ଲୋକସଭା ନିର୍ବାଚନ ପାଇଁ ମୋଦୀଙ୍କ ଗୁରୁ ମନ୍ତ୍ର, ‘ଦେଶର ସେବା ପାଇଁ ଜିତ୍ ଲାଗି ଆଗାମୀ 100 ଦିନ ଅଧିକ କାମ କରିବାକୁ ହେବ'
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ରଣ ହୁଙ୍କାର ଦେଲେ ମୋଦୀ । ରାଜନୀତି ନୁହେଁ, ରାଷ୍ଟ୍ରନୀତି ପାଇଁ ବାହାରିଛୁ । ନିଜ ଖୁସି ପାଇଁ ଜିତିବା ବ୍ୟକ୍ତି ନୁହଁ । ଏପରିକି ବିଜେପି ସରକାରର ତୃତୀୟ ପାଳିର ସତ୍ତା ଲୋଭ ପାଇଁ ଦୌଡ଼ରେ ନାହିଁ । ମୁଁ ରାଷ୍ଚ୍ର ସଂକଳ୍ପ ନେଇ ଆସିଥିବା ବ୍ୟକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅନୁଷ୍ଠିତ ବିଜେପିର ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିନରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଆମ ବିରୋଧୀ ଦଳ ଯୋଜନାଗୁଡିକୁ ସମ୍ପୂର୍ଣ୍ଣ କରିବା ଜାଣନ୍ତି ନାହିଁ କିନ୍ତୁ ମିଛ ପ୍ରତିଶ୍ରୁତି ଦେବାରେ ଧୁରନ୍ଧର । ଆଜି ଏହି ସମସ୍ତ ରାଜନୈତିକ ଦଳ ଗୋଟିଏ ପ୍ରତିଶ୍ରୁତି ଦେବାକୁ ଡରୁଛନ୍ତି, ତାହା ହେଉଛି ବିକଶିତ ଭାରତ । ଏହା ଆମର ପ୍ରତିଶ୍ରୁତି । କେବଳ ବିଜେପି ଏବଂ ଏନଡିଏ ମିଳିତ ମଞ୍ଚ ଏ ବିଷୟରେ ସ୍ୱପ୍ନ ଦେଖିଛନ୍ତି । ଆମେ 2047 ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ କାମ କରୁଛୁ ବୋଲି କହିଛନ୍ତି ମୋଦୀ ।
ଏହା ସହ ମୋଦୀ ବିଜେପି କର୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ଉତ୍ସାହିତ କରିଛନ୍ତି । ବିଜେପି କର୍ମୀମାନେ 24 ଘଣ୍ଟା ଦେଶ ସେବାରେ ନିୟୋଜିତ ଅଛନ୍ତି । ଆସନ୍ତା 100 ଦିନ ପାଇଁ ଉତ୍ସାହର ସହ କାର୍ଯ୍ୟ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସେମାନେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବା ଉଚିତ୍ ବୋଲି କହିଛନ୍ତି ମୋଦୀ ।
ଆଗାମୀ 100 ଦିନରେ ନୂତନ ଶକ୍ତି, ନୂତନ ଉତ୍ସାହ, ନୂତନ ବିଶ୍ୱାସ ସହିତ କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆଜି ବିରୋଧୀଦଳର ନେତାମାନେ ମଧ୍ୟ ଏନଡିଏ 400 ସିଟ୍ ପାର କରିବ ବୋଲି ସ୍ଲୋଗାନ ଦେଉଛନ୍ତି । ବଡ ବଡ ଦୁର୍ନୀତି ଏବଂ ଆତଙ୍କବାଦରୁ ବିଜେପି ଏହି ଦେଶକୁ ମୁକ୍ତ କରିଛି । ଆମେ ଏପରି ଲୋକ ଯେଉଁମାନେ ଶିବାଜୀଙ୍କୁ ବିଶ୍ୱାସ କରୁଛେ । ଦେଶର ସେବା କରିବା ପାଇଁ ବିଜେପି ସର୍ବାଧିକ ସଂଖ୍ୟକ ଆସନ ପାଇବ । କର୍ମୀମାନଙ୍କୁ ଅପିଲ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି 18 ଫେବୃଆରୀ, 18 ବର୍ଷ ବୟସ ହୋଇଥିବା ଯୁବକମାନେ 18 ତମ ଲୋକସଭା ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି । ଆମକୁ ଆଗାମୀ କିଛି ଦିନ ପରିଶ୍ରମ କରିବାକୁ ପଡିବ ଏବଂ ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ପଡିବ ।
ଏଥର କେବଳ ବିଜେପି 370 ରୁ ଅଧିକ ଆସନ ଜିତିବ । ବିଜେପି କର୍ମୀଙ୍କ ବିଶ୍ୱସ୍ତତା ଏବଂ ନିଷ୍ଠା ଯୋଗୁଁ ଆମେ ଜନସାଧାରଣଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରୁଛୁ ବୋଲି ମୋଦୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅଧିବେଶନରେ ବିରୋଧୀଙ୍କୁ କଡ଼ା ଭାଷାରେ ନିନ୍ଦା କରିବା ସହ ଟାର୍ଗେଟ୍ କରିଛନ୍ତି ନରେନ୍ଦ୍ର ମୋଦୀ । କଂଗ୍ରେସ ତୁଷ୍ଟୀକରଣ, ପରିବାରବାଦ ଓ ଭ୍ରଷ୍ଟାଚାରର ଜନନୀ । ଦେଶର ସେନାଙ୍କ ମନୋବଳ ଭାଙ୍ଗିବାକୁ ପଛାଉନି କଂଗ୍ରେସ । ସର୍ଜିକାଲ୍ ଷ୍ଟ୍ରାଇକର ବି ପ୍ରମାଣ ମାଗୁଛି ବୋଲି କହିଛନ୍ତି ମୋଦୀ । ବିପକ୍ଷ ପାଖରେ ଏବେ କୌଣସି ଏଜେଣ୍ଡା ନାହିଁ । ସବକା ସାଥ୍ ସବକା ବିକାଶ ଆମର ଲକ୍ଷ୍ୟ । ସେହିପରି ଏବେ ଛୋଟ ସ୍ୱପ୍ନର ସ୍ଥାନ ନାହିଁ । ବିକଶିତ ଭାରତ ପାଇଁ ବଡ଼ ଡିଆଁ ମାରିବାକୁ ପଡ଼ିବ । ରାଜନୀତି ନୁହେଁ, ରାଷ୍ଟ୍ରନୀତି ଆମର ଫୋକସ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।












Click it and Unblock the Notifications