କରୋନା କାଳରେ ମାଲେମାଲ୍ ରାଜନୈତିକ ଦଳ ! ବିଜେପି ସବୁଠୁ ଧନୀ ଦଳ, କଂଗ୍ରେସ ମୁଣ୍ଡରେ ଅଧିକ ଋଣ ବୋଝ
ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସାରା ଦେଶର ଅର୍ଥନୀତି ହଲଚଲ୍ ହୋଇଯାଇଥିବା ବେଳେ ସାଧାରଣ ଲୋକଙ୍କ ଅବସ୍ଥା ନ କହିବା ଭଲ । କିଏ ଚାକିରି ହରାଇ ବେକାରୀ ହୋଇଥିଲା ତ କିଏ ଗରିବ ରୁ ଆହୁରି ଗରିବ ପାଲଟିଥିଲା । କିନ୍ତୁ ଏହି ସମୟରେ ଧନୀ ହୋଇଥିଲେ ରାଜନୈତିକ ଦଳ ।
2021-22 ବର୍ଷରେ 8 ଟି ରାଜନୈତିକ ଦଳର ମୋଟ୍ ସମ୍ପତ୍ତି 8829.16 କୋଟି ଟଙ୍କା ହୋଇଛି । ଗୋଟିଏ ବର୍ଷରେ ବଢିଛି 21 ପ୍ରତିଶତ । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ରିପୋର୍ଟରୁ ଏହା ଜଣାପଡ଼ିଛି ।
2020-21 ବର୍ଷରେ 8 ରାଜନୈତିକ ଦଳର ମୋଟ୍ ସମ୍ପତ୍ତି 7297.62 କୋଟି ଥିଲା । ଏହା ପରେ 2021-22 ବର୍ଷରେ ଏହା 8829.16 କୋଟି ଟଙ୍କାରେ ପହଞ୍ଚିଛି । ଏଡିଆର ନିଜ ରିପୋର୍ଟରେ 2020-21 ଓ 2021-22 ବର୍ଷରେ 8 ରାଷ୍ଟ୍ରୀୟ ରାଜନୈତିକ ଦଳର ସମ୍ପତ୍ତି ନେଇ ସବିଶେଷ ରିପୋର୍ଟ ଦେଇଛି । ଏହି 8 ରାଜନୈତିକ ଦଳ ମଧ୍ୟରେ ଅଛନ୍ତି ବିଜେପି, କଂଗ୍ରେସ, ଏନସିପି, ବିଏସପି, ସିପିଆଇ, ସିପିଆଇଏମ୍, ଟିଏମ୍ସି ଓ ଏନସିପି ।
ସବୁଠୁ ଧନୀ ଦଳ ବିଜେପି
ତେବେ ରିପୋର୍ଟ ଅନୁସାରେ ସବୁଠାରୁ ଧନୀ ଦଳ ଭାବେ ରହିଛି ବିଜେପି । ଦଳର ସମ୍ପତ୍ତିରେ ଗତ ବର୍ଷ ଅପେକ୍ଷା 21.17 ପ୍ରତିଶତ ବୃଦ୍ଧି ହୋଇଛି । 2020-21 ଆର୍ଥିକ ବର୍ଷରେ ବିଜେପି ଏହାର ସମ୍ପତ୍ତି ମୂଲ୍ୟ 4990.12 କୋଟି ଘୋଷଣା କରିଥିଲା । ତେବେ 2021-22 ରେ ବିଜେପିର ସମ୍ପତ୍ତି ମୂଲ୍ୟ 6046.81 କୋଟିକୁ ବୃଦ୍ଧି ପାଇଛି ।
ସେହିପରି କଂଗ୍ରେସର ସମ୍ପତ୍ତିରେ ମଧ୍ୟ ବୃଦ୍ଧି ହୋଇଛି । ରିପୋର୍ଟ ଅନୁଯାୟୀ 2020-21 ରେ କଂଗ୍ରେସର ଘୋଷିତ ସମ୍ପତ୍ତି ମୂଲ୍ୟ 691.11 କୋଟି ଥିଲା । ତେବେ 2021-22 ରେ କଂଗ୍ରେସର ସମ୍ପତ୍ତି ମୂଲ୍ୟ 16.58 ପ୍ରତିଶତ ବୃଦ୍ଧି ପାଇଛି । 2021-22 ରେ କଂଗ୍ରେସ ସମ୍ପତ୍ତି ମୂଲ୍ୟ ରହିଛି 805.68 କୋଟି ।
ଏକମାତ୍ର ଦଳ ଭାବେ ବିଏସ୍ପି (ବହୁଜନ ସମାଜ ପାର୍ଟି) ଏହାର ବାର୍ଷିକ ସମ୍ପତ୍ତି କମିଥିବା ଘୋଷଣା କରିଛି । 2020-21 ତୁଳନାରେ 2021-22 ରେ ବିଏସ୍ପିର ମୋଟ୍ ସମ୍ପତ୍ତି 5.74 ପ୍ରତିଶତ ହ୍ରାସ ପାଇଛି । 2020-21 ରେ ବିଏସ୍ପିର ସମ୍ପତ୍ତି ମୂଲ୍ୟ 732.79 କୋଟି ଥିବାବେଳେ 2021-22 ରେ ଏହା 690.71 କୋଟିକୁ ହ୍ରାସ ପାଇଛି । ତେବେ ଏହି ସମୟ ମଧ୍ୟରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ମୋଟ୍ ସମ୍ପତ୍ତି 151.70 ପ୍ରତିଶତ ବୃଦ୍ଧି ପାଇଛି । 2020-21 ରେ ଟିଏମ୍ସିର ମୋଟ୍ ସମ୍ପତ୍ତି 182.00 କୋଟି ଥିବାବେଳେ 2021-2 ରେ ଏହା 458.10 କୋଟିକୁ ବୃଦ୍ଧି ପାଇଛି ।
କଂଗ୍ରେସ ଉପରେ ଅଧିକ ଋଣ
କେଉଁ ଦଳ କେତେ ଋଣ ଆଣିଛି, ସେ ନେଇ ରିପୋର୍ଟରେ କୁହାଯାଇଥିଲେ ସୁଦ୍ଧା କେଉଁ ସୋର୍ସରୁ ଆଣିଛନ୍ତି, ତାହା ଉପରେ ରିପୋର୍ଟରେ କୁହାଯାଇନି । ରିପୋର୍ଟ ଅନୁସାରେ 2021 ବର୍ଷରେ 8ଟି ଦଳ 62.68 କୋଟି ଋଣ ଆଣିଥିବା ବେଳେ ସବୁଠୁ ଅଧିକ ଋଣ ବୋଝରେ ଅଛି କଂଗ୍ରେସ । 41.95 କୋଟି ଟଙ୍କା ବୋଝରେ ଅଛି ଦଳ । ସେହିପରି ସିପିଏମ୍ ଉପରେ 12.21 କୋଟି ଋଣ ରହିଛି ।












Click it and Unblock the Notifications