ମୁଖ୍ୟମନ୍ତ୍ରୀ ନବୀନଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼, ବିରୋଧୀ କହିଲେ- ଲୋକଙ୍କ ଦୟାରେ ଆସିଛୁ...
ଭୁବନେଶ୍ୱର: ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧା ନିଶାନା । ଅପରାଧକୁ ନେଇ ରାଜନୀତି କରୁଥିବା ଓ ବିକାଶରେ ବାଧକ ସାଜୁଥିବା ନେତା କେବେ ବିଧାନସଭା ଫେରିପାରନ୍ତି ନାହିଁ । ଏହାକୁ ନେଇ ଦେଖାଦେଇଛି ରାଜନୈତିକ ଝଡ଼ । ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବର୍ଷିଛି ବିଜେପି ।
ବିରୋଧୀ ଦଳ ନେତା ଜୟନାରାୟଣ କହିଛନ୍ତି,ଏଥିରୁ ସ୍ପଷ୍ଟ ହେଉଛି ମୁଖ୍ୟମନ୍ତ୍ରୀ ଧମକେଇବା ଲାଗି ଚେଷ୍ଟା କରୁଛନ୍ତି ଯେ, ମୋତେ ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ ।

ଗତକାଲି ବିଧାନସଭା ଗୃହରେ ବିରୋଧୀଙ୍କ ଆଚରଣକୁ ଆକ୍ଷେପ କରି କହିଥିଲେ, ମୋର ଅଭିଜ୍ଞତାରୁ ନମ୍ରତାର ସହ ଏତିକି କହିପାରିବି ଯେ ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି ସେମାନେ ଏହି ଗୃହକୁ ଫେରନ୍ତି । ଯେଉଁମାନେ ଅପରାଧକୁ ନେଇ ରାଜନୀତି କରନ୍ତି, ରାଜନୈତିକ ବିଚାର ପାଇଁ ବିକାଶରେ ବାଧକ ସାଜନ୍ତି ସେମାନେ ଏହି ପବିତ୍ର ଗୃହକୁ ଫେରନ୍ତି ନାହିଁ । ଲୋକମାନେ ବିରୋଧୀଙ୍କ ଆଚରଣ ଉପରେ ନଜର ରଖିଛନ୍ତି ଏବଂ ସେମାନେ କିପରି ହତାଶ ହୋଇ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ତାହା ବି ଦେଖୁଛନ୍ତି । ଆମ ସରକାର ଓଡ଼ିଶାକୁ 'ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା'ରେ ପରିଣତ କରିବାକୁ ଆଗକୁ ବଢ଼ିବ ।
ଆଇନ ଶୃଙ୍ଖଳା ଉପରେ ଦିନ ରାତି ଏକ କରି କାମ କରୁଛି ପୋଲିସ । ହେଲେ କର୍ତବ୍ୟରତ ମହିଳା ପୋଲିସକୁ ନିର୍ଯାତନା ଦିଆଯାଉଛି । ଏପରି କହି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଥିବା କୁହାଯାଉଛି ।
ଏହା ପରେ ବିରୋଧୀଙ୍କ ଟାର୍ଗେଟ୍ ରେ ମୁଖ୍ୟମନ୍ତ୍ରୀ । ଜୟନାରାୟଣ କହିଛନ୍ତି,ଏଥିରୁ ସ୍ପଷ୍ଟ ହେଉଛି ମୁଖ୍ୟମନ୍ତ୍ରୀ ଧମକେଇବାଲାଗି ଚେଷ୍ଟା କରୁଛନ୍ତି ଯେ, ମୋତେ ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ । ପୂର୍ବରୁ ବି ସେ ଏମିତି ଅନେକ ଚେଷ୍ଟା କରିଛନ୍ତି । କିନ୍ତୁ ଏଠି ଜନ ବିରୋଧୀ କିଏ ? ନବୀନ ପଟ୍ଟନାୟକ ହେଲେ ସବୁଠୁ ବଡ଼ ଜନ ବିରୋଧୀ । ବିକାଶର ସବୁଠୁ ବଡ଼ ବାଧକ ହେଲେ ନବୀନ ପଟ୍ଟନାୟକ । ସେ କେମିତି ବିଧାନସଭା ଫେରିବେ ସେ କଥା ନିଜେ ଚିନ୍ତା କରନ୍ତୁ । ସେ ଯେମିତି ଜନ ବିରୋଧୀ କାମ କରିଛନ୍ତି ଲାଗୁଛି ଆଉ ବିଧାନସଭା ଫେରିବେନି ।
ଏହାସହ ଜୟନାରାୟଣ କହିଛନ୍ତି, କିଏ ଜିତିବ କିଏ ହାରିବ ସେଇଟା ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେନି । ତାଙ୍କର ଦୟାରେ ନୁହେଁ ଲୋକଙ୍କ ଦୟାରେ ଆସିଛୁ । ଲୋକ ପୁଣି ଦୟା କଲେ ଆସିବୁ । ହୁଏତ ସେ ଚେଷ୍ଟା କରି ପାରନ୍ତି ଆମେ କେମିତି ବିଧାନସଭା ନ ଫେରି ପାରୁ ।
କେବଳ ଏତିକି ନୁହେଁ ଜୟନାରାୟଣ ବାଚସ୍ପତିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଜୟନାରାୟଣ କହିଛନ୍ତି, ବାଚସ୍ପତିଙ୍କର ବାଚସ୍ପତି ହେବାର ଯୋଗ୍ୟତା ନାହଁ । ବିଧାନସଭା ନୀତି ଓ ନିୟମ ବିଷୟରେ ସେ କିଛି ଜାଣିଛନ୍ତି କି ? ବିଧାନସଭାରେ ବିରୋଧୀ ଦଳର ନେତାଙ୍କୁ କୁହାଇ ନ ଦେବା, ତାଙ୍କ ମାଇକକୁ କାଟି ଦେବା, ପକ୍ଷପାକ୍ଷିତ କରିବା ଏହା କେଉଁ ନିୟମରେ ଉଲ୍ଲେଖ ଅଛି । ଆମର ଦୁଇ ଜଣ ବିଧାୟକଙ୍କୁ ସେମାନେ ବାହାର କରିଛନ୍ତି ଆମେ କାଲି ତାର ଜୋରଦାର ପ୍ରତିବାଦ କରିବୁ । ଡାଲି କେବଳ ଗୋଟେ ପ୍ରତୀକ ଥିଲା । ଆମ ବିଧାୟକ ମାନେ ଡାଲି ଫୋପାଡ଼ି ନାହାନ୍ତି ଆମେ ଉପହାର ଦେଇଛୁ ।
ସୂଚନାଥାଉକି, ଗତକାଲି ଗୃହରେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଖର୍ଚ୍ଚ ଦାବି ରଖୁଥିବା ବେଳେ ଘଟିଥିଲା ଅଭାବନୀୟ ଘଟଣା । ପଲିଥିନରେ ଆଣିଥିବା ଡାଲି ଦେଖାଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଫିଙ୍ଗିଥିଲେ ବିଜେପି ବିଧାୟକ । ପଦ ମର୍ଯାଦା ଓ ପଦବିର ଗରିମା ଭୁଲି ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ପ୍ରସ୍ତାବ ଆଧାରରେ ଦୁଇ ବିଧାୟକଙ୍କୁ ବିଧାନସଭାର ଚଳିତ ଅଧିବେଶନରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ଚଳିତ ଅଧିବେଶନ ଲାଗି ସସପେଣ୍ଡ କରାଯାଇଛି ।












Click it and Unblock the Notifications