ଇଭିଏମ୍ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସଂପର୍କରେ ଦିନିକିଆ କର୍ମଶାଳା ଅନୁଷ୍ଠିତ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକଫରମାନଙ୍କୁ ଇଭିଏମ୍ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସଂପର୍କରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ କର୍ମଶାଳାର ଶୁଭାରମ୍ଭ କରିବା ସହ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ପ୍ରକୃତରେ ଇଭିଏମ୍ଗୁଡ଼ିକର ମାର୍ଫତ୍ଦାର ଅଟନ୍ତି ବୋଲି ମତ ପ୍ରକାଶ କରିଥିଲେ । ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କିମ୍ବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଭିଏମ୍ ସୁପରଭାଇଜର୍ ଅଟନ୍ତି । ଜିଲ୍ଲାପାଳ/ଅତିରିକ୍ତ ଜିଲ୍ଲାପାଳମାନେ କର୍ମଶାଳାରେ ସଂପୂର୍ଣ୍ଣ ଭାବେ ଅବଗତ ହେଲେ ଆଗାମୀ ଦିନରେ ହେବାକୁ ଥିବା ଇଭିଏମ୍ର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସହଜ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ କର୍ମଶାଳାରେ ଉପସ୍ଥିତ ଅଧିକାରୀମାନଙ୍କୁ କହିଛନ୍ତି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆମ ରାଜ୍ୟରେ ଇଭିଏମ୍ର ଏଫ୍ଏଲ୍ସି ତନଖି କାର୍ଯ୍ୟ ଦୁଇଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ତା. ୦୩/୧୦/୨୦୨୩ରିଖ ଠାରୁ ତା. ୨୦/୧୦/୨୦୨୩ରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ଗୋଟି ଜିଲ୍ଲା ପାଇଁ ଓ ଅବଶିଷ୍ଟ ୨୦ କୋଟି ଜିଲ୍ଲା ପାଇଁ ତା. ୦୧/୧୧/୨୦୨୩ରିଖଠାରୁ ତା. ୧୫/୧୧/୨୦୨୩ରିଖ ପର୍ଯ୍ୟନ୍ତ ସଂପୃକ୍ତ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।
ନିର୍ବାଚନ ଆୟୋଗଙ୍କ ତରଫରୁ ଏସ୍. ସୁନ୍ଦରରାଜନ୍ (ଭା.ପ୍ର.ସେ), ନିର୍ଦ୍ଦେଶକ, ଇଭିଏମ୍, ନିର୍ବାଚନ ଆୟୋଗଙ୍କ ସଚିବ ମଧୁସୂଦନ ଗୁପ୍ତା ଏବଂ ଭାରତ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ର ଡେପୁଟି ଜି.ଏମ୍ ପି.ସି. ମଣ୍ଡଳ, ରାଜ୍ୟ ଇଭିଏମ୍ ନୋଡାଲ ଅଧିକାରୀ ତଥା ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ଶ୍ରୀ ପ୍ରମୋଦ କୁମାର ସାହୁ ପ୍ରମୁଖ କର୍ମଶାଳାରେ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟ ଇଭିଏମ୍ ତନଖି କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ରହିବା ପାଇଁ ପୂର୍ବରୁ ଚିଠି ମାଧ୍ୟମରେ ଜଣାଇବେ ଓ ତନଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ହଲ୍ ମଧ୍ୟରେ ଫଟୋଗ୍ରାଫି/ଭିଡିଓଗ୍ରାଫି କିମ୍ବା ମୋବାଇଲ ବ୍ୟବହାରକୁ ନିର୍ବାଚନ ଆୟୋଗଙ୍କ ତରଫରୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଇଭିଏମ୍ ତନଖି କାର୍ଯ୍ୟକ୍ରମ ହେଉଥିବା ହଲ୍ଟି ସଂପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ନିୟମିତ ଭାବେ ଇଭିଏମ୍ ତନଖି କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ । ଇଭିଏମ୍ ତନଖି କାର୍ଯ୍ୟକ୍ରମ ଶେଷରେ ଇଭିଏମ୍ ସୁପରଭାଇଜର ଏକ ଏଫ୍ଏଲ୍ସି ସାର୍ଟିଫିକେଟ୍ ରାଜନୈତିକ ଦଳର ପ୍ରତିନିଧିଙ୍କୁ ପ୍ରଦାନ କରିବେ ।
ଆମ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଇଭିଏମ୍ ତନଖି କାର୍ଯ୍ୟ ନିମନ୍ତେ ନିର୍ବାଚନ ଆୟୋଗଙ୍କ ଜରିଆରେ ପ୍ରାୟ ୩୦୦ ଜଣ ଇଂଜିନିୟର ନିଯୁକ୍ତ ହେବେ ବୋଲି ଭାରତ ଇଲେକ୍ଟ୍ରୋନିକ୍ସର ଡେପୁଟି ଜେନେରାଲ୍ ମ୍ୟାନେଜର୍ ପ୍ରକାଶ କରିଛନ୍ତି । ଇଭିଏମ୍ ତନଖି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସକାଳ ୯ଟା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବ୍ୟାପକ ସୁରକ୍ଷା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଏକ ସେକ୍ସନ୍ ପୁଲିସ୍ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଡେପୁଟି କଲେକ୍ଟର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ସଚିବ ତଥା ଯୁଗ୍ମ ସଚିବ ସଂଜୟ କୁମାର ଲୁଗୁନ୍, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।












Click it and Unblock the Notifications