ନୀତୀଶଙ୍କ କାନ୍ଧରେ ବିରୋଧୀ ଏକଜୁଟ୍ ଦାୟିତ୍ୱ ! ଜାଣନ୍ତୁ କଣ ରହିଛି କଂଗ୍ରେସର ଯୋଜନା ?
ଲୋକସଭା 2024 ନିର୍ବାଚନ ପାଇଁ ଦେଶର ରାଜନୈତିକ ମାହୋଲ ସରଗରମ୍ ହେବାରେ ଲାଗିଛି । ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଶର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛି କଂଗ୍ରେସ । ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ଦିଲ୍ଲୀ ରାଜନୀତିରେ ସକ୍ରିୟ ହୋଇ ଉଠିଛନ୍ତି । ଗତକାଲି ନୀତୀଶ କୁମାର କଂଗ୍ରେସ ସମେତ ଅନ୍ୟାନ୍ୟ ଦଳର ନେତାଙ୍କୁ ଭେଟିଥିଲେ ।
ବୁଧବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ସମୟରେ ତୀଙ୍କ ସହ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକ ପରେ ନୀତୀଶ କୁମାର ମଧ୍ୟ AAP ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ।

କେଜ୍ରିୱାଲଙ୍କୁ ଭେଟିବା ପୂର୍ବରୁ ନୀତୀଶ କୁମାର କହିଛନ୍ତି ଯେ ଆମେ ଦେଶରେ ଅଧିକରୁ ଅଧିକ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଛୁ । ଭବିଷ୍ୟତରେ ଆମେ ଏକାଠି କାମ କରିବୁ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ପରେ କଂଗ୍ରେସ ନୀତୀଶ କୁମାରଙ୍କୁ ଦଳଗୁଡ଼ିକୁ ଏକାଠି କରିବାର ଦାୟିତ୍ୱ ଦେଇଛି ବୋଲି ଖବର ସାମ୍ନାକୁ ଆସିଛି ।
ୟୁପିଏର ନୂଆ ସଂଯୋଜକ ନୀତିଶ !
ବର୍ତ୍ତମାନ ନୀତୀଶଙ୍କୁ UPA ର ନୂତନ ସଂଯୋଜକ ଭାବରେ ବିବେଚନା କରାଯାଉଛି । ଏହା ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାର ୟୁପିଏର ସଂଯୋଜକ ଭୂମିକାରେ ନଜର ଆସିଥିଲେ । କିନ୍ତୁ ଜେପିସି ଏବଂ ଆଦାନୀ ପ୍ରସଙ୍ଗରେ ଶରଦ ପାୱାରଙ୍କ ନିକଟରେ ଦେଇଥିବା ବିବୃତ୍ତି ପରେ ତାଙ୍କ ଭୂମିକାରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ କଂଗ୍ରେସ ଜଣେ ଏଭଳି ନେତାଙ୍କୁ ଖୋଜୁଛି ଯାହାର ଶରଦ ପାୱାରଙ୍କ ଠାରୁ ଅଧିକ ପତିଆରା ଥିବ ଏବଂ ସେ ବିଜେପିର ଜଣେ ଦୃଢ ବିରୋଧୀ ହୋଇଥିବେ । ଏମିତି ଜଣେ ନେତା ହେଉଛନ୍ତି ନୀତୀଶ କୁମାର । ବର୍ତ୍ତମାନ ସେ ଯେପରି ବିଜେପି ବିରୋଧୀ ଦଳମାନଙ୍କୁ ଏକାଠି କରିବାରେ ଲାଗିଛନ୍ତି, ତାଙ୍କୁ ୟୁପିଏର ସଂୟୋଜନ ଭାବେ ବିବେଚନା କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ ନୀତୀଶ କୁମାର ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ବିରୋଧୀ ଦଳ ସହ ଆଲୋଚନା କରିବେ । ଯାହା ପରେ ଅପ୍ରେଲ ଶେଷରେ ବିରୋଧୀ ଦଳମାନଙ୍କର ଏକ ବଡ ବୈଠକ ହେବ । ଏବେ ପ୍ରଶ୍ନ ହେଉଛି ଯଦିଓ ନୀତୀଶ କୁମାରଙ୍କୁ ବିରୋଧୀଙ୍କୁ ଏକଜୁଟ କରିବାର ଦାୟିତ୍ୱ ଦିଆଯାଇଛି, ସେମାନଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ମଧ୍ୟ ଆସିବ ।
କ'ଣ ରହିଛି କଂଗ୍ରେସର ଯୋଜନା ?
ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବିରୋଧୀ ଦଳଗୁଡ଼ିକୁ ଏକତ୍ର କରିବାକୁ କଂଗ୍ରେସ ଯୋଜନା କରୁଛି । ଏହା ପଛରେ ମୁଖ୍ୟ କାରଣ ହେଉଛି ଏହି ରାଜ୍ୟଗୁଡ଼ିକରେ ଲୋକସଭା ଆସନ ସଂଖ୍ୟା । କେବଳ ୟୁପିରେ 80 ଟି ଲୋକସଭା ଆସନ ରହିଛି । ବିହାରରେ 40 ଟି ଲୋକସଭା ଆସନ, ମହାରାଷ୍ଟ୍ରରେ 48 ଏବଂ ପଶ୍ଚିମବଙ୍ଗରେ 42 ଟି ଆସନ ଅଛି । ଏହି ଚାରୋଟି ରାଜ୍ୟରେ ମୋଟ 210 ଲୋକସଭା ଆସନ ଅଛି ।
2019 ରେ ବିଜେପି ୟୁପିରେ 62 + 2 ସିଟ୍ ଜିତିଥିବା ବେଳେ ମହାରାଷ୍ଟ୍ରରେ ବିଜେପି ଶିବସେନା ସହ ମିଶି 41 ଟି ସିଟ୍ ଜିତିଛି । ସେହିଭଳି ବିହାରର 40 ଟି ସିଟ୍ ମଧ୍ୟରୁ ବିଜେପି ଏବଂ ଏହାର ସହଯୋଗୀମାନେ 39 ଟି ସିଟ୍ ଜିତିଛନ୍ତି । ଏହା ବ୍ୟତୀତ ପଶ୍ଚିମବଙ୍ଗରେ ବିଜେପି 18 ଟି ଆସନ ଜିତିଛି । ଏହି ଚାରିଟି ରାଜ୍ୟରୁ ବିଜେପି 164 ଟି ଆସନ ପାଇଛି । ଯାହାକି ଦଳକୁ କ୍ଷମତାକୁ ଆସିବାରେ ବେଶ୍ ସହାୟତ ହୋଇଥିଲା । ଏହାସହିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିହାର ଏବଂ ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଥିବା ଶିବସେନା (ଉଦ୍ଧବ ଗୋଷ୍ଠୀ) ଏବଂ ଜେଡିୟୁ ଅଲଗା ହୋଇଯାଇଛନ୍ତି । ଏହାର ଫାଇଦା ନେବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି ।
ଅମିତ ଶାହାଙ୍କ ମିଶନ 300+ କୁ ଲାଗିବ କି ଝଟକା !
ବିହାରରେ ଜେଡିୟୁ ଏବଂ ମହାରାଷ୍ଟ୍ରର ଉଦ୍ଧବ ଠାକରେ ଗୋଷ୍ଠୀ ବିଜେପି ଠାରୁ ଅଲଗା ହେବା ପରେ ମିଶନ 300+ କୁ ଝଟକା ଲାଗିପାରେ । କଂଗ୍ରେସ ଏହି ରାଜ୍ୟଗୁଡିକର ଆଞ୍ଚଳିକ ଦଳଗୁଡ଼ିକୁ ଏକଜୁଟ କରିବାକୁ ଚେଷ୍ଟା କରୁଛି । ଯାହାର ଦାୟିତ୍ୱ ନୀତୀଶ କୁମାରଙ୍କୁ ଦିଆଯାଇଛି ।
କ୍ଲିନ୍ ଇମେଜ୍ ନେତା ନୀତୀଶ କୁମାରଙ୍କ ଅଧିକାଂଶ ଦଳ ସହ ଭଲ ସମ୍ପର୍କ ରହିଛି । ଯେଉଁ ନେତାମାନଙ୍କୁ ନୀତୀଶ କୁମାରଙ୍କୁ ମନାଇବା ଦାୟିତ୍ୱ ଦିଆଯାଇଛି, ଏଥିମଧ୍ୟରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀ, ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବ ଅଛନ୍ତି ।
ନୀତୀଶଙ୍କ ପାଇଁ ଆହ୍ୱାନ ଏହି ଦୁଇ ନେତା
ନିକଟରେ ମମତା ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଏପରିକି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ରହିଲେ ବିଜେପିକୁ ପରାସ୍ତ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି । ଏଭଳି ପରିସ୍ଥିତିରେ ମମତା ଏବଂ ଅଖିଳେଶଙ୍କୁ ୟୁପିଏ ରେ ସାମିଲ କରିବା ନୀତୀଶ କୁମାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ।
ଅନ୍ୟପକ୍ଷରେ ନୀତୀଶ କୁମାର ଆଜି ବାମପନ୍ଥୀ ନେତାଙ୍କୁ ଭେଟିଛନ୍ତି । ଏଥି ସହିତ, ଆଗାମୀ ଦିନରେ, ସେ ଅନ୍ୟ ଅନେକ ଦଳ ସହିତ ସାକ୍ଷାତ କରୁଥିବା ଦେଖିବାକୁ ମିଳିବ ବୋଲି ସୂଚନା ରହିଛି । ଏହି ତାଲିକାରେ ତେଲେଙ୍ଗାନାର ବିଆରଏସ ମୁଖ୍ୟ କେସିଆର, ଜାମ୍ମୁ ଓ କାଶ୍ମୀରର ରାଜନୈତିକ ଦଳ ପିଡିପି ଏବଂ ନ୍ୟାସନାଲ କନଫରେନ୍ସ ନେତା ମଧ୍ୟ ରହିଛନ୍ତି ।












Click it and Unblock the Notifications