'ମହାରାଷ୍ଟ୍ରର ପରବର୍ତ୍ତୀ ସିଏମ୍ ଏନସିପିରୁ ହେବେ' ଦଳର ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କ ଦାବି

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ଘଡ଼ି କେ ଘୋଡ଼ା ଛୁଟୁଛି । ପ୍ରତି ମୁହୂର୍ତ୍ତରେ ରାଜ୍ୟ ରାଜନୀତିକୁ ନେଇ କିଛି ନା କିଛି ଚର୍ଚ୍ଚା ହେବାରେ ଲାଗିଛି । ସିନ୍ଦେ ସରକାର ଭାଙ୍ଗିବା ନେଇ ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତଙ୍କ ବୟାନ ଏବଂ ଏନସିପି ନେତା ଅଜିତ ପାୱାର ବିଜେପି ଯିବା ନେଇ ଚର୍ଚ୍ଚା ମଧ୍ୟରେ ଆଉ ଏକ ବୟାନ ରାଜୟ ରାଜନୀତିକୁ ପୁଣି ସରଗରମ କରିଦେଇଛି ।
ସିନ୍ଦେ ସରକାର ପତନର ଚର୍ଚ୍ଚା ମଧ୍ୟରେ ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି । ପାଟିଲ କହିଛନ୍ତି ଯେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜାତୀୟତାବାଦୀ କଂଗ୍ରେସ ପାର୍ଟି(NCP)ରୁ ହେବେ ବୋଲି ସମସ୍ତେ ଗ୍ରହଣ କରିଛନ୍ତି । ଏହା ସହ ସେ କହିଛନ୍ତି ଯେ ଭବିଷ୍ୟତରେ ଏନସିପି ରାଜ୍ୟର ବୃହତ୍ତମ ରାଜନୈତିକ ଦଳ ଭାବରେ ଉଭା ହେବ । ଜୟନ୍ତ ପାଟିଲ ରବିବାର (ଅପ୍ରେଲ 30) ରାଜ୍ୟର ସାତାରା ଜିଲ୍ଲାର କରାଦ ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଏହି ସୂଚନା ଦେଇଛନ୍ତି ।
ସୁପ୍ରିମକୋର୍ଟ ଏପର୍ଯ୍ୟନ୍ତ ଶିବସେନାର 16 ଜଣ ବିଧାୟକଙ୍କ ଯୋଗ୍ୟତା ସମ୍ପର୍କରେ ନିଷ୍ପତ୍ତି ଶୁଣାଇ ନାହାଁନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାମ ମଧ୍ୟ ଏହି ବିଧାୟକମାନଙ୍କ ମଧ୍ୟରେ ଅଛି । ସର୍ବୋଚ୍ଚ ନ୍ୟାୟାଳୟର ବିଚାରାଧୀନ ନିଷ୍ପତ୍ତିର ପୃଷ୍ଠଭୂମିରେ ମହାରାଷ୍ଟ୍ର ସରକାରଙ୍କ ପତନ ଏବଂ ସିନ୍ଦେ ସିଏମ୍ ହେବା ନେଇ କଳ୍ପନାଜଳ୍ପନା କରାଯାଉଛି ।
ଏହା ବ୍ୟତୀତ ସଞ୍ଜୟ ରାଉତଙ୍କ ପରି ଅନେକ ନେତା ପୂର୍ବାନୁମାନ କରିଛନ୍ତି ଯେ ସିନ୍ଦେ ଏବଂ ବିଜେପି ସହ ସରକାର ଅଧିକ ଦିନ ରହିବେ ନାହିଁ । ଏହି କଳ୍ପନାଜଳ୍ପନା ମଧ୍ୟରେ ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ମଧ୍ୟ ପ୍ରକାଶ ପାଇଥିଲା, ତେଣୁ ଏଭଳି ପରିସ୍ଥିତିରେ ଜୟନ୍ତ ପାଟିଲଙ୍କ ବିବୃତ୍ତିରୁ ବହୁ ରାଜନୈତିକ ମହତ୍ତ୍ୱ ବାହାର କରାଯାଉଛି ।
ଯଦି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଯୋଗୁଁ ମହାରାଷ୍ଟ୍ର ସରକାର ପତନ ହୁଏ, ତେବେ ଏନସିପି ସମର୍ଥନ ଦେଇ ଏହାକୁ ବଞ୍ଚାଇବ କି, ଏ ନେଇ ପ୍ରଶ୍ନ ଉଠିଛି । ଯଦି ଏନସିପି ସମର୍ଥନ ଦିଏ ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପଦବୀ ଦାବି କରିବାର ବିକଳ୍ପ ରହିବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିବ ।












Click it and Unblock the Notifications