ଦୁଇ ଦିନ ଆଗରୁ ସରିଲା ବିଧାନସଭା ବଜେଟ୍ ଅଧିବଶନ, ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି
ବିଧାନସଭା ବଜେଟ୍ ଅଧିବେଶନ: ସରିଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ନିର୍ଦ୍ଧାରିତ ସମୟର ଦୁଇ ଦିନ ଆଗରୁ ସରିଛି ବଜେଟ୍ ଅଧିବେଶନ । ଗତ 5 ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନକୁ ବାଚସ୍ପତି ପ୍ରମିଳା ମଲ୍ଲିକ ଆଜି ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।

ଏହି ବଜେଟ୍ ଅଧିବେଶନରେ ମୋଟ୍ 7 ଟି କାର୍ଯ୍ୟ ଦିବସ ଥିଲା । କିନ୍ତୁ 5 ଟି କାର୍ଯ୍ୟ ଦିବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ଅଧିବେଶନ ଶେଷ ହେବା ପୂର୍ବରୁ ଆଜି ଶାସକ ଓ ବିରୋଧୀ ଦଳର ବିଧାୟକମାନଙ୍କ ଫଟୋ ସେସନ୍ ହୋଇଥିଲା । ଗୋଟିଏ ଫଟୋ ଫ୍ରେମ୍ରେ ନଜର ଆସିଥିଲେ ଶାସକ-ବିରୋଧୀ । ବଜେଟ୍ ଅଧିବେଶନ ଅବସରରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ବିଧାୟକମାନେ ଆଜି ଫଟୋ ଉଠାଇଥିଲେ । ଶାସକ-ବିରୋଧୀ ଏକାଠି ହୋଇ ଫଟୋସୁଟ୍ କରିଥିଲେ ଏବଂ ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଫଟୋସୁଟ୍ ସମୟରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଥିଲା । ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା । ଉଭୟ 2024 ନିର୍ବାଚନରେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ମୋ ପାଇଁ ବିଧାନସଭା ସବୁବେଳେ ସ୍ମରଣୀୟ ହୋଇ ରହିବ। ଆସନ୍ତା ନିର୍ବାଚନରେ ମୁଁ ଲଢିବିନି। ବିଧାନସଭାରୁ ବହୁତ କିଛି ଶିଖିଛି। ତେଣୁ ଏହି ଶେଷ ଅଧିବେଶନ ସବୁବେଳେ ସ୍ମରଣୀୟ ହୋଇ ରହିବ। ସେହିଭଳି ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ, ଫଟୋ ସେସନରେ ସବୁ ବିଧାୟକ ଏକତ୍ରୀତ ହୋଇଥିଲୁ। ସମସ୍ତେ ଉତ୍ସାହିତ ଥିଲେ। ଲୋକଙ୍କ ମତ ଅନୁଯାୟୀ କିଏ ଆସନ୍ତା ଅଧିବେଶନରେ ଗୃହକୁ ଆସିବ ତାହା ତ ସମୟ କହିବ। କିନ୍ତୁ ଏହି ଅଧିବେଶନ ସ୍ମରଣୀୟ ହୋଇ ରହିବ। ପ୍ରଥମ ମହିଳା ବାଚସ୍ପତି ଭାବେ ଭଲ ଅନୁଭୂତି ପାଇଛି ବୋଲି ସେ କହିଥିଲେ।












Click it and Unblock the Notifications