ଓଡ଼ିଶା ଆସିବେ ରାହୁଲ-ପ୍ରିୟଙ୍କା, ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର
ଭୁବନେଶ୍ୱର: ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ସହ ଭଉଣୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ । ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ।
ଅଧିରାଜ କହିଛନ୍ତି, 5 ଜଣ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଛୁ । ଅକ୍ଟୋବର ଶେଷ ସୁଦ୍ଧା ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବେ । 4 ଟି ଜୋନ୍ରେ ରାହୁଲ ସଭା କରିବାକୁ ଯୋଜନା ରହିଛି ।

ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ୍ ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଦଳ ନିଜ ନିଜର ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ଲାଗି ପଡ଼ିଛନ୍ତି । କଂଗ୍ରେସ ମଧ୍ୟ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ ଯୋଜନା କରୁଛି । କର୍ମୀଙ୍କୁ ଏକାଠି କରିବା ସହ ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ କରୁଛି ରାଜ୍ୟ କଂଗ୍ରେସ ।
ବିଜେପି ମଧ୍ୟ ରାଜ୍ୟରେ ପତିଆରା ଜାହିର କରିବାକୁ ଶାସକ କଳ ଉପରେ ବର୍ଷିବା ସହ କର୍ମୀଙ୍କୁ ଏକଜୁଟ୍ କରୁଛି । କେନ୍ଦ୍ରରୁ ବିଜେପିର ହେଭିୱେଟ୍ ନେତା ଘନ ଘନ ରାଜ୍ୟ ଗସ୍ତ କରି ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରୁଛନ୍ତି । ନିକଟରେ ଅମିତ ଶାହା ମଧ୍ୟ ଓଡ଼ିଶା ଗସ୍ତରେ ଥିବା ବେଳେ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।
ଏହା ପରେ ଅକ୍ଟୋବରରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବାକୁ ନେଇ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି । ସେ ଦଳର ନେତା କର୍ମୀଙ୍କୁ ଭେଟିବେ । ଏହାସହ ନିଜର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଶରତ ପଟ୍ଟନାୟକ ସଭାପତି ହୋଇଥିବା ବେଳେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦିନକୁ ଦିନ ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ଗସ୍ତ କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିବ ଏବଂ ଦଳକୁ ସଙ୍ଗଠିତ କରିବାରେ ସହାୟକ ସାଜିବ ବୋଲି କହିଛନ୍ତି ଅଧୀରାଜ ।












Click it and Unblock the Notifications