ବିଜେପିକୁ ବିଜେଡ଼ିର ଜବାବ, ‘ଓଡିଶାରେ କେବଳ ନବୀନ ମଡେଲ କାମ କରିବ'
ଭୁବନେଶ୍ୱର: ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ହାତରୁ ସରକାର ଛଡ଼ାଇବା ସହ ମଧ୍ୟପ୍ରଦେଶରେ ଆଉ ଥରେ ସରକାର ଗଢିବ ବିଜେପି । ତିନି ରାଜ୍ୟରେ ମୋଦୀ ଯାଦୁରେ ଗେରୁଆ ପତାକା ଉଡ଼ାଇବା ପରେ ଓଡ଼ିଶା ବିଜେପି ବେଶ୍ ଉତ୍ସାହିତ ରହିଛି । ଏହି ତିନି ରାଜ୍ୟର ଫଳାଫଳର ପ୍ରଭାବ ଓଡ଼ିଶାରେ ପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସାମ୍ବାଦିକ ସମ୍ମିଳନୀ କରି ବିଜେପି ସଭାପତି କହିଛନ୍ତି, 2024 ରେ ଓଡ଼ିଶାରେ ୟୁ ଟର୍ଣ୍ଣ କରିବ । 3 ରାଜ୍ୟରେ ଫଳାଫଳ ଯେମିତି ହେଲା ତାହାର ପୁନରାବୃତ୍ତି ଓଡ଼ିଶାରେ ଦେଖିବାକୁ ମିଳିବ ବୋଲି ମନମୋହନ କହିଛନ୍ତି ।
ଏହାର ଜବାବ ରଖିଛି ବିଜେଡି । 2000 ରୁ 2023 ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନି । ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି । ଆଗାମୀ ଦିନରେ ବି କରିବ । ନବୀନ ମଡେଲ ହେଉଛି ବିକାଶର ମଡେଲ । ଦିଲ୍ଲୀଠୁ ନେଇ ଦୌଲତାବାଦ ଯାଏଁ ଓଡ଼ିଶାର ମଡେଲକୁ ସବୁ ଅନୁକରଣ କରିଛନ୍ତି । ସବୁ ରାଜ୍ୟ ମଧ୍ୟ ଓଡିଶାକୁ ପ୍ରଶଂସା କରିଛନ୍ତି । ନବୀନ ମଡେଲକୁ କେହି ବି ଛୁଇଁ ପାରିବେନି । କେଉଁଠି କିଏ ଜିତିଲେ ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ।
ଏହାଛଡା ଅତନୁ କହିଛନ୍ତି, କୌଣସି ଯୋଜନାରେ ଓଡିଶା କେବେ ବାଧକ ହୋଇନି । ଆମର ବିକାଶର ଧାରା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଛି । ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଲୋକଙ୍କ ବିକାଶ ପାଇଁ କାମ କରୁଛି । ଯେତେ ମନ୍ତ୍ରୀ ଆସିଛନ୍ତି ଯେତେ ଟିମ ଆସିଛନ୍ତି ଆମକୁ ପ୍ରଶଂସା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କେମିତି ଓଡ଼ିଶାରେ କେମିତି କାମ କରୁଛି ତାହା ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି ଦେଖିବା ପାଇଁ । ମୁକ୍ତା ଯୋଜନାକୁ କେରଳ ଭଳି ରାଜ୍ୟ ନେବା ପାଇଁ ଆଗ୍ରହୀ । ତେଣୁ ଆମେ କୌଣସି ଯୋଜନାରେ ବାଧକ ସାଜିନୁ ବରଂ ଲୋକଙ୍କ ବିକାଶ ପାଇଁ କାମ କରୁଛୁ ବୋଲି ଅତନୁ କହିଛନ୍ତି ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଏହି ତିନି ରାଜ୍ୟର ଫଳାଫଳର ନିଶ୍ଚିତ ଓଡ଼ିଶା ଉପରେ ପ୍ରଭାବ ପକାଇବ । ଭ୍ରଷ୍ଟ ବିଜେଡି ସରକାରକୁ ହଟାଇବାକୁ ରାଜ୍ୟ ବିଜେପି ଜୋରଦାର ପ୍ରୟାସ କରିବ । ଏଠାରେ ଆଖି କାନ ନ ଥିବା ସରକାର ଚାଲିଛି । ଦେଢ଼କୋଟି ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । କିନ୍ତୁ ହେଲିକପ୍ଟରରେ ବୁଲିବାକୁ 3 ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଲୋକ ବୋହିବାକୁ 5 ଶହ କୋଟି ଖର୍ଚ୍ଚ କରାଯାଉଛି । ନିଜ ଉତ୍ତରାଧିକାରୀ଼ ବାଛିବାକୁ ସରକାର ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଯାହା ଚିନ୍ତାଜନକ ବିଷୟ ।
2024 ରାଜନୀତିରେ ୟୁ ଟର୍ଣ୍ଣ ହେବ । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ଅଛି । ଓଡ଼ିଶାରେ ମୋଦିଙ୍କ ସର୍ବାଧିକ ଲୋକପ୍ରିୟତା ଅଛି । ମୋଦିଙ୍କର ଏହି ଲୋକପ୍ରିୟତା ଆଗାମୀ ଦିନରେ ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବ । ବିଜେପି ଏକପାଖିଆ ସରକାର ଗଢ଼ିବ ବୋଲି ମନମୋହନ ସାମଲ କହିଛନ୍ତି ।












Click it and Unblock the Notifications