ୍ଦ୍ର ଫଡନାଭିସ୍ ସରକାରରେ ବହୁ ସଂଖ୍ୟାରେ ଏନସିପି ବିଧାୟକଙ୍କ ସହ ଯୋଗ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଶରଦ ପାୱାର ବିରୋଧୀ ଦଳର ବୈଠକରେ ଯୋଗ ନଦେବା ଖବର ଅନେକ ପ୍ରଶ୍ନ ଉଠାଇଥିଲା ।
ସୂଚନାଯୋଗ୍ୟ ଯେ 2024 ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ବିରୋଧୀ ଦଳକୁ ଏକତ୍ର କରିବାର ଦାୟିତ୍ୱ ଗ୍ରହଣ କରିଥିବା ଭେଟେରାନ ନେତାଙ୍କ ମଧ୍ୟରେ ଶରଦ ପାୱାର ମଧ୍ୟ ଏକ ପ୍ରମୁଖ ଚେହେରା ।
ଆଜି ବେଙ୍ଗାଲୁରୁରେ ହେବାକୁ ଥିବା ବିରୋଧୀ ବୈଠକରେ ଆମ୍ ଆଦମୀ ପାର୍ଟି ମଧ୍ୟ ଭାଗ ନେଉଛି । ଦିଲ୍ଲୀ ସରକାରଙ୍କ ବିରୋଧରେ ଆଣିଥିବା ନିୟମକୁ ବିରୋଧ କରିବ ବୋଲି କଂଗ୍ରେସ ଘୋଷଣା କରିବା ପରେ ଆମ୍ ଆଦମୀ ପାର୍ଟି ଏହି ବୈଠକରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଛି । ଆଜି ଏହି ବୈଠକରେ ବିରୋଧୀ ଦଳର ପ୍ରାୟ 24 ଦଳ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି ।












Click it and Unblock the Notifications