ବାବୁ ପ୍ରସଙ୍ଗରେ ମୁହାଁମୁହିଁ ହେଲେ ଶାସକ-ବିରୋଧୀ, ରାଜ୍ୟରେ ଅମଲାତନ୍ତ୍ର ଶାସନ ଚାଲିଥିବା କହିଲେ ବିରୋଧୀ
ଅଫିସର ପ୍ରସଙ୍ଗକୁ ନେଇ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ ଶାସକ ଓ ବିରୋଧୀ । ଗୃହରେ ଉତ୍ତେଜନା ଏତେ ବଢିଯାଇଥିଲା ଯେ ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟର ଆଜି ବାବୁ ପ୍ରସଙ୍ଗକୁ ନେଇ ଲାଗି ରହିଥିଲା ତୁମ୍ବିତୋଫାନ । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଛନ୍ତି । ପରେ ଅଫିସର ପ୍ରସଙ୍ଗକୁ ନେଇ ମୁହାଁମୁହିଁ ସ୍ଥିତିକୁ ଆସିଥିଲେ ଶାସକ ଓ ବିରୋଧୀ । ଗୃହରେ ଉତ୍ତେଜନା ଏତେ ବଢିଯାଇଥିଲା ଯେ ଗୃହକୁ ମୁଲତବୀ କରିବାକୁ ପଡ଼ିଥିଲା ।
ପ୍ରଥମେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏ ପ୍ରସଙ୍ଗ ଉଠାଇ କହିଥିଲେ, ସରକାରୀ ଅଫିସରଙ୍କ ଦ୍ୱାରା ଅପମାନିତ ହେଉଛନ୍ତି ଜନପ୍ରତିନିଧି । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ମନ୍ତ୍ରୀ ରିତା ସାହୁ ଭେଟିବା ପ୍ରସଙ୍ଗ ଉଠାଇଥିଲେ । କଂଗ୍ରେସ ନେତା କହିଥିଲେ, ସରକାର ପାଖକୁ କର୍ମଚାରୀ ଯିବ ନା କର୍ମଚାରୀ ପାଖକୁ ସରକାର ଯିବ । ରାଜ୍ୟରେ ଅମଲାତନ୍ତ୍ର ସରକାର ଚାଲିଛି । ଦିନ ଦ୍ୱିପ୍ରହରରେ ଗଣତନ୍ତ୍ର ବ୍ୟବସ୍ଥାକୁ ଉଲ୍ଲଘଂନ କରାଯାଉଛି । ମନ୍ତ୍ରୀ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିବାରୁ ଆଗକୁ ଏମିତି ହେବ ନାହିଁ କହି ବୟନ ଶିଳ୍ପ ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ।
ଅନ୍ୟପଟେ ଗୃହ ଭିତରେ ଏହାକୁ କାଉଣ୍ଟର କରିଥିଲେ ଶାସକ ଦଳ । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, ଜଣେ ମନ୍ତ୍ରୀଙ୍କୁ କୁହନ୍ତୁ ମନ୍ତ୍ରୀମାନଙ୍କୁ କୁହନ୍ତୁ ନାହିଁ । ଏଭଳି କହି ମନ୍ତ୍ରୀମାନଙ୍କ କ୍ଷମତାକୁ କ୍ଷୂର୍ଣ୍ଣ କରାଯାଉଛି । ନରସିଂହଙ୍କ ମନ୍ତବ୍ୟକୁ ନେଇ ଗୃହରେ କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗୃହର ମଧ୍ୟଭାଗକୁ ଆସି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ହୋହଲ୍ଲା କରିଥିଲେ । ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଫଟୋ ଦେଖାଇ ନାରାବାଜି କରିବା ସହ ହଙ୍ଗାମା କରିଥିଲେ । ସେପଟେ ନିଜ ନିଜ ସ୍ଥାନରେ ଛିଡା ହୋଇ ନାରାବାଜି କରିଥିଲେ ଶାସକ ଦଳ ।
ଏହା ପରେ ବିଜେପି ଫଟୋ ରାଜନୀତି କରୁଥିବା ଅଭିଯୋଗ କରିଥିଲା ଶାସକ ଦଳ । ଏହାକୁ ନେଇ ବିରୋଧୀ ଉପରେ ବର୍ଷିଛି ବିଜେଡି । ବିଜେପିର ଫଟୋ ରାଜନୀତିକୁ ସମାଲୋଚନା କରିବା ସହ ରାଜ୍ୟରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି । କିନ୍ତୁ ବାରମ୍ବାର ବିରୋଧୀ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସାମ୍ମନହାନୀ କରୁଥିବା ନେଇ ଅଭିଯୋଗ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୂଜାରୀ । ସେ ମୁଖ୍ୟମନ୍ତ୍ରୀଙ୍କୁ ନମସ୍କାର କରୁଥିବା ଫଟୋକୁ ଏଡିଟ କରି ବିରୋଧୀ ଦେଖାଉଛନ୍ତି ବୋଲି କହିଥିଲେ ।












Click it and Unblock the Notifications